ଆଇପିଏସ୍ ଅଧିକାରୀ ଆଇଏଏସଙ୍କ ବ୍ୟକ୍ତିଗତ ଫଟୋ ସେୟାର କରିଥିବା ଘଟଣାକୁ ନେଇ ତେଜୁଛି ବିବାଦ, ବିନା ପୋଷ୍ଟିଂରେ ତିନିଜଣଙ୍କ ହେଲା ବଦଳି

ବେଙ୍ଗାଲୁରୁ: କର୍ଣ୍ଣାଟକର ଦୁଇଜଣ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ବିବାଦ ଖବର ମଧ୍ୟରେ ଦୁହିଁଙ୍କ ବଦଳି ହୋଇଯାଇଥିବା ସୂଚନା ମିଳିଛି। ଆଗାମୀ ଆଦେଶ ପର୍ଯ୍ୟନ୍ତ ଆଇପିଏସ୍ ଅଧିକାରୀ ଡି ରୁପା ମୌଦଗିଲ ଓ ଆଇଏଏସ୍ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କୁ ବଦଳି କରି ଦିଆଯାଇଛି। କିନ୍ତୁ ଏଯାବତ ଦୁହିଁଙ୍କୁ କୌଣସି ସ୍ଥାନରେ ପୋଷ୍ଟିଂ ମିଳି ନାହିଁ। ଏଥିସହିତ ଆଇପିଏସ୍ ଅଧିକାରୀ ଡି ରୁପାଙ୍କ ସ୍ବାମୀ ଆଇଏଏସ୍ ଅଧିକାରୀ ମୁନିଶ ମୌଦଗିଲଙ୍କୁ ମଧ୍ୟ ବିନା ପୋଷ୍ଟିଂରେ ବଦଳି କରାଯାଇଛି।
ଏହି ଘଟଣା କର୍ଣ୍ଣାଟକ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏମିତି କି ରାଜ୍ୟ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ଏ ନେଇ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଚେତାବନୀ ଦେଇଥିଲେ।
ଗତ ରବିବାର ଦିନ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଡି ରୁପା ମୌଦଗିଲ ସୋସିଆଲ ମିଡିଆରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବ୍ୟକ୍ତିଗତ ଫଟୋ ସେୟାର କରିଥିଲେ। ଏଥିସହିତ ଦାବି କରିଥିଲେ ଯେ, ରୋହିଣୀ ସିନ୍ଧୁରୀ ପୁରୁଷ ଆଇଏଏସ୍ ଅଧିକାରୀଙ୍କ ନିକଟକୁ ତାଙ୍କ ଫଟୋ ପଠାଇ ସେବା ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି।
ଡି ରୁପା ଏହି ଫଟୋଗୁଡ଼ିକୁ ତାଙ୍କ ଫେସବୁକ୍ ପୃଷ୍ଠାରେ ପୋଷ୍ଟ କରି ଅଭିଯୋଗ କରିଥିଲେ ଯେ, ସିନ୍ଧୁରୀ ୨୦୨୧ ଏବଂ ୨୦୨୨ ମସିହାରେ ତିନିଜଣ ଆଇଏଏସ୍ ଅଧିକାରୀଙ୍କ ସହ ଏହି ଫଟୋ ସେୟାର କରିଛନ୍ତି।
କେବଳ ଏତିକି ନୁହେଁ, ଡି ରୁପା ସିନ୍ଧୁରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ଏକ ଲମ୍ବା ତାଲିକା ପ୍ରକାଶ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ ମୁଖ୍ୟ ଶାସନ ସଚିବ ବନ୍ଦିତା ଶର୍ମାଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ।
ଏହା ପରେ ସିନ୍ଧୁରୀ ରବିବାର ଦିନ ଏକ ବୟାନରେ କହିଛନ୍ତି, ‘ଡି ରୁପା ମୋ ବିରୋଧରେ ଏକ ମିଥ୍ୟା, ବ୍ୟକ୍ତିଗତ ନିନ୍ଦା ଅଭିଯାନ’ ଚଳାଉଛନ୍ତି ଏବଂ ଧମକ ଦେଉଛନ୍ତି। ସେ ମୋତେ ବଦନାମ କରିବା ପାଇଁ ସୋସିଆଲ ମିଡିଆରୁ ଓ ହ୍ବାଟସ ଆପରୁ ସ୍କ୍ରିନସଟ ସଂଗ୍ରହ କରି ରଖିଛନ୍ତି। ଯେହେତୁ ସେ ଅଭିଯୋଗ କରିଛନ୍ତି ଯେ ମୁଁ ଏହି ଫଟୋଗୁଡ଼ିକୁ କିଛି ପୁରୁଷ ଅଧିକାରୀଙ୍କ ନିକଟକୁ ପଠାଇଛି, ତେଣୁ ମୁଁ ସେମାନଙ୍କ ନାମ ପ୍ରକାଶ କରିବାକୁ ତାଙ୍କୁ ଅନୁରୋଧ କରୁଛି।
ଏହି ପ୍ରସଙ୍ଗରେ କର୍ଣ୍ଣାଟକର ଗୃହମନ୍ତ୍ରୀ କହିଛନ୍ତି, ମୁଁ ଏହି ବିବାଦକୁ ପୁଲିସ ମୁଖ୍ୟଙ୍କ ସହ ଆଲୋଚନା କରିଛି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଜାଣିଛନ୍ତି। ଆମେ ଚୁପ୍ ବସି ନାହୁଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁହେଁ ଏତେ ଖରାପ ବ୍ୟବହାର କରୁଛନ୍ତି କି ସାଧାରଣ ଲୋକ ମଧ୍ୟ ରାସ୍ତାରେ ଏହିପରି କଥାବାର୍ତ୍ତା କରନ୍ତି ନାହିଁ । ସେମାନେ ସେମାନଙ୍କର ବ୍ୟକ୍ତିଗତ ପ୍ରସଙ୍ଗରେ ଯାହା କହିବାକୁ ଚାହାଁନ୍ତି ତାହା କରନ୍ତୁ, କିନ୍ତୁ ଗଣମାଧ୍ୟମ ସାମ୍ନାକୁ ଆସି ଏହିପରି ଆଚରଣ କରିବା ଠିକ୍ ନୁହେଁ ।

nis-ad
Leave A Reply

Your email address will not be published.