ନକଲି ପାଠରେ ଅସଲି ଚାକିରୀ

ଜୟନ୍ତ ପଟ୍ଟନାୟକ


ଆଜିକାର ଯୁଗ ନାଁ ସିନା ଡିଜିଟାଲ, ଆମେ ସେଇ ପ୍ରସ୍ତର ଯୁଗର ସଭ୍ୟତାରେ ରହି ଯାଇଛେ ଲାଗୁଛି । କାରଣ ଏବେ ବି ସେଇ ଭୂତ, ପ୍ରେତ, ଡାହାଣୀ, ଚିରୁଗୁଣୀ, ଗୁଣି,ଗାରେତି-ରେ ଆମର ଅଖଣ୍ଡ ବିଶ୍ଵାସ ! ଗାଁ ଗହଳି କଥା ଛାଡ,ସହରତଳି ଅଞ୍ଚଳରେ ମଧ୍ୟ ଗୁଣିଆ, ଚେଙ୍କ ବାଲା,ଠକ ବୈଦ୍ୟ ପ୍ରଭୃତିଙ୍କ ପ୍ରାଦୃଭାବ ଯଥାପୂର୍ଵ । ଆତ୍ମଘୋଷିତ ବାବା, ମାତା, ନକଲି ପ୍ରବଚକଙ୍କ ଚାହିଦା ବାରିହୋଇପଡେ ଶିକ୍ଷିତ ଯୁବବର୍ଗଙ୍କ ଭିତରେ । ଏମିତି କଥାର ସୁଯୋଗ ନେଇ ଏ ସମ୍ବନ୍ଧିତ ତିନୋଟି କାରବାର/ବ୍ୟବସାୟ ବଢିଆ ଚାଲିଛି । ଏ ତିନୋଟି
ହେଲା, ଶିକ୍ଷାଳୟ, ଚିକିତ୍ସାଳୟ ଓ ଦେବାଳୟ । ଏ ସମସ୍ତର ଆଲୋଚନା ଗୋଟିଏ ପ୍ରବନ୍ଧ ମଧ୍ୟରେ ସମ୍ଭବ ନୁହେଁ, ତେଣୁ ଆଜି କେବଳ ଶିକ୍ଷାଳୟ ବିଷୟ ଆଲୋଚନା କରିବା ।
ଆଜିକାଲି ସରକାରୀ ଅପେକ୍ଷା ଘରୋଇ ବିଦ୍ୟାଳୟର ପ୍ରାବଲ୍ୟ ସବୁଠି ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ।ଆଉ ଯେତେ ସବୁ ଘରୋଇ ସ୍କୁଲ,ସେଥିରୁ ୯୦% ଇଂରାଜୀ ମାଧ୍ୟମର, ଖୋଦ ସରକାର ତ ଆମ ରାଜ୍ୟରେ ଏତେ ସରକାରୀ ବିଦ୍ୟାଳୟ ଅଲୋଡା, ଅଖୋଜା ପଡିଥିବାବେଳେ ଆଦର୍ଶ ବିଦ୍ୟାଳୟ,ଏକଲବ୍ୟ ବିଦ୍ୟାଳୟ,ନବୋଦୟ ବିଦ୍ୟାଳୟ ନାମକ ଯେତେ ବିଦ୍ୟାଳୟ ଖୋଲିଲେ ସବୁ ଇଂରାଜୀ ମାଧ୍ୟମର । ସେଇ ପୁରୁଣା ସରକାରୀ ସ୍କୁଲ ଗୁଡିକ ଯେମିତି ଅନାଥ,ଏବେ ଅବଶ୍ୟ ସବୁ ପୁରୁଣା ସ୍କୁଲଗୁଡ଼ିକରେ ବହିରେ ନୂଆ ମଲାଟ ମଡାଯାଉଛି । ସ୍କୁଲ କଥା କ’ଣ କହିବା,କଲେଜ ଆଜିକାଲି ଛତୁ ଫୁଟିବା ଭଳି,ସେଥିରେ ପୁଣି ଯେତେ ସବୁ ସ୍କୁଲ ମାଟ୍ରିକ ପର୍ଯ୍ୟନ୍ତ ଥିଲେ ପ୍ଲସ ୨ ଖୋଲିସାରିଲେଣି । ଏମିତିକି ଡିଗ୍ରୀ କଲେଜ ଢେର,ଅଧିକନ୍ତୁ ବୈଷୟିକ କଲେଜ ମଧ୍ୟ ଯାହାକୁ ଯେତେ। ବର୍ତ୍ତମାନ ରାଜ୍ୟରେ ୧୨୪ଟି ଘରୋଇ ଓ ୩୨ଟି ସରକାରୀ ବୈଷୟିକ ମହାବିଦ୍ୟାଳୟ ଅଛି, ଧରନ୍ତୁ ପ୍ରତ୍ୟେକ କଲେଜରେ ସିଟଗୁଡିକ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇଯାଇଛି ।ଧରନ୍ତୁ ପ୍ରତ୍ୟେକ କଲେଜରେ ୪୦୦ ସିଟ୍ ହାରାହାରି ଅଛି,ତାହେଲେ ସମସ୍ତ କଲେଜର ମୋଟ ଛାତ୍ରସଂଖ୍ୟା ହେଲା ୬୨,୪୦୦
ସେଥିରୁ ଆଜିକାର ଅବସ୍ଥା ଦେଖିଲେ ବାର୍ଷିକ ୪୦,୦୦୦ ଇଞ୍ଜିନିୟର ତ ବାହାରିବେ, ମାତ୍ର ଏତେ ଇଞ୍ଜିନିୟରଙ୍କ ପାଇଁ ଓଡ଼ିଶାରେ ଚାକିରୀ ଅଛି କୋଉଠି ? ଏଥିରୁ ୮୦% ବାହାରର ଆଇଟି ହବ୍ ଥିବା ସ୍ଥାନକୁ ଯାଆନ୍ତି ଜୀବିକା ସନ୍ଧାନରେ,ଅତି ବେଶୀରେ ୧୦% ରାଜ୍ୟରେ ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ହୁଅନ୍ତି ବାଧ୍ୟ ହୋଇ,ବାକି କିଛି କପାଳରେ କର ମାରି ହା ହତାଶାରେ କାଳକାଟନ୍ତି । ତଥାପି ଏ ସମସ୍ତ, ବୈଷୟିକ,ସାଧାରଣ ଡିଗ୍ରୀ କଲେଜରେ କେତେଟାକୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶରେ ପାଠପଢ଼ାର ମାନ କିଛି ନାହିଁ କହିଲେ
ଚଳେ । ଅଭିଭାବକମାନଙ୍କଠାରୁ ଅଜସ୍ର ପଇସା ଲୁଟି କରୁଥିଲେ ମଧ୍ୟ କଲେଜ/ବିଦ୍ୟାଳୟ କର୍ତ୍ତୃପକ୍ଷ କହନ୍ତି ଏଠାରେ ସବୁ ମିଳିବ ଟଙ୍କା ବିନିମୟରେ ମାତ୍ର ପାଠ ନୁହେଁ,ଭଲ ପାଠ ପାଇଁ କୋଚିଂ ଅତ୍ୟାବଶ୍ୟକ,କାରଣ ଶିକ୍ଷକମାନେ କଲେଜ/ବିଦ୍ୟାଳୟରେ କମ୍ ଏବଂ କୋଚିଂ ସେଣ୍ଟରରେ ବେଶୀ ଶିକ୍ଷାଦାନ କରନ୍ତି କାରଣ ଚାକିରୀ ସ଼ହିତ କୋଚିଂ ସେଣ୍ଟର ଅଲଗା ଦରମା ଦେଇଥାଏ, ମୂଳ ଶିକ୍ଷାୟତନ ଚାକିରୀ କିଏ କ’ଣ ନେଇଯାଉଛି !
ପୂର୍ଵେ ଯୋଉ ଟିଉସନ ବ୍ୟବସ୍ଥା ଥିଲା ତାର ଆଧୁନିକ ରୂପ ହେଲା କୋଚିଂ ସେଣ୍ଟର। ମୋ ପିଲାବେଳେ ତ ଟିଉସନ ଶଦ୍ଦ ଇ ନଥିଲା, କୋଉ କୋଉ ସାର ସ୍ବତଃପ୍ରଵୃତ୍ତଭାବେ କହୁଥିଲେ କାହାର କ’ଣ ପାଠ ଅବୁଝା ରହିଲେ ଆସିବ ମୁଁ ବୁଝାଇ ଦେବି।ମାତ୍ର ଆଜିକାଲି
ପ୍ରତ୍ୟେକ ଗଳିକନ୍ଦିରେ କୋଚିଂ ସେଣ୍ଟର,କଲେଜ ଯେତେବେଳେ ଛତୁ ଫୁଟିଲାଣି କୋଚିଂ ସେଣ୍ଟର କଥା କାହିଁକି କହିବା ।ଆଉ ଏଇ କୋଚିଂ ସେଣ୍ଟର ସବୁରେ ଯେତେ ପ୍ରକାର ଅନୈତିକ କାରବାର ଅବାଧରେ ଚାଲିଛି ସରକାରଙ୍କ ନାକତଳେ,ସେଇ ଦଶ ରୂପୟେ ଅମଳରୁ । କୋଚିଂ ସେଣ୍ଟରର ଅପରାଧିକ କାର୍ଯ୍ୟକଳାପର ଏକ ନିଛକ ବାସ୍ତବତା ପ୍ରକାଣ ପାଇଛି ଏଇ ମାର୍ଚ୍ଚ ଅନ୍ତିମ ଭାଗରେ ଓଡ଼ିଶାର ବଲାଙ୍ଗୀର ସହରରେ । ବଲାଙ୍ଗୀର ସହରର ମିସନ ପଡିଆ ଆଗରେ ଥିବା ଜଣେ ପ୍ରତିଷ୍ଠିତ ଶିକ୍ଷକ ଶ୍ରୀ ମନୋଜ ମିଶ୍ରଙ୍କର କୋଚିଂ ସେଣ୍ଟର,”ରିଲାଏନ୍ସ ଏଜୁକେସନ ସେଣ୍ଟର”ହେଲା ଯେତେସବୁ ଅପରାଧିକ କାରବାରର ପେଣ୍ଠସ୍ଥଳୀ । ରିଲାଏନ୍ସ କୋଚିଂ ସେଣ୍ଟରର ମାଲିକ ମନୋଜ ମିଶ୍ର,ମୁଖ୍ୟ ସହଯୋଗୀ ଆଲୋକ ଉଦଗାତା,ସହଯୋଗୀ ବିନୀତ ବେହେରା (ଜେଲରେ ବିଚାରାଧୀନ କଏଦୀ) ଏମିତି ୩୦ ଉର୍ଦ୍ଧ୍ବ ଗିରଫ ହୋଇସାରିଲେଣି ଅଦ୍ୟାବଧି । ମନୋଜଙ୍କର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ସିଜ୍ କରାଯାଇଛି,କୋଚିଂ ସେଣ୍ଟରରୁ ୫,୦୦୦ରୁଉର୍ଦ୍ଧ୍ବ ନକଲି ସାର୍ଟିଫିକେଟ ଜବତ ହୋଇଛି,ପ୍ରିଣ୍ଟର,ସ୍କାନର,ହାର୍ଡଡିସ୍କ ଓ ଅନ୍ୟାନ୍ୟ ଆନୁସଙ୍ଗିକ ପଦାର୍ଥ ମଧ୍ୟ ଜବତ ହୋଇଛି ।ନକଲି ସାର୍ଟିଫିକେଟର ଚେର ଖୋଜିବା ନିମନ୍ତେ ରାଜ୍ୟ କ୍ରାଇମ ବ୍ରାଞ୍ଚ ୪ଟିଦଳ ଗଢ଼ି ଦେଶର କୋଣ ଅନୁକୋଣ ଏବଂ ବିଦେଶରେ ମଧ୍ୟ ଅନୁସନ୍ଧାନ କରିପାରେ ବୋଲି ଆଶା କରାଯାଉଛି । ସେଠାରେ ରାଜ୍ୟର ଏବଂ ଦେଶର ମଧ୍ୟ ଅନେକ ନାମୀଦାମୀ ଶିକ୍ଷା ଅନୁଷ୍ଠାନ ଓ ବିଶ୍ଵବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମର ସାର୍ଟିଫିକେଟ ପ୍ରସ୍ତୁତ କରାଯାଇପାରୁ- ଥିଲା ଏବଂ ସେସବୁକୁ ଚଢା ଧାମରେ ବିକ୍ରୀ କରି କୋଟି କୋଟି ଟଙ୍କା ଆଦାୟ ହୋଇ- ଥିବାର ଅନୁମାନ କରାଯାଏ,ଏହାର ମାଷ୍ଟର ମାଇଣ୍ଡ ଥିଲେ କମ୍ପ୍ୟୁଟର ଶିକ୍ଷକ ଆଲୋକ ଉଦଗାତା ।ମନୋଜ ଏଇ କଳାଧନ୍ଧାରୁ ରୋଜଗାର କରିଥିବା କୋଟି କୋଟି ଟଙ୍କାରେ ବଲାଙ୍ଗୀରରେ ଅନେକ ସ୍ଥାବର ସମ୍ପତ୍ତିର ଅଧିକାରୀ ହୋଇପାରିଛନ୍ତି ଯାହା ଏବେ ତଦନ୍ତ ପରିସରଭୁକ୍ତ।ବର୍ତ୍ତମାନ ପୋଲିସ ମନୋଜ ଓ ଆଲୋକଙ୍କ ପରେ ତାଙ୍କ ସ୍ତ୍ରୀମାନଙ୍କୁ ଜେରା କରିବାରେ ଲାଗିଛନ୍ତି ।ପୋଲିସ ରିଲାଏନ୍ସ ସେଣ୍ଟର ଚଢ଼ାଉ କରି ବିଭିନ୍ନ ଶିକ୍ଷାନୁଷ୍ଠାନର ଲେଟର ପ୍ୟାଡ୍,ସିଲ୍, ଅନେକ ସରକାରୀ ଉଚ୍ଚାଧିକାରୀଙ୍କ ଷ୍ଟାମ୍ପ ଜବତ କରିଛି, ଯାହାଦ୍ଵାରା ଇନକମ୍, ରେସିଡେନସିଆଲ ଓ ଜାତି ସାର୍ଟିଫିକେଟ ଆଦି ବିଭିନ୍ନ ପ୍ରମାଣପତ୍ରର ମଧ୍ୟ କାରବାର ଅବୈଧଭାବେ ଚାଲୁଥିଲା । ସାର୍ଟିଫିକେଟ ପିଛା ଟ୫୦,୦୦୦/-ଆରମ୍ଭ କରି ଟ୫,୦୦,୦୦୦ ପର୍ଯ୍ୟନ୍ତ ନିଆ ଯାଉଥିଲା,ଏହି କାରବାର ୨୦୧୬ ମସିହାରୁ ଚାଲିଥିଲା । ଏବେ ବଲାଙ୍ଗୀର ସହିତ କଳାହାଣ୍ଡି,ସୁନ୍ଦରଗଡ,ଫୁଲବାଣୀ,କୋରାପୁଟ,ସମ୍ବଲପୁର, ଗଞ୍ଜାମ,ଭଦ୍ରକ ଓ ଅନ୍ୟାନ୍ୟ ଅନେକ ଜିଲ୍ଲାରେ ଏ କାରବାରରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ପଦାକୁ ଆସିବାକୁ ଲାଗିଲେଣି ।
ନକଲି ସାର୍ଟିଫିକେଟ ବଳରେ ଡାକବିଭାଗରେ, ଗ୍ରାମସେବକ, ଶିକ୍ଷକଭାଵେ କିଏ କିଏ ଚାକିରୀ ପାଇଥିବା ସନ୍ଦେହ କରାଯାଉଛି,ଫଳରେ ଉପଯୁକ୍ତ ପ୍ରାର୍ଥୀ ଚାକିରୀରୁ ବଞ୍ଚିତ ହୋଇ ଏଇଭଳି ନକଲି ସାର୍ଟିଫିକେଟଧାରୀ ଚାକିରୀ ପାଇଛନ୍ତି,ଏହା କେତେ ସାଂଘାତିକ କହିଲେ ! ଗତ ୨୦୨୩ ମାର୍ଚ୍ଚ ୧୭ ତାରିଖରେ ବଲାଙ୍ଗୀର ମୁଖ୍ୟ ଡାକଘରେ କେତେକ ତୃତୀୟ ଓ ଚତୁର୍ଥ ଶ୍ରେଣୀ ଚାକିରୀସକାଶେ ସାର୍ଟିଫିକେଟ ଯାଞ୍ଚବେଳେ ଏଇଭଳି ନକଲି ସାର୍ଟିଫିକେଟ ଜରିଆରେ ଚାକିରୀ ପାଇଥିବା ୪ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ସନ୍ଦେହ ଆସିବାରୁ ବଲାଙ୍ଗୀର ଡାକ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ପୋଲିସରେ ମାମଲା ଦାଏର କଲାପରେ ପୋଲିସ ତନାଘନା କରି ଖୋଳତାଡ଼ ଚଳାଇଛି ।ସେଥିରୁ ଜଣକର ସାର୍ଟିଫିକେଟ ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦର ଯୋଉଥିରେ ଓଡ଼ିଆ ଏକ ବିଷୟ ଥିଲା ସମ୍ପୃକ୍ତ ପରୀକ୍ଷାର,ପୁଣି ସାହିତ୍ୟରେ ପରୀକ୍ଷାର୍ଥୀ ୯୯% ନମ୍ବର ରଖି- ଥିଲେ ଯାହା ଅସମ୍ଭବଭଳି ପ୍ରତୀୟମାନ ହେଉଥିଲା । ମାତ୍ର ପରୀକ୍ଷାର୍ଥୀ ତାଙ୍କ ସାହିତ୍ୟ ସାରଙ୍କ ନାଁ ଓ ବହିର ନାଁ ମଧ୍ୟ କହିପାରିଲେ ନାହିଁ,ଯାହା ସନ୍ଦେହକୁ ଦ୍ଵିଗୁଣିତ କରିଥିଲା, ଯାହାର ତଦନ୍ତ ନିମନ୍ତେ କ୍ରାଇମ ବ୍ରାଞ୍ଚ ଟିମ୍ ଉତ୍ତରପ୍ରଦେଶ ଗସ୍ତ କରିଛି । କହିଲେ ଦେଖି ଉତ୍ତର ପ୍ରଦେଶ ଭଳି ହିନ୍ଦୀ ଭାଷୀ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷାରେ ଓଡ଼ିଆ ସାହିତ୍ୟ ରୂପକ ବିଷୟ ଓ ସେଥିରେ ୯୯% ନମ୍ବର,ଯାହା ଶ୍ରେଷ୍ଠ ଛାତ୍ରଙ୍କ ପକ୍ଷେ ମଧ୍ୟ ସମ୍ଭବ ନୁହେଁ,ଏହାତ ଯାହାର ମନ ତା’ର ସନ୍ଦେହ ଉଦ୍ରେକ କରାଇବ !

ରାଜ୍ୟରେ ଅତ୍ୟନ୍ତ ମେଧାବୀଛାତ୍ର ମଧ୍ୟ ଯେତେବେଳେ ଉପଯୁକ୍ତ କର୍ମସଂସ୍ଥାନରୁ ବଞ୍ଚିତସେତେବେଳେ କିଛି ଅଯୋଗ୍ୟ ଛାତ୍ର ପଇସା/କଳା, କୁଶଳତା ବଳରେ ଟଙ୍କା ବିନିମୟରେ ନକଲି ପ୍ରମାଣ ପତ୍ର ଦେଇ ଭଲଚାକିରୀ ମାଡିବସିବା ଇଏ କି ପ୍ରକାର କଥା,ତେଣୁ ନେ ଏଥର ସମ୍ଭାଳ ! କ୍ରାଇମ ବ୍ରାଞ୍ଚ ଅଧୁନା ମନୋଜ,ଆଲୋକ,ତ୍ରିବିହାରୀ ପଣ୍ଡା,ପରେଶ ବୁଡେକ୍ (ଉଭୟେ ଜିଡିଏସ୍-ଗ୍ରାମୀଣ ଡାକ ସେବକ ନିମନ୍ତେ ଦରଖାସ୍ତ କରିଥିଲେ)ଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଥିଲେ ପଚରାଉଚୁରା ସକାଶେ । ଶେଷୋକ୍ତ ଦୁଇଜଣ ଏ କାରବାରର
ଅନେକ ଭିତିରି କଥା ଓଗାଳିଛନ୍ତି ପୋଲିସ ସମ୍ମୁଖରେ ।ସ୍ବାସ୍ଥ୍ୟ ବିଭାଗରେ ମଧ୍ୟ ନକଲି ସାର୍ଟିଫିକେଟ ବଳରେ ଚାକିରୀ କରିଥିବା ଅନେକ ଅଭିଯୋଗ ଆସିଲାଣି,ଶିକ୍ଷାବିଭାଗରେ ନକଲି ଶିକ୍ଷକ ନିଯୁକ୍ତି ଘଟଣାରେ ହଇଚଇ ଖେଳି ଯାଇଛି,ଏ ଘଟଣା ପରଠୁ ୩୦୦ ଜଣ ନକଲି ଶିକ୍ଷକ ନିଯୁକ୍ତି ଖବର ଆସିଲାଣି,ଅତିଶୀଘ୍ର ଏ ସମ୍ବନ୍ଧରେ ଏକ ବିସ୍ତୃତ ବିବରଣୀ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଶିକ୍ଷା ନିର୍ଦ୍ଦେଶକ ଆଦେଶ ଜାରି କରିଛନ୍ତି ।”ବହୁବର୍ଷ ହେଲା ଏପ୍ରକାର ନକଲି ସାର୍ଟିଫିକେଟ କାରବାର ବଲାଙ୍ଗୀର ଓ ରାଜ୍ୟର ଅନ୍ୟତ୍ର କାର୍ଯ୍ୟ
କରିଆସୁଛି, ଅନେକ ଅଯୋଗ୍ୟ ପ୍ରାର୍ଥୀ ଏହା ମାଧ୍ୟମରେ ଚାକିରୀ ପାଇଛନ୍ତି”, ବଲାଙ୍ଗୀର ଏସପି ନୀତିନ କୁଶଳକର ।ଏସପିଙ୍କର ଏହି ବୟାନପରେ ନକଲି ସାର୍ଟିଫିକେଟଦ୍ଵାରା ଚାକିରୀ ହାସଲ କରିଥିବା ଚାକିରୀଆଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ୧୦୦ରୁ
ଅଧିକ ଶିକ୍ଷକ ଦୀର୍ଘ ଦିନ ହେବ ସ୍କୁଲ ଆସୁନାହାନ୍ତି,ସେମାନଙ୍କ ଠିକଣା ଖୋଜିଲେ ମଧ୍ୟ ମିଳୁନାହିଁ,ସେମାନଙ୍କ ମୋବାଇଲ ସ୍ବିଚ୍ ଅଫ୍,ପୋଲିସ ମଧ୍ୟ ଟ୍ରାକିଙ୍ଗ୍ କରିପାରୁନାହିଁ । ଉପା ଓ ଏନଡିଏ ସରକାରଙ୍କର କ୍ରାଇସିସ ମ୍ୟାନେଜର ଭଳି ମନୋଜ ମିଶ୍ରଙ୍କର ମଧ୍ୟ ଏକ ଚମତ୍କାର ଡ୍ୟାମେଜ୍ କଣ୍ଟ୍ରୋଲ ସିଷ୍ଟମ କାର୍ଯ୍ୟ କରୁଥିଲା । ନକଲି ସାର୍ଟିଫିକେଟ ମାଧ୍ୟମରେ ଚାକିରୀ କରିଥିବା କୌଣସି ପ୍ରାର୍ଥୀଙ୍କର ସାର୍ଟିଫିକେଟ ଯାଞ୍ଚ ନିମନ୍ତେ ରାଜ୍ୟ ଭିତରେ କିମ୍ବା ରାଜ୍ୟ ବାହାରକୁ ସମ୍ପୃକ୍ତ ସଂସ୍ଥାକୁ ଭେରିଫିକେସନ ପାଇଁ ଗଲେ ସେଠାରେ ମନୋଜଙ୍କ
ସମ୍ପର୍କରେ ଥିବା କିଛି କର୍ମଚାରୀ ତାକୁ ମନୋଜଙ୍କ ପାଖକୁ ପୁନଃ ପ୍ରେରଣ କରୁଥିଲେଏବଂ ମନୋଜଙ୍କ ସୁପାରିଶ ବା ନିର୍ଦ୍ଦେଶମତେ ତାହା ସେଇ କାର୍ଯ୍ୟାଳୟକୁ “ଭେରିଫାଏଡ୍ ଏଣ୍ଡ ଫାଉଣ୍ଡ ଭାଲିଡ୍” ବୋଲି ଲେଖି ଫେରସ୍ତ ଆସୁଥିଲା,ଏଇଥିରୁ ଅନୁମାନ କରନ୍ତୁ ନେଟୱର୍କ
କିପରି ମଜବୁତ୍ !
ନକଲି ସାର୍ଟିଫିକେଟ କାରବାର ମାଡ଼ି ମାଡ଼ି ଚାଲିବାର କାରଣ ଏଦିଗରେ ପୋଲିସର ଖାମଖିଆଲି ମନୋଭାବ,୨୦୧୯ରୁ କେନ୍ଦ୍ର ସରକାର”ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ,ବିହାର ତେଲେଙ୍ଗାନା,ସିକିମ୍, କର୍ଣ୍ଣାଟକ ଆଦି ରାଜ୍ୟରୁ ନକଲି ସାର୍ଟିଫିକେଟ ଆଣିଥିବା ଅନେକ ପ୍ରାର୍ଥୀ ଚାକିରୀ ଆଶାରେ ଘୁରି ବୁଲୁଛନ୍ତି ଓ ରାଜ୍ୟ ସରକାରମାନଙ୍କ ସ୍ବୀକୃତି ପାଇନଥିବା ଅନେକ ସଂସ୍ଥା ନକଲି ସାର୍ଟିଫିକେଟ ପ୍ରଦାନ କରୁଛନ୍ତି”,ବୋଲିସତର୍କ କରାଇଥିଲେ ମଧ୍ୟ ପ୍ରଶାସନ/ପୋଲିସ ସମସ୍ତେ ନଜର ଅନ୍ଦାଜ କରିଥିଲେ ।ତା’ପରେ ନକଲି ଚାକିରୀଆ ଧରାପଡିଲେ ମଧ୍ୟ କେବଳ ବହିଷ୍କୃତରେ କାମ ସରିଯାଉଛି ଅଧିକ କିଛି କାର୍ଯ୍ୟାନୁଷ୍ଠାନ ନାହିଁ,ତେଣୁ ସେମାନେ ଡରିବେ କାହିଁକି ?
ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହିତ ଉଠାଇଥିବା ଫଟୋକୁ ଦେଖାଇ ବିରୋଧିଦଳ ସରକାରୀଦଳର ମନ୍ତ୍ରୀ,ନେତାମାନଙ୍କ ବିରୁଦ୍ଧରେ ଏବଂ ସରକାରୀ ଦଳ ମଧ୍ୟ ବିରୋଧୀଙ୍କ ଫଟୋ ଦେଖାଇ ବିରୋଧିଦଳଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି,ରାଜନୀତି ପୁରା ଜୋର।
ଏମଧ୍ୟରେ ଏ ଘଟଣାରେ ବିଭିନ୍ନ ରାଜ୍ୟର ସମ୍ପୃକ୍ତିକୁ ଦେଖି ଓଡ଼ିଶାର ମହାଡାକପାଳ ଏହାର ସିବିଆଇ ତଦନ୍ତ ନିମନ୍ତେ ଲେଖିଛନ୍ତି ଓ ସମସ୍ତ ପୋଷ୍ଟମାଷ୍ଟର ଓ ସବପୋଷ୍ଟମାଷ୍ଟରମାନଙ୍କ ସାର୍ଟିଫିକେଟ ଯାଞ୍ଚ ନିମନ୍ତେ ସମସ୍ତ ଡାକପାଳମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।କହନ୍ତିନି, ମୋର ସିନା ନାହିଁ, ମୋ ଆନ୍ନାର ଏଡେ ଏଡେ ନିଶ !ନକଲି ସାର୍ଟିଫିକେଟଧାରୀଙ୍କ ଅବସ୍ଥା ସେଇଆ।ମାତ୍ର ଏପରି ଘଟଣାର ଅବସାନ ହେଉନାହିଁ ତ ଦିନକୁ ଦିନ କାୟା ବିସ୍ତାର କରି- ବାରେ ଲାଗିଛି,ଯେମିତି ଅଧର୍ମ ବିତ୍ତ,ବଢେ ଵହୁତ ଗଲାବେଳେ ଯାଏ ମୂଳ ସହିତ।
ମୋ : ୯୦୯୦୧ ୯୦୦୬୯

nis-ad
Leave A Reply

Your email address will not be published.