ବିଜ୍ଞାନ ଲୋକାଭିମୁଖୀ ହେବା ଆବଶ୍ୟକ…

ହରିହର ତ୍ରିପାଠୀ

ବିଜ୍ଞାନ ଏକ ବିଦ୍ୟା ନୁହେଁ ବରଂ ଏକ ଧାରା, ଏକ ମାର୍ଗ । ବିଜ୍ଞାନକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଜାତୀୟ ବିଜ୍ଞାନ ଦିବସ ପାଳନ ଅନ୍ୟତମ । ଭାରତର ବିଶିଷ୍ଟ ବୈଜ୍ଞାନିକ ତଥା ନୋବେଲ ପୁରସ୍କାର ବିଜେତା ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କର ବିଜ୍ଞାନପ୍ରତି ଅବଦାନକୁ ସ୍ମରଣ କରି ସବୁବର୍ଷ ଫେବୃଆରୀ ୨୮ ତାରିଖ ଦିନ ପାଳିତ ହୋଇଥାଏ ଜାତୀୟ ବିଜ୍ଞାନ ଦିବସ । ୧୯୨୮ ମସିହାରେ ଏହି ଦିନ ରମଣ ତାଙ୍କର ସର୍ବଶ୍ରେଷ୍ଠ ଆବିଷ୍କାର ରମନ ଇଫେକ୍ଟ ପ୍ରକାଶ କରି ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲେ । ସେଥିପାଇଁ ତାଙ୍କୁ ନୋବେଲ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା ଓ ସେଥିଲେ ଭାରତର ପ୍ରଥମ ନୋବେଲ ବିଜେତା ବିଜ୍ଞାନୀ । ତେବେ ବିଜ୍ଞାନ ଲୋକପ୍ରିୟ ହେବା ଆବଶ୍ୟକ ନା ଲୋକାଭିମୁଖୀ ହେବା ଦରକାର ତାହାହିଁ ସବୁଠାରୁ ବଡ ପ୍ରଶ୍ନ ।
ମଣିଷର ଜୀବନଯାତ୍ରାକୁ ସରଳ କରିପାରିଛି ବିଜ୍ଞାନ । ବିଜ୍ଞାନର ସବୁପ୍ରକାର ନୂତନ ଉଦ୍ଭାବନ, ଆବିଷ୍କାର ମଣିଷର କଲ୍ୟାଣ ଲାଗି ଉଦ୍ଦିଷ୍ଟ ହୋଇଥିବା ବେଳେ ସେହି ମଣିଷହିଁ ଏହାର ଦୁରୂପଯୋଗ କରିଚାଲିଛି । ବିଜ୍ଞାନ ଆଦୌ ନୂଆ ନୁହେଁ ବା କିଛି ନୂଆକଥା କୁହେନା ବରଂ କୁହାଯାଇପାରେ ଏହା ମଣିଷକୁ ସୃଷ୍ଟିରେ ଲୁକ୍କାୟିତ ଅନେକ ସତ୍ୟର ସନ୍ଧାନ ଦେଇଥାଏ । ତେବେ ମଣିଷ କେତେ ପରିମାଣରେ ସେ ସତ୍ୟକୁ ମାନେ, ସେ ସତ୍ୟର ଅନୁକରଣ କରେ ? ବୋଧହୁଏ ଆଦୌ ନୁହେଁ । ବିଜ୍ଞାନର ବାର୍ତ୍ତା ଗୋଟିଏ ଦିଗରେ ତ, ମଣିଷର ଗତି ତାର ନିଜସ୍ୱ ଦିଗରେ । ଆଧୁନିକ ଚିକିତ୍ସା ବିଜ୍ଞାନ ମଣିଷର ଆୟୁ ଦ୍ୱିଗୁଣିତ କରିବାର କ୍ଷମତା ପ୍ରଦାନ କରିଛି, ତେବେ ମଣିଷ ନିଜେ ନିଜ ହାତରେ ନିଜେ ପ୍ରକୃତିକୁ ଧ୍ୱଂସ କରି ଯାବତୀୟ ରୋଗକୁ ଆମନ୍ତ୍ରଣ କରୁଛି ଓ ଆୟୁସତ୍ତ୍ୱେ ଅକାଳ ମୃତ୍ୟୁକୁ ଆହ୍ୱାନ କରୁଛି । ଚନ୍ଦ୍ରରେ ପାଦ ଦେଇ ବି ମଣିଷ ମନରୁ ଅମୂଳକ ବିଶ୍ୱାସ ଯାଉନାହିଁ । ସବୁ ପ୍ରକାରର ଅତ୍ୟାଧୁନିକ ଚିକିତ୍ସା ହାତରେ ଉପଲବ୍ଧ ଥାଇବି ସହଜ ଓ ସରଳ ଉପାୟରେ ରାତରାତି ଆରୋଗ୍ୟ କାମନରେ ସେ ଯାବତୀୟ ଅବୈଜ୍ଞାନିକ କାର୍ଯ୍ୟ କରୁଛି । ଝଡାଫୁଙ୍କା, ବାବାମାତା, ଗୁଣିଆ ଇତ୍ୟାଦି ଏବେ ବି ସମାଜରେ ନିଜର ଆଧିପତ୍ୟ ଜାହିର କରୁଛନ୍ତି । ପ୍ରକୃତିର ନିୟମକୁ ବୁଝିବା ଲାଗି ବୈଜ୍ଞାନିକମାନେ ଯୁଗଯୁଗଧରି ଚେଷ୍ଟା କରି ଆସୁଛନ୍ତି ଓ ସେମାନଙ୍କର ଅମୂଲ୍ୟ ଉପଲବ୍ଧିକୁ ମଣିଷ ସମାଜକୁ ଭେଟି ଦେଇଛନ୍ତି ହେଲେ ମଣିଷ କେବଳ ନିଜର ଭୋଗ ଲାଗି ଆବଶ୍ୟକ ସହାୟତା ବ୍ୟତୀତ ବିଜ୍ଞାନର ଆଉ କୌଣସି ଦିଗ ଉପରେ ଭରସା କରିପାରୁନି । ଏଭଳି ସ୍ଥିତିରେ ଆମେ କହିପାରିବା କି ବିଜ୍ଞାନ ଲୋକାଭିମୁଖୀ ??
ସବୁ ପ୍ରକାର ପ୍ରୟାସ ସତ୍ତ୍ୱେ ବିଜ୍ଞାନ ସାଧାରଣ ଲୋକଙ୍କ ଜୀବନ ଭିତରକୁ ପ୍ରବେଶ କରିପାରିନି । ଚିକିତ୍ସା ବିଜ୍ଞାନ କଥା ଦେଖାଯାଉ । ଆଧୁନିକ ମଣିଷର ସବୁପ୍ରକାର ବ୍ୟାଧିର ନିରାକରଣ ବିଜ୍ଞାନ କରିପାରିବାର କ୍ଷମତା ରଖିଛି ହେଲେ ଏହା ସମାଜର ତଳସ୍ତରରେ ବାସ କରୁଥିବା ଲୋକଟି ଲାଗି କେତେ ଉପଯୋଗୀ ହୋଇଛି ?? କ୍ୟାନ୍‌ସର, ଏଡ୍‌ସ, ହାର୍ଟ ଅପରେସନ୍‌, ଅଙ୍ଗ ପ୍ରତିରୋପରଣ ପରି ଜଟିଳ ଚିକିତ୍ସାରେ ବିଜ୍ଞାନ ଦେଖାଉଥିବା ଚମତ୍‌କାରିତା କେବଳ ଧନୀକ ବର୍ଗଙ୍କ ଭିତରେ ସୀମିତ । ସାଧାରଣ ଗରିବଲୋକଟି ଲାଗି ବିଜ୍ଞାନର ଏସବୁ ସଫଳତାର କୌଣସି ଅର୍ଥ ନାହିଁ । କୃଷିକ୍ଷେତ୍ରରେ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବିଜ୍ଞାନ ଯଥେଷ୍ଟ ଉନ୍ନତି କରିଛି । ତେବେ ଏହାର ସୁଫଳ ନେଉଛନ୍ତି ବଡ ବଡ କମ୍ପାନୀ । ବିଚରା କୃଷକ ଏବେ ବି ତାର କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରି କରୁଛି ଓ ଦାରିଦ୍ର‌୍ୟରୁ ତାର ମୁକ୍ତି ନାହିଁ । ତେବେ ବିଜ୍ଞାନର କେଉଁ ସୁଫଳ ବା ସେ ପାଉଛି ??
ବିଜ୍ଞାନକୁ ଲୋକାଭିମୁଖୀ କରିବାରେ ବୈଜ୍ଞାନିକମାନଙ୍କର ଯେତେ ଭୂମିକା ନାହିଁ ତତୋଧିକ ଭୂମିକା ରହିଛି ଶାସନକଳର, ଓ ଆମର ବ୍ୟବସ୍ଥାର । ବୈଜ୍ଞାନିକଟିଏ ଗବେଷଣାଗାର ଭିତରେ ରହି ତାର ପରୀକ୍ଷାକରେ, ନୂଆ କଥାଟିଏ ବାହାର କରିବା ଲାଗି ତାର ଜୀବନ ଉତ୍ସର୍ଗ କରିଦିଏ । ତେବେ ତାର ଉଦ୍‌ଭାବନ ବା ଆବିଷ୍କାରକୁ ଲୋକଙ୍କ ନିକଟରେ ନେଇ ପହଞ୍ଚାଇବା ତଥା ଲୋକଙ୍କୁ ସେଥିରୁ ସୁଫଳ ପ୍ରଦାନ କରିବାର ଦାୟିତ୍ୱ ହେଉଛି ସରକାରଙ୍କର ବା ସମାଜରକ୍ଷକମାନଙ୍କର । ଦୁର୍ଭାଗ୍ୟ ଏହି ଦାୟିତ୍ୱ ନିର୍ବାହ ହୋଇ ପାରେନା ବା ଏହା କରିବା ଲାଗି ଇଚ୍ଛାଶକ୍ତିର ଘୋର ଅଭାବ ଦେଖାଦିଏ । ଫଳରେ ଜଣେ ବୈଜ୍ଞାନିକଙ୍କର ଜୀବନବ୍ୟାପୀ ସାଧନା ଅନେକ ସମୟରେ ଲୁକ୍କାୟିତ ରହିଯାଏ ବା କିଛି ମୁଷ୍ଟିମେୟ ଲୋକଙ୍କ ଉପକାରରେ ସୀମିତ ରୁହେ ।
ଏ ଦିଗରେ ଲୋକମାନେ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି । ଏହା ନୁହେଁ ଯେ କିଛି ହେଉନି, ବିଜ୍ଞାନର ସୁଫଳକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବହୁତ କିଛି ବ୍ୟବସ୍ଥା ହେଉଛି । ତେବେ ଆହୁରି ଅନେକ କିଛି କରିବାର ଅଛି । ଉଦାହରଣ ସ୍ୱରୂପ ଭାରତ ଫଳ, ପନିପରିବା ଉତ୍ପାଦନରେ ଏକ ଅଗ୍ରଣୀ ରାଷ୍ଟ୍ର ହୋଇଥିବା ବେଳେ ପ୍ରତିବର୍ଷ ଅମଳର ୧୦ ରୁ ୩୦ ପ୍ରତିଶତ ପଚିସଢ଼ି ନଷ୍ଟ ହୁଏ । ଏତେ ପରିମାଣର କ୍ଷତିକୁ ରୋକିବା ଲାଗି ସିଏଫ୍‌ଟିଆର୍‌ଆଇର ବୈଜ୍ଞାନିକମାନେ ଗବେଷଣା କରି ଅମଳ ଠାରୁ ପ୍ୟାକିଂ ପର୍ଯ୍ୟନ୍ତ କେତେଗୁଡ଼ିଏ କୌଶଳ କାଢ଼ିଛନ୍ତି । ଉଦାହରଣ ସ୍ୱରୂପ କଦଳୀ, ଆମ୍ବ, କମଳା, ପିଜୁଳି ଆଦି ଫଳକୁ ତୋଳିବାର ସଠିକ ସମୟ ନିରୂପଣ କଦଳୀ କାନ୍ଧିରୁ ଫେଣା କାଟିବା ପରେ କଟା ଥାନରେ ବୋଳିବାକୁ ଫିମ୍ପି ନିରୋଧି ରାସାୟନିକର ଉଦ୍ଭାବନ ଦୀର୍ଘକାଳ ପର୍ଯ୍ୟନ୍ତ ସରଂକ୍ଷିତ କରି ରଖିବା ଲାଗି ଅଙ୍ଗୁର, କଦଳୀ, ଗାଜର, ଆଳୁ, ପିଆଜ ଇତ୍ୟାଦିରୁ ଜଳୀୟ ଅଶଂକୁ ପୁରା ନିଗାଡ଼ି ଦେଇ ଶୁଖିଲା କରିଦେବା ଲାଗି ପ୍ରସ୍ତୁତ ଉପଯୁକ୍ତ କୌଶଳସବୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଓ ଚାଷୀ ପାଇଁ ବରଦାନ ସଦୃଶ ହୋଇଛି । ଉଦ୍ଭାବିତ ବହୁ ସଂରକ୍ଷଣ ପଦ୍ଧତି ପାଚିଲା କଦଳୀ ଓ ପନିପରିବାକୁ ବେଶିଦିନ ତଟକା ରଖିବାରେ ସହାୟକ ହୋଇଛି । ତେବେ କଥା ହେଉଛି ଏହି ବୈଜ୍ଞାନିକ ଉଦ୍‌ଭାବନଗୁଡିକର ସୁଫଳ କେତେ ପାଉଛି ଗାଁର ଏକ ଚାଷୀ ??? ସେହିପରି ଲୋକାଭିମୁଖୀ ଗବେଷଣା ଫଳରେ ଗ୍ରାମାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ଦ୍ୱାରା ସହଜରେ ବ୍ୟବହାର ହେବା ଭଳି ଛୋଟ ଡ଼ାଲି ଓ ଚାଉଳ କଳ ନିର୍ମାଣ, ପାରମ୍ପରିକ ଭାବେ ଉଷୁନା ଚାଉଳ କରିବାକୁ ଧାନ ସିଝାଇବା ପରେ ପ୍ରାୟତଃ ହେଉଥିବା କସରା ରଙ୍ଗ ଓ ଗନ୍ଧ ନହେବା ପାଇଁ ନୂଆ ପ୍ରଣାଳୀର ବିକାଶ ଅନେକ ଲୋକଙ୍କୁ ସ୍ୱଚ୍ଛଳ ହେବାରେ ସହାୟତା କରିଛି । ତେବେ ଏସବୁ କଥା ଲୋକଙ୍କ ନିକଟରେ ପହଞ୍ôଚପାରୁନି । ସେଇଥିଲାଗି କେଉଁଠି ଚାଷୀ ତାର ଧାନକୁ ଅଭାବୀ ବିକ୍ରି କରୁଛି ତ କେଉଁଠି ବିଲରେ ଫଳୁଥିବା ଟମୋଟୋକୁ ପଚିବା ପୂର୍ବରୁ ମାଗଣାରେ ବାଣ୍ଟି ଦେଉଛି ବା କେତେ କିଗ୍ରା ପ୍ରତି କେତେ ପଇସାରେ ବିକୁଛି । ସବୁପ୍ରକାର ଉଦ୍‌ଭାବନ ସତ୍ତ୍ୱେ ଚାଷୀର ସମସ୍ୟା ସମାଧାନରେ ବିଜ୍ଞାନ ବିଫଳ ବୋଲି କୁହାଯାଇ ପାରେ । କାରଣ ବିଜ୍ଞାନ ଲୋକଙ୍କ ନିକଟରେ ପହଞ୍ôଚ ପାରିନି । ଖାଲି ସାଟେଲାଇଟ୍ ନିର୍ମାଣ କଲେ ହେବନି, ବା ଜେନେଟିକ୍ ଇଞ୍ଜିନିୟରିଂରେ ବିପୁଳ ସଫଳତା ହାସଲ କଲେ ତାର କିଛି ଅର୍ଥ ନାହିଁ । ବିଜ୍ଞାନର ସବୁ ସୁଫଳକୁ ଲୋକକଲ୍ୟାଣରେ ଲଗାଇ ପାରିଲେ ହିଁ ଯଥାର୍ଥ ରେ ବିଜ୍ଞାନର ପ୍ରକୃତ ଉପଯୋଗ ହୋଇ ପାରିଲା ବୋଲି କୁହାଯିବ ।
ବଡବେତରା, କୁଦାନଗରୀ, କେନ୍ଦ୍ରାପଡା

ମୋ – ୯୪୩୯୯୦୩୨୨୦

nis-ad
Leave A Reply

Your email address will not be published.