ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ ଶିଳ୍ପାଞ୍ଚଳ, ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି

ସୁନ୍ଦରଗଡ଼ //ରାଉରକେଲା: ରାଉରକେଲା, କଲୁଙ୍ଗା ପରେ କୁଆରମୁଣ୍ଡା ରିଉଁରେ ପ୍ରତିଷ୍ଠା ହେବାକୁ ଯାଉଛି ଆଉ ଏକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାଞ୍ଚଳ। ୧୩୨ ଏକର ଜାଗାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଶିଳ୍ପାଞ୍ଚଳ ଯୁବ ଶିଳ୍ପୋଦ୍ୟୋଗୀଙ୍କୁ ସୁଯୋଗ ମିଳିବ। ଏଥିସହ ସ୍ଥାନୀୟ ଶିଳ୍ପତାଲିମ ପାଇଥିବା ବେକାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ମିଳିବ। କେବଳ ସୁନ୍ଦରଗଡ଼ ଜିଲ୍ଲା ନୁହେଁ ଏହାର ଆଖପାଖ ଅଞ୍ଚଳବାସୀଙ୍କ ଆର୍ଥିକ ବିକାଶ ହେବ। ଜିଲ୍ଲାର ପାଖାପାଖି ୫୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୧୩୨ ଏକର ଜାରି ରହିଥିବା ପାଚେରୀ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟାନ୍ୟ କାର୍ଯ୍ୟ ଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାଉରକେଲା ଇଡ଼କୋ ଡିଭିଜନ କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଉପସ୍ଥିତ ଥିଲେ ଇଡ଼କୋର ସିଜିଏମ୍‌ ସୁବାଶ ଚନ୍ଦ୍ର ନାଥ ଶର୍ମା, ରାଉରକେଲା ଇଡ଼କୋ ଡିଭିଜନର ମୁଖ୍ୟ ବିଜୟ କୁମାର ମହାନ୍ତି ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ଶିଳ୍ପାଞ୍ଚଳର ଆନୁଷଙ୍ଗିକ ବ୍ୟବସ୍ଥା, ପାଣି ଯୋଗାଣ, ଆଲୋକୀକରଣ,ଡ୍ରେନେଜ ବ୍ୟବସ୍ଥା ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ୧ ବର୍ଷ ମଧ୍ୟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ନିଆଯାଇଛି। ସେମିତି ମାଲ ପରିବହନ ପାଇଁ ପ୍ରସସ୍ଥ ନୂତନରାସ୍ତା ନିର୍ମାଣ କରାଯିବାକୁ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି।

ଏଥିସହ କଲୁଙ୍ଗା ଶିଳ୍ପାଞ୍ଚଳର ରାସ୍ତା, ଆଲୋକ ବ୍ୟବସ୍ଥା, ନାଳ ଏପରିକି ରାସ୍ତାରେ ବସିଥିବା ଛୋଟ ଛୋଟ ବ୍ୟବସାୟୀମାନଙ୍କ ପାଇଁ ନୂଆ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ସ୍ଥିର ହୋଇଛି। ରେଲୱେ ଲାଇନ ଉପରେ ତିଆରି ହେଉଥିବା ପୋଲ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥ ସରକାରଙ୍କ ତରଫରୁ ଯୋଗାଇ ଦେବାକୁ ସିଜିଏମ୍‌ କହିଥିଲେ। ବିଧାୟକ ଶ୍ରୀ ନାୟକ ନୂତନ ଶିଳ୍ପାଞ୍ଚଳ ପାଇଁ ସମସ୍ତ ସହଯ‌ୋଗ କରିବାକୁ ଇଡ଼୍‌କୋ ଅଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସିଜିଏମ୍‌ ଶ୍ରୀ ଶର୍ମା ଇଡ଼କୋ ଦ୍ବାରା ଆବଣ୍ଟନ କରାଯାଇଥିବା ଜାଗା, କିଛି ଶିଳ୍ପ ଉଦ୍ୟୋଗୀ ଆଜିଯାଏ କିଛି କରିନାହାନ୍ତି, କିଛି ଶିଳ୍ପ ଉଦ୍ୟୋଗୀ ଜାଗା ନେଇ ବିକ୍ରି କରି ପୁନର୍ବାର ଜାଗା ନେଉଛନ୍ତି। କିଛି ଶିଳ୍ପପତି ନିଜ ଶିଳ୍ପକୁ ଭଡା ଆକାରରେ ଲଗାଇ ଅର୍ଥ ଉପାର୍ଜନ କରୁଛନ୍ତି। ଏମାନଙ୍କ ବିରୋଧରେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଜିଏମ୍‌ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୁଆରମୁଣ୍ଡାରେ ପ୍ରତିଷ୍ଠା ହେଉଥିବା ନୂଆ ଶିଳ୍ପାଞ୍ଚଳ କେବେ କାର୍ଯ୍ୟକ୍ଷମ ହେଉଛି, ତା’ ଉପରେ ଜିଲ୍ଲାବାସୀଙ୍କ ନଜର ରହିଛି।

nis-ad
Leave A Reply

Your email address will not be published.