ଫେବୃଆରୀ ୬ରେ ହେବ ଦିଲ୍ଲୀ ମେୟର ନିର୍ବାଚନ…

ନୂଆଦିଲ୍ଲୀ: ଦୁଇ ଥର ସ୍ଥଗିତ ହେବା ପ‌ରେ ଆସିଲା ନୂଆ ତାରିଖ। ଫେବ୍ରୁଆରି ୬ରେ ହେବ ଦିଲ୍ଲୀ ମେୟର ନିର୍ବାଚନ। ମେୟର ଚୟନ ପାଇଁ ଫେବ୍ରୁଆରି ୬ରେ କର୍ପୋରେଟରମାନଙ୍କ ବୈଠକ ଡକାଇବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନା। ଫେବ୍ରୁଆରି ୬ରେ, ମେୟର, ଡେପୁଟି ମେୟର ନିର୍ବାଚନ ସହ ଏମସିଡି ଷ୍ଟାଣ୍ଡିଂ କମିଟି ପାଇଁ ମଧ୍ୟ ନିର୍ବାଚନ ହେବ।
ଏହା ପୂର୍ବରୁ ଜାନୁଆରି ୬ ଓ ୨୪ରେ ଦିଲ୍ଲୀ ମେୟର ନିର୍ବାଚନ କରିବା ନେଇ ସ୍ଥିର କରାଯାଇଥିଲା। ହେଲେ କିଛି ଆପ୍ ଏବଂ ବିଜେପି କାଉନସିଲରଙ୍କ ମଧ୍ୟରେ ଝଗଡ଼ା ହେବା ପରେ ମେୟର, ଡେପୁଟି ମେୟର ଓ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ନିର୍ବାଚନ ହୋଇପାରି ନଥିଲା। ପ୍ରିଜାଇଡିଂ ଅଫିସର ପ୍ରଥମେ ୧୦ ଜଣ ପ୍ରତିନିଧିଙ୍କ ଶପଥ ଗ୍ରହଣ ପାଇଁ ନିଷ୍ପତ୍ତି ନେବାରୁ ଏହାକୁ ବିରୋଧ କରି ଏହି ଗଣ୍ଡଗୋଳ ହୋଇଥିଲା ଏବଂ ଶପଥ ଗ୍ରହଣ ବି ହୋଇପାରି ନ ଥିଲା।

ଉଲ୍ଲେଖଯୋଗ୍ୟ, ମେୟର ପଦ ପାଇଁ ବିଜେପି ପକ୍ଷରୁ ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଆପ୍ ଶୈଲୀ ଓବରଏଙ୍କୁ ପ୍ରାର୍ଥୀ କରିଛି। ଏହା ସହ ଡେପୁଟି ମେୟର ପାଇଁ ବିଜେପି ପକ୍ଷରୁ କମଲ ବାଗଡିଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଆପ୍ ଆଲେ ମହମ୍ମଦ ଇକବାଲଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ଷ୍ଟାଣ୍ଡିଂ କମିଟିର ୬ଟି ଆସନ ପାଇଁ ୭ଜଣ ପ୍ରାର୍ଥୀ ହୋଇଛନ୍ତି। ବିଜେପି ପକ୍ଷରୁ କମଲଜିତ ଶେହରାୱତ, ଗଜେନ୍ଦ୍ର ଦରାଲ ଏବଂ ପଙ୍କଜ ଲୁଥ୍ରା ଥିବା ବେଳେ ଆପ୍ ପକ୍ଷରୁ ଆମିଲ ମଲିକ, ରାମିନ୍ଦର କୌର, ମୋହିନୀ ଜିନୱାଲା ଏବଂ ସାରିକା ଚୌଧୁରୀ ପ୍ରାର୍ଥୀ ହୋଇଛନ୍ତି।

nis-ad
Leave A Reply

Your email address will not be published.