ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ କହିଲେ ଆମେ ନିର୍ବାଚିତ ପ୍ରତିନିଧିମାନେ ଲୋକମାନଙ୍କର ସେବା କରିବା ପାଇଁ ସେମାନଙ୍କ ଦ୍ଵାରା ନିର୍ବାଚିତ ହୋଇଛୁ । ସ୍ବର୍ଗତ ବିଜୁ ପଟ୍ଟନାୟକ ଲୋକମାନଙ୍କର ସେବା କରିବାକୁ ଅଧିକ ଗୁରୁତ୍ବ ଦେଇଥିଲେ। ତେଣୁ ସେହି ପ୍ରବାଦ ପୁରୁଷଙ୍କର ଜନ୍ମ ଦିବସକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ରୂପେ ନାମିତ କରିବାର ଯଥାର୍ଥତା ରହିଛି ବୋଲି ସେ କହିଥିଲେ। ସେହିପରି ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଆଜିର ଦିବସରେ ଗ୍ରାମ ପଞ୍ଚାୟତ ଗୁଡ଼ିକ ଯେଉଁ ୯ ସୂତ୍ରୀ କାର୍ଯ୍ୟକ୍ରମକୁ ଆଧାର କରି ପୁରସ୍କୃତ ହୋଇଥିଲେ ସେଗୁଡ଼ିକ ଉପରେ ସମ୍ୟକ ଧାରଣା ଦେବା ସହିତ ସ୍ବର୍ଗତ ପଟ୍ଟନାୟକଙ୍କର ଜୀବନୀ ତଥା କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେଇଥିଲେ । ତାଙ୍କ ସମୟରେ ସରପଞ୍ଚମାନଙ୍କୁ ଦିଆଯାଇଥିବା କ୍ଷମତା ଗୁଡ଼ିକ ଉପରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ। ସରକାରଙ୍କ ଯୋଜନା ଗୁଡ଼ିକୁ ଜାଣିଲେହିଁ ଜନ ପ୍ରତିନିଧିମାନେ ଜିଣିପାରିବେ ବୋଲି ମାନ୍ୟବର ବିଧାୟକ କହଁର କହିଥିଲେ। କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ କହିଲେ, ଓଡ଼ିଶାର ଗର୍ବ ଓ ଗୌରବ, ମହାନ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କର ଜନ୍ମ ଦିବସ ପାଳନ ଅବସରରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆମେ ଆଜି ସଂକଳ୍ପ ନେବା।

ସେହିପରି ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍କା, ଫୁଲବାଣୀ ଶ୍ରୀ ନରେଶ ଚନ୍ଦ୍ର ଶବର କହିଲେ ସରକାରଙ୍କର ଆଭିମୁଖ୍ୟ ହେଲା ଲୋକମାନଙ୍କର ସେବା । ତେଣୁ, ପ୍ରତ୍ୟେକ ଜନ ପ୍ରତିନି ଏବଂ ସରକାରୀ ଅଧିକାରୀ ନିଜ ନିଜ ପରିସର ମଧ୍ୟରେ ରହି ଲୋକମାନଙ୍କୁ ସେବା ଯୋଗାଇଦେବାକୁ ସେ ଅନୁରୋଧ କରିଥିଲେ। ପାୱାର ପଏଣ୍ଟ ମାଧ୍ୟମରେ ବିଭାଗୀୟ ଅଧିକାରୀମାନେ ଏମ୍.ଜି.ଏନ୍.ଆର୍.ଇ.ଜି.ଏସ୍., ଗ୍ରାମୀଣ ଗୃହ ନିର୍ମାଣ, ଓଡ଼ିଶା ଜୀବିକା ମିଶନ, ସ୍ଵଚ୍ଛ ଭାରତମିଶନ, ଦକ୍ଷତା ବିକାଶ ଉପରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମର ତଥ୍ୟ ପ୍ରଦାନ କରିଥିଲେ । ୯ ସୂତ୍ରୀ କାର୍ଯ୍ୟକ୍ରମ ଆଧାରରେ ପ୍ରତ୍ୟେକ ଜିଲ୍ଲା ପରି କନ୍ଧମାଳ ଜିଲ୍ଲାର ୩ ଗୋଟି ସର୍ବଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ଯଥା କେ. ନୂଆଗାଁ ବ୍ଲକର କଞ୍ଜମେଣ୍ଡି, ରାଇକିଆ ବ୍ଲକର ଗୁମାମାହା, ଖଜୁରୀପଡ଼ା ବ୍ଲକର ରଣପାଟୁଳି ନୂଆଗାଁ ଗ୍ରାମ ପଞ୍ଚାୟତ ଯଥାକ୍ରମେ ବ୍ୟାଙ୍କ-୧, ୨,ଓ ୩ ରେ ରହି ଯଥାକ୍ରମେ ୩ ଲକ୍ଷ, ୨ ଲକ୍ଷ ଓ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇଥିଲେ। ସେହିପରି ପର୍ଯ୍ୟାୟ ଜଳ ଉପଲବ୍ଧ ଆଧାରରେ ରାଇକିଆ ବ୍ଲକର ଗୁମାମାହା ଗ୍ରାମ ପଞ୍ଚାୟତ, ସ୍ଵଚ୍ଛଓ ସବୁଜ ଗ୍ରାମ ପଞ୍ଚାୟତ ଆଧାରରେ ଦାରିଙ୍ଗବାଡ଼ି ବ୍ଲକର ବୁଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ, ଭିତ୍ତିଭୂମୀ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଗ୍ରାମ ପଞ୍ଚାୟତ ଆଧାରରେ କେ. ନୂଆଗାଁ ବ୍ଲକର କଞ୍ଜମେଣ୍ଡି ଗ୍ରାମ ପଞ୍ଚାୟତ, ସୁସ୍ଥ ଗ୍ରାମ ପଞ୍ଚାୟତ ଆଧାରରେ ରାଇକିଆ ବ୍ଲକର ସୁଗୁଡ଼ାବାଡ଼ି ଗ୍ରାମ ପଞ୍ଚାୟତ,ଦାରିଦ୍ର୍ୟ ମୁକ୍ତ ଓ ଉନ୍ନତ ଜୀବନ ଜୀବିକା ଆଧାରରେ ରାଇକିଆ ବ୍ଲକର ବେରେଡ଼ାକିଆ ଗ୍ରାମ ପଞ୍ଚାୟତ, ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ଆଧାରରେ ଫୁଲବାଣୀ ବ୍ଲକର କଟ୍ରିଙ୍ଗିଆ ଗ୍ରାମ ପଞ୍ଚାୟତ,ସାମାଜିକ ଭାବେ ସୁରକ୍ଷିତ ଗ୍ରାମ ପଞ୍ଚାୟତ ଆଧାରରେ ରାଇକିଆ ବ୍ଲକର ଗୁମାମାହା ଗ୍ରାମ ପଞ୍ଚାୟତ,ସୁଶାସନ ଥିବା ଗ୍ରାମ ପଞ୍ଚାୟତ ଆଧାରରେ ଫୁଲବାଣୀ ବ୍ଳକର ତୁଡ଼ିପାଜୁ ଗ୍ରାମ ପଞ୍ଚାୟତ, ଏବଂ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ଆଧାରରେ ରାଇକିଆ ବ୍ଲକର ଗୁମାମାହା ଗ୍ରାମ ପଞ୍ଚାୟତ ପ୍ରତ୍ୟେକକୁ ୧ ଲକ୍ଷ ଟଙ୍କା ଲେଖାଏ ପୁରସ୍କୃତ ରାଶି ପ୍ରଦାନ କରାଯାଇଥିଲା। ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ(ଆଡ୍‌ମିନି), ଜିଲ୍ଲା ପରିଷଦ, କନ୍ଧମାଳ ହର ପ୍ରସାଦ ଭୋଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଓ.ଏଲ୍.ଏମ୍., କନ୍ଧମାଳର ଡି.ପି.ଏମ୍. ସନ୍ତୋଷ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ଉକ୍ତ ବୈଠକରେ ପୁରସ୍କୃତ ହୋଇଥିବା ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସରକାରୀ ଅଧିକାରୀ,ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ, ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.