ଲାଞ୍ଚନେଇ ଧରାପଡ଼ିଥିବା ଶିକ୍ଷକଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ

କେନ୍ଦୁଝର : କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ରଶ୍ମୀତା ବାରିକ ମଙ୍ଗଳବାର ଏକ ଟ୍ରାପ୍ କେସର ଶୁଣାଣୀ କରି ଜଣେ ସହକାରୀ ଶିକ୍ଷକଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହିତ ୨ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଆଉ ୨ ମାସ ଜେଲ ଦଣ୍ଡ ଆଦେଶ କରିଛନ୍ତି । ଚମ୍ପୁଆ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ଭୂଇଁପୁର ସିଆରସିସି ଭାବେ ବୁଧଦେବ ମହାନ୍ତ କାର୍ଯ୍ୟ କରୁଥିଲେ । ଏହି ସମୟରେ ଭଦପଶି ଏମ୍‌ଇ ସ୍କୁଲର ୨୦୧୪-୧୫ ମସିହାରେ ସର୍ବଶିକ୍ଷା ଅଭିଯାନରୁ ସ୍କୁଲର ବିକାଶ ପାଇଁ ୪୭ ହଜାର ଟଙ୍କା ଅନୁଦାନ ଆସି ଖର୍ଚ୍ଚ ହୋଇଥିଲା । ଏହି ଅର୍ଥ ଖର୍ଚ୍ଚ ହେଲା ପରେ ୟୁସି ସାର୍ଟିଫିକେଟ ସିଆର୍‌ସିସିଙ୍କ ମାଧ୍ୟମରେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଦେବା ପାଇଁ ସିଆରସିସି ବୁଧଦେବ ମହାନ୍ତ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗବତ ନାୟକଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏତେ ଟଙ୍କା ଲାଞ୍ଚ ଦେଇ ପାରିବେ ନାହିଁ ବୋଲି କହିବାରୁ ୨ ହଜାର ଟଙ୍କାରେ ରାଜି ହୋଇଥିଲେ । ଏନେଇ ଭଦପଶି ଏମ୍‌ଇ ସ୍କୁଲର ପ୍ରଧାନଶିକ୍ଷକ ଭାଗବତ ନାୟକ ୨୦/୦୩/୨୦୧୬ରେ କେନ୍ଦୁଝର ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ୨୧/୦୩/୨୦୧୬ ରେ ଭଦପଶି ଏମ୍‌ଇ ସ୍କୁଲ ପରିସରରେ ୨ ହଜାର ଟଙ୍କା ଲାଞ୍ଚ ନେଇ ପକେଟରେ ରଖିଥିବାବେଳେ ସିଆର୍‌ସିସି ବୁଧଦେବ ମହାନ୍ତ ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଥିଲେ । ଏହି ମାମଲାରେ ୧୩ ଜଣ ସାକ୍ଷୀ ପ୍ରମାଣକୁ ଅଧାର କରି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଦେବଦତ୍ତ ବିଶ୍ୱାଳ ମାମଲା ପରିଚାଳନା କରୁଥିଲେ । ଦଣ୍ଡିତ ହୋଇଥିବା ଶିକ୍ଷକ ବର୍ତ୍ତମାନ ଚମ୍ପୁଆ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଚତୁରୀସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ମଙ୍ଗଳବାର ଦିନ ଜେଲ ହାଜତକୁ ପଠାଇ ଦିଆଯାଇଛି ।

nis-ad
Leave A Reply

Your email address will not be published.