ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ…

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆସନ୍ତାକାଲି ଠାରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ । ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ । ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ସ୍ୱତନ୍ତ୍ର ସ୍ଥାନ ନିରୁପଣ କରିସାରିଛି । ଏହି ମେଳାର ଲକ୍ଷ୍ୟ ହେଉଛି, ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍‌ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରବା ।

ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ କାରିଗର ଓ ବୁଣାକାର ଅଂଶଗ୍ରହଣ କରୁଛନ୍ତି । ମେଳାରେ ବିକାଶ ଆୟୁକ୍ତ,(ହସ୍ତଶିଳ୍ପ), ଭାରତ ସରକାରଙ୍କ ଜାତୀୟ ହସ୍ତଶିଳ୍ପ ମେଳା ଯୋଜନା ଅନ୍ତର୍ଭୁକ୍ତ ୨୫୦ ଜଣ କାରିଗରଙ୍କ ହସ୍ତଶିଳ୍ପ ଏବଂ ବିକାଶ ଆୟୁକ୍ତ (ହସ୍ତତନ୍ତ) ଦ୍ୱାରା ଭାରତର ବିଭିନ୍ନ ପ୍ରଦେଶର ୫୦ ଜଣ ବୁଣାକାରମାନଙ୍କ ହସ୍ତତନ୍ତ ଷ୍ଟଲରେ ସ୍ଥାନିତ ହେବ । ସେହିପରି ରାଜ୍ୟ ସରକାରଙ୍କର ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ଦ୍ୱାରା ପ୍ରାୟୋଜିତ ୧୫୦ ଜଣ କାରିଗର ଓ ୧୧୦ ଜଣ ବୁଣାକାରଙ୍କ ଉତ୍ପାଦ ଷ୍ଟଲରେ ସ୍ଥାନିତ ହେବ । ଏହା ବ୍ୟତୀତ ଶିକ୍ଷାନୁଷ୍ଠାନଭିତ୍ତିକ ଓଡ଼ିଶା ଓ ଭାରତ ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତଭିତ୍ତିକ ସଂସ୍ଥାର ଷ୍ଟଲଗୁଡ଼ିକ ସ୍ଥାନିତ ହେବ । ଅନ୍ୟ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ନିଗମ ମଧ୍ୟ ଏହି ମେଳାରେ ଅଂଶଗ୍ରହଣ କରିବେ । ଚଳିତ ବର୍ଷ ଗୋଟିଏ ଖାଦ୍ୟ ପ୍ରାଙ୍ଗଣରେ ୨୫ ଗୋଟି ଷ୍ଟଲ ରହିବ ।

ଓଡ଼ିଶାର ପାରମ୍ପରିକ ଖାଦ୍ୟ, ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟ ମଧ୍ୟ ସ୍ଥାନ ପାଇବ । ଏହା ବ୍ୟତୀତ ମିଲେଟ୍ ମିଶନ, ଓମ୍‌ଫେଡ୍ ଏବଂ ଓଟିଡିସିର ୫ଟି ଷ୍ଟଲ ରହିବ । ଏହି ମେଳାରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ କଳାକାର ଓ କଳାକାର ସଂଗଠନଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ପରିବେଷିତ ହେବ । ଆମ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଗୋଟିଏ ଫ୍ୟାସନ୍ ସୋ’ର ମଧ୍ୟ ଆୟୋଜନ କରାଯାଇଛି । ହୁଇଲ୍ ଚେୟାର ଓ ଦିବ୍ୟାଙ୍ଗ ଏବଂ ବୟସ୍କ ପରିଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ହେଲଞ୍ଜ ଡେସ୍କର ବ୍ୟବସ୍ଥା କରାଯାଇଛି । ମେଳାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଦର୍ଶକ ଓ ପ୍ରଦର୍ଶକମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ହାତ ତିଆରି ବ୍ୟାଗ୍ ଉପଲବ୍ଧ କରାଯାଇଛି ।

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲାରହିବ । ବିଭାଗ ପକ୍ଷରୁ ମହିଳା କାରିଗର ଓ ବୁଣାକାରମାନଙ୍କ ନମନ୍ତେ ମାଗଣା ରହଣି ତଥା ପରିବହନ ସୁବିଧା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ମେଳାରେ ୨୦ ଲକ୍ଷ ଜନସମାବେଶ ସହିତ ୨୦ କୋଟି ଟଙ୍କାର ସାମଗ୍ରୀ ବିକ୍ରିର ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ(ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ)ଙ୍କ ସହଭାଗିତାରେ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ତରଫରୁ ଏହି ଜାତୀୟ ସ୍ତରର ମେଳାର ନମୁନା ପରିକଳ୍ପନା ଓ ପ୍ରଯୋଜନା କରାଯାଇଛି ।

nis-ad
Leave A Reply

Your email address will not be published.