ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ଲାଇଟ କଟିବା ଘଟଣା : ଇଡ୍‌କୋ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ କୁଳପତି

ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ଲାଇଟ କଟିଯିବା ଘଟଣାରେ ଆସିଲା ରିପୋର୍ଟ। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ରିପୋର୍ଟ ପ୍ରଦାନ କଲେ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ। ଲାଇଟ କଟିବା ପାଇଁ ଇଡ୍‌କୋ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ କୁଳପତି। ଇଡକୋ କର୍ମଚାରୀ ସଠିକ ସମୟରେ ଇଲେକ୍‌ଟ୍ରିକ୍‌ ପ୍ୟାନେଲ ବୋର୍ଡ ନିକଟରେ ପହଞ୍ଚି ନ ପାରିବାରୁ ଏଭଳି ଅପମାନଜନକ ଘଟଣା ଘଟିଗଲା ବୋଲି ସେ କହିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଜରୁରୀ କାଳୀନ ବ୍ୟବସ୍ଥା ପାଇଁ ମଧ୍ୟ ମୋବାଇଲ କଟକଣା ଏହି ବିଭ୍ରାଟ ପାଇଁ ଦାୟୀ ବୋଲି ମଧ୍ୟ କହିଛନ୍ତି କୁଳପତି। ଉତ୍ସବ ସ୍ଥଳରେ ତଦାରଖ ପାଇଁ ଇଡ୍‌କୋର ୮ଜଣ ଓ ଟିପିଏନ୍‌ଓଡିଏଲ୍‌ର ୪ଜଣ କର୍ମଚାରୀଙ୍କୁ ପ୍ରବେଶ ପତ୍ର ଯୋଗାଇ ଦିଆଯାଇଥିଲା।

ମାତ୍ର ବିଦ୍ୟୁତ ବିଭ୍ରାଟ ବେଳେ ପ୍ରେକ୍ଷାଳୟ ମଧ୍ୟରେ କୌଣସି କର୍ମଚାରୀ ଉପସ୍ଥିତ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ସମାବର୍ତ୍ତନ ଉତ୍ସବ ପୂର୍ବରୁ ୪ତାରିଖରୁ ଅଡିଟୋରିୟମର ତଦାରଖ ଦାୟିତ୍ୱ ଇଡ୍‌କୋକୁ ହସ୍ତାନ୍ତର କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ତେବେ ଇଡ୍‌କୋର ବେପରୁଆ ମନୋଭାବ ଯୋଗୁଁ ବିଶ୍ୱବିଦ୍ୟାଳୟ ବଦ୍‌ନାମ ମୁଣ୍ଡାଇଥିବା କହିଛ କୁଳପତି। ଏହି ଘଟଣା ପାଇଁ କେବଳ ବିଶ୍ୱବିିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ନୁହନ୍ତି ବୋଲି ସେ କହିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସମାନ ଭାବେ ଏହି ଅଭାବନୀୟ ଘଟଣା ପାଇଁ ଦାୟୀ ବୋଲି କହିଛନ୍ତି କୁଳପତି ସନ୍ତୋଷ ତ୍ରିପାଠୀ।

ସମାବର୍ତ୍ତନ ଉତ୍ସବରେ କେବଳ ଷ୍ଟେଜ ଓ ପୋଡିୟମ ଦାୟିତ୍ୱ ବିଶ୍ୱବିଦ୍ୟାଳୟ ପାଖରେ ଥିବା ବେଳେ ଅନ୍ୟ ସବୁ ଦାୟିତ୍ୱ ଜିଲ୍ଲା ପ୍ରଶାସନର ଥିଲା ବୋଲି ସେ କହିଛନ୍ତି। ସେପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତଦନ୍ତ ପାଇଁ ଗଠନ କରିଥିବା ୩ଜଣିଆ କମିଟି ଆଜି ରିପୋର୍ଟ ପ୍ରଦାନ କରିବ ବୋଲି କୁହାଯାଇଛି। ୬ତାରିଖରେ ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୀକ୍ଷାନ୍ତି ଭାଷଣ ବେଳେ ବିଜୁଳି କଟିଯାଇଥିଲା ଦୀର୍ଘ ୯ ମିନିଟ ଧରି ଅନ୍ଧାରରେ ନିଜ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି। ଅଡିଟୋରିୟମର ଏସି ଓ ମାଇକ କାମ କରୁଥିବା ବେଳେ ଲାଇଟ ଚାଲିଯାଇଥିଲା।

nis-ad
Leave A Reply

Your email address will not be published.