ପ୍ରସ୍ତୁତ ହେଉଛି ବୃହତ୍‌ ନନ୍ଦନକାନନ ନକ୍ସା: ଚୂଡ଼ଙ୍ଗଗଡ଼କୁ ଉଠିଯିବ ସଫାରି…

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର କଳେବର ବଢ଼ିବ। ୧୦୮୦ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ଏହି ପ୍ରାଣୀ ଉଦ୍ୟାନ ସହ ଚୂଡ଼ଙ୍ଗଗଡ଼ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲର ୧୫୦୭ ଏକର ଜମି ମିଶିବା ପରେ ଏହାର କ୍ଷେତ୍ରଫଳ ୨୫୮୭ ହେବ। କ୍ଷେତ୍ରଫଳ ବଢ଼ିବା ସହ ଏହାକୁ ବିଶ୍ବସ୍ତରୀୟ କରିବା ଲାଗି ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି। ନୂଆ କରି ଯୋଡ଼ି ହୋଇଥିବା ୧୫୦୭ ଏକର ଜମିର ପାଚେରି ବୁଲାଯିବା ସହ ସେଠାକୁ ଜୀବଜନ୍ତୁଙ୍କୁ ସ୍ଥାନାନ୍ତର କରିବା ଦିଗରେ ପ୍ରାରମ୍ଭିକ ଆଲୋଚନା ଚାଲିଛି। ନନ୍ଦନକାନନ ପରିସରରେ ଥିବା ସିଂହ ସଫାରିକୁ ପ୍ରଥମେ ଚୂଡ଼ଙ୍ଗଗଡ଼ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ। ବାଘ ସଫାରିକୁ ବି ସେଠାକୁ ନିଆଯିବ। ଏଥିସହ ବାଘ ବଂଶ ବୃଦ୍ଧି ଲାଗି ସେଠାରେ ପ୍ରଜନନ କେନ୍ଦ୍ର ହେବ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘଙ୍କୁ ଚିଡ଼ିଆଖାନା ଭିତରେ ନ ରଖି ଜଙ୍ଗଲୀ କରିବା ଦିଗରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ଯୋଜନା ଅନୁଯାୟୀ, ନନ୍ଦନକାନନ ପଛ ପାର୍ଶ୍ବରେ ଥିବା ଉକ୍ତ ଦୁଇ ସଂରକ୍ଷିତ ଜଙ୍ଗଲ ଏବେ ସାମିଲ ହୋଇଥିବାରୁ ସେଠାରେ ମଧ୍ୟ ଜୀବଜନ୍ତୁଙ୍କୁ ରଖାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଜମି ଚିହ୍ନଟ ପରେ ପାଚେରି ବୁଲାଯିବା କାର୍ଯ୍ୟ ଚାଲିଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ଖୁଆଡ଼ ନିର୍ମାଣ କରାଯିବ। ଚିହ୍ନଟ ହୋଇଥିବା ଜଙ୍ଗଲ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ହରିଣ ରହିଛନ୍ତି। ତେଣୁ ହରିଣଙ୍କ ପାଇଁ ବିଶାଳ ପାର୍କ କରିବାକୁ ନିଷ୍ପତ୍ତି ହୋଇଛି। କଟକସ୍ଥିତ ହରିଣ ପାର୍କକୁ ଏଠାକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି। ନନ୍ଦନକାନନ ଓ ରାଜଭବନରେ ଥିବା ହରିଣ ପାର୍କରେ ସଂଖ୍ୟା ବୃଦ୍ଧି ପାଇଲେ ସେମାନଙ୍କୁ ଏଠାକୁ ଆଣି ଛାଡ଼ିବା ପାଇଁ ବ୍ୟବସ୍ଥା କରାଯିବ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବହୁ ପରିମାଣରେ ମୟୂର ରହିଥିବାରୁ ସେମାନଙ୍କ ଲାଗି ସ୍ୱତନ୍ତ୍ର ସଫାରି ଖୋଲିବା, ସେମାନଙ୍କୁ ଖୁଆଡ଼ରେ ନ ରଖି ଜଙ୍ଗଲରେ ଛଡ଼ାଯିବ। ନନ୍ଦନକାନନରେ ଘଡ଼ିଆଳ ଓ ମଗର ପ୍ରଜାତିର କୁମ୍ଭୀର ଅଧିକ ଥିବାରୁ ସେମାନଙ୍କୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ରଖିବା ପାଇଁ ଉକ୍ତ ଜଙ୍ଗଲରେ ନୂତନ ହ୍ରଦ ନିର୍ମାଣ ସହ କୁମ୍ଭୀର ପ୍ରଜନନକୁ ଗୁରୁତ୍ୱ ଦିଆଯିବ। ଏଥିସହ ପର୍ଯ୍ୟଟକ ଯେପରି ଅତି ନିକଟରୁ କୁମ୍ଭୀରଙ୍କୁ ଦେଖିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବି ଯୋଜନା ହୋଇଛି।

nis-ad
Leave A Reply

Your email address will not be published.