ହରିହର ତ୍ରିପାଠୀ
ଆଜି ଶିବରାତ୍ରୀ । ଭଗବାନଙ୍କ ଶଙ୍କରଙ୍କ ଆରାଧନାର ଦିବସ । ଦେଶ ଓ ରାଜ୍ୟର ସବୁ ଶିବମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ । ଆଶୁତୋଷଙ୍କୁ ସନ୍ତୁଷ୍ଟ କରିବା ସହଜ ବୋଲି ଭକ୍ତମାନେ ଏହି ବ୍ରତଟିକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି । ତ୍ୟାଗର ଦେବତାଙ୍କ ପାଖେ ଭୋଗ ଲାଗି ପସରା ମେଲାଇ ଛିଡ଼ା ହୋଇଛି ମଣିଷ । ସାରାଦେଶରେ ବର୍ତ୍ତମାନ ଭୋଗବାଦର ବିପୁଳ ପ୍ରସାର । ଏଭଳି ଏକ କ୍ଷଣରେ ଶିବ ଆରାଧନା କରି ମଣିଷ ଯେ ଶିବ ହେବାର ସାଧନା କରିପାରିବ ଏହା କେବଳ କଳ୍ପନା ମାତ୍ର ।
ମହାଦେବଙ୍କୁ ଆମେ ଭଗବାନ ଶିବ କହିଥାଉ । ଶିବ ପୁଣି ମଙ୍ଗଳମୟ । ଶଙ୍କରାଚାର୍ଯ୍ୟ କହିଥିଲେ ଶବ ଉପରେ ଶକ୍ତିର ସଞ୍ଚାର ହେଲେ ଏହା ଶିବରେ ପରିଣତ ହୁଏ । ଶିବଙ୍କ କଥା ମନେପକାଇବା ମାତ୍ରେ ଆମ ଆଖିଆଗରେ ଭାସିଯାଏ ବିଭୂତିଲେପନ ମହାଦେବଙ୍କର ଶାନ୍ତକାନ୍ତ ସୌମ୍ୟରୂପ । ପରିଧାନ ଖଣ୍ଡେମାତ୍ର ବ୍ୟାଘ୍ରଚର୍ମ, ମୁଣ୍ଡଉପରେ ଅସଂବୃତ ଜଟାଜୁଟ ପ୍ରଳୟର ତରଙ୍ଗଭଳି ଉଡ୍ଡୀୟମାନ, ଗଳାରେ ସର୍ପମାଳା । ଶିବ କେବଳ ବୈରାଗ୍ୟର ପ୍ରତୀକ । ସଂସାର ଯେଉଁମାନଙ୍କୁ ପରିତ୍ୟାଗ କରେ ଶିବ ସେମାନଙ୍କୁ ଆପଣାଇଥାନ୍ତି । ଭୂତପ୍ରେତ, ପିଶାଚଗଣଙ୍କୁ ସଂସାର ଡରେ, ଶିବ ସେମାନଙ୍କୁ ସହଚର ବନେଇଥାନ୍ତି । ଶ୍ମଶାନକୁ ସଂସାରବାସୀ ଭୟକରେ, ଶିବ ସେଠାରେ ନିବାସ କରନ୍ତି । ଭାରତୀୟ ଦର୍ଶନ ଶିବଙ୍କ କଥା କୁହେ ମାତ୍ର ଭାରତୀୟମାନେ ଭୋଗବାଦର ପ୍ରତୀକ ସ୍ବରୂପ ଶବସାଧନାରେ ଏବେ ମତ୍ତ ।
ଭଗବାନ ଶିବଙ୍କ ସାଧନା ହେଉଛି ଶବ ସାଧନାର ପରିପୂରକ । ଶିବ ସାଧନା ଜୀବନକୁ ସଠିକ୍ ମାର୍ଗ ପ୍ରଦର୍ଶନ କରେ । ମାତ୍ର ଏ ସମୟରେ କେହିବି ସଠିକ୍ ମାର୍ଗରେ ଯିବାକୁ ଚାହାନ୍ତି ନାହିଁ । ଭୋଗବାଦର ଲାଳସା ବର୍ତ୍ତମାନ ମଣିଷକୁ ଜୀବନ ବାଟରୁ ଦୂରକୁ ଦୂରକୁ ନେଇ ଚାଲିଛି । ବ୍ୟକ୍ତି, ସମାଜ, ପରିବାର, ରାଜ୍ୟ ତଥା ଦେଶ ସବୁଠି ଏକାଭଳି ସ୍ଥିତି । କ୍ଷମତାକୁ ଜାବୁଡ଼ି ଧରିବାକୁ ଶିବ ସାଧନା କେବେ ବି ନିର୍ଦ୍ଦେଶ ଦେଇ ନଥାଏ, ମାତ୍ର ଶବସାଧନା କ୍ଷମତା ହାସଲ କରିବାର ସବୁବାଟ ଉନ୍ମୁକ୍ତ କରେ । ସାରାଦେଶରେ ବର୍ତ୍ତମାନ କ୍ଷମତା ଜାବୁଡ଼ି ଧରିବାର ପ୍ରତିଯୋଗିତା । ଯେଉଁମାନେ କ୍ଷମତାରେ ନାହାନ୍ତି ସେମାନେ ତା’କୁ ହାସଲ କରିବାରେ ଏଭଳି ବ୍ୟାକୁଳ ଯେ ଏଥିଲାଗି ସବୁ ଆଦର୍ଶକୁ ବଳିଦେବାଲାଗି ପ୍ରସ୍ତୁତ ।
ରାଜନୀତି ବର୍ତ୍ତମାନ ଭ୍ରଷ୍ଟନୀତିରେ ପରିଣତ । ଦେଶସେବା କେବଳ ସ୍ଲୋଗାନ । କଳେବଳେ କୌଶଳେ ନିର୍ବାଚନ ଜିଣିବା ହିଁ ବର୍ତ୍ତମାନ ସମୟର ସବୁଠାରୁ ବଡ ରାଜନୀତି । ସେଥିଲାଗି ଜନସାଧାରଣଙ୍କୁ ସିଧାସଳଖ ଲାଞ୍ଚ ପ୍ରଦାନ କରିବାକୁ ରାଜନୈତିକ ଦଳ ବା ସରକାରମାନେ ଆଦୌ ପଛଘୁଞ୍ଚା ଦେଉ ନାହାନ୍ତି । ସାଧାରଣ ଲୋକଟିର ମୌଳିକ ଆବଶ୍ୟକତା ନିମିତ୍ତ ଭିତ୍ତିଭୂମି ସଜାଡିବାରେ ବ୍ୟର୍ଥ ସରକାରମାନେ ସାମୟିକ ଆର୍ଥିକ ସହାୟତା ପ୍ରଦାନ କରି ଜନଗଣଙ୍କ ସମର୍ଥନ ହାସଲ କରିପାରୁଛନ୍ତି ଓ ଦୀର୍ଘଦିନ ଧରି କ୍ଷମତା ଉପଭୋଗ କରିଚାଲିଛନ୍ତି । ଏହି ଉପାୟରେ ଦେଶରେ ଧନୀ ଓ ଦରିଦ୍ରଙ୍କ ଭିତରେ ତାରତମ୍ୟ ବଢ଼ି·ଲିଛି । ହାତଗଣତି ଲୋକଙ୍କ ହାତରେ ଦେଶର ଅର୍ଦ୍ଧାଧିକ ସଂପତ୍ତି ରହିଛି । ସାଧାରଣ ଲୋକଟି ଟଙ୍କିକିଆ ଚାଉଳ, ଗହମ ବା ଆବାସ ଯୋଜନାରେ ଘରଖଣ୍ଡେ କିମ୍ବା କାଳିଆ, କିଷାନ ନିଧି ଭଳି ଯୋଜନାରେ କେଇ ହଜାର ଟଙ୍କା ପାଇ ସନ୍ତୁଷ୍ଟ ହୋଇଯାଉଥିବାରୁ ଦେଶର ସ୍ଥିତିରେ ପରିବର୍ତ୍ତନ ସମ୍ଭବ ହୋଇ ପାରୁନି । ଏଭଳି ଲୋକପ୍ରିୟ ଯୋଜନା, ଜନସାଧାରଣଙ୍କୁ ଭଣ୍ଡାଇବା ପ୍ରୟାସ ହେଉଛି ରାଜନେତାମାନଙ୍କର ଶବସାଧନାର ଅଂଶ ବିଶେଷ । ଏହାକୁ କରି ସେମାନେ ଭୋଗ, ଐିଶ୍ୱର୍ଯ୍ୟ ଠୁଳ କରିବାରେ ସମର୍ଥ ହୋଇ ପାରୁଛନ୍ତି ।
ଆଜି ମଣିଷ ଜୀବନର ମୂଲ୍ୟ ବହୁତ ଶସ୍ତା ହୋଇଯାଇଛି । ନାନା ପ୍ରକାର ଉତ୍ତେଜିତ ମତବାଦ, ଜାତି, ଧର୍ମର ଦ୍ୱାହିଦେଇ ମଣିଷ ଜୀବନକୁ ସମର୍ପି ଦେବାକୁ ଶବସାଧକମାନେ ଆଦୌ ପଛାଉ ନାହାନ୍ତି । ଖଣ୍ଡ ବିଖଣ୍ଡିତ ଆଦର୍ଶର ବେଦୀ ଉପରେ ବଳିପଡୁଛି ମଣିଷ ଜୀବନ । ଆତଙ୍କବାଦ, ସନ୍ତ୍ରାସବାଦ ମାନବତାର ଶତ୍ରୁ ହୋଇଥିବା ବେଳେ ଶବସାଧକମାନେ ସେ ଦୁର୍ଗତିରୁ ବି ଫଳାଶ୍ରୟୀ ହେବାକୁ ପ୍ରୟାସ କରୁଛନ୍ତି । ସାଧାରଣ ମଣିଷ କେବଳ ବଞ୍ôଚବା ଲାଗି ସଂଗ୍ରାମ କରୁଥିବା ବେଳେ କିଛି ଲୋକ ଉପଭୋଗ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବା କସ୍ମିନ୍କାଳେ ଦେଶଲାଗି ଶୁଭଙ୍କର ନୁହେଁ । ସାଧାରଣ ମଣିଷର ବିଦ୍ୟା, ବୁଦ୍ଧି, ବିବେକ, ଆଚରଣ ସବୁକିଛି କେଇଟା ଟଙ୍କା ଲାଗି ଅପଦେବତା ଆଗରେ ସମର୍ପିତ ହେଉଛି । ଯେଉଁ ସମର୍ପଣ ପରମମଙ୍ଗଳମୟ ଶିବଙ୍କ ଉଦ୍ଦେଶ୍ୟରେ ହେବାକଥା ତାହା ଏବେ ଅଶିବର ପାଦତଳେ ଲୋଟୁଛି । ମଣିଷର ଜୀବନ ଏବେ ଯଜ୍ଞ ନହୋଇ କେବଳ ଜ୍ୱଳନରେ ପରିଣତ ହୋଇଛି ।
ତଥାପି ଏଭଳି ଅନ୍ଧକାର ଭିତରେ ବି ଆଲୋକର କାହିଁ ନା କାହିଁ ସମ୍ୟକ ଉଦ୍ଗୀରଣ ହେଉଛି । ତାହା ହେଉଛି ଆମର ଶିବ ସାଧନାର ପ୍ରଦୀପ ଶିଖା । ଦେଶଲାଗି ଜାତି ଲାଗି ଚିନ୍ତା କରୁଥିବା ମଣିଷମାନେ ଏକତ୍ର ହେଲେ ଏଇ ଦୀପଶିଖାର ଆଲୋକ ଉଦ୍ଭାସିତ ହୋଇ ସମଗ୍ର ଦେଶକୁ ଆଲୋକିତ କରିବ । ପରମମଙ୍ଗଳମୟ ଭଗବାନ ଶିବଙ୍କର ଲୀଳାଭୂମିରେ ଶବସାଧନା ବନ୍ଦ ହେବା ଆବଶ୍ୟକ । ଏବେ ଶରୀରକୁ ଭୋଗବୃତ୍ତିଦ୍ୱାରା ବଞ୍ଚାଇ ରଖିବାର କୌଶଳକୁ ବିଦ୍ୟା କୁହାଯାଉଛି । ସର୍ବତ୍ର ସେଇ ବିଦ୍ୟାର ପ୍ରଚାର ଓ ପ୍ରସାର ହେଉଛି । ଯିଏ ଏଇ କୌଶଳ ଆୟତ୍ତ କରୁଛି ସେ ସମାଜର ଶୀର୍ଷରେ ପହଞ୍ଚିଯାଉଛି । ଏହିଭଳି ଅଶିବ ପ୍ରକୃତିଧାରୀ ବ୍ୟକ୍ତିଙ୍କ ଲାଗି ସାରାଦେଶ ଏବେ ରସାତଳଗାମୀ । ଏମାନଙ୍କ ହାତରୁ ରକ୍ଷା କରିବାକୁ ହେଲେ ଆମର ତରୁଣ ଓ ଯୁବପିଢ଼ିଙ୍କ ଭିତରେ ଶିବ ସାଧନାର ତତ୍ତ୍ବ ପ୍ରଚାର କରିବାକୁ ହେବ ।
ଦେଶପାଇଁ ଚିନ୍ତା କରୁଥିବା ବ୍ୟକ୍ତି ହିଁ କେବଳ ଶିବ ହୋଇ ପାରିବ, ତ୍ୟାଗୀ ହୋଇ ପାରିବ । ସାଧାରଣ ଜନତାଙ୍କ କଲ୍ୟାଣ ନିମିତ୍ତ ଯେଉଁ ଲୋକଟା ଫୁଙ୍ଗୁଳା ବୁଲି ପାରିବ, ପାଦରେ ଚାଲି ପାରିବ, କୋଟିପତିରୁ କୋଠାବିକ୍ରି ପର୍ଯ୍ୟନ୍ତ ଯାଇ ପାରିବ କେବଳ ତାହାରି ହାତରେ ହିଁ ଏ ଦେଶର ପରିବର୍ତ୍ତନ ସମ୍ଭବ ହୋଇ ପାରିବ । ସୁଟ୍ବୁଟ୍ପିନ୍ଧା ରାଜନେତାମାନେ ଅତ୍ୟାଧୁନିକ ବିମାନରେ ବସି ସାରା ବିଶ୍ୱର ଚକ୍କର କାଟିଲେ ବା ଭୂମିରେ ପାଦ ନଥୋଇ କେବଳ ହେଲିକପ୍ଟରରେ ଉଡ଼ିଲେ ତଳେ ଥିବା ମଣିଷଗୁଡ଼ାକ କେବଳ ତାଙ୍କୁ ଭୋକିଲା ଓ କଙ୍କାଳସାର ମନେ ହେଉଥିବେ । ସେଇଥିଲାଗି ଏମାନଙ୍କ କଲ୍ୟାଣକଥା ଚିନ୍ତା କରିବାବେଳେ ସେମାନେ କେବଳ ଦାନଦେବା ଯୋଜନା ହିଁ କରିଚାଲିବେ । ଆଉ ଦାନ ଦେବା ଯୋଜନା ଶିବଙ୍କର ସାଧନା ନୁହେଁ । ଏ ଦେଶବାସୀ ମାଗନ୍ତା ହେବାରୁ ବର୍ତ୍ତିବା ଲାଗି ଆଜିର ଏ ଶୁଭଅବସରରେ ଭଗବାନ ଶିବଙ୍କ ନିକଟରେ ଆସନ୍ତୁ ପ୍ରାର୍ଥନା କରିବା ।