ବଦଳିଲା ଦିଗ୍‌ବିଜୟ ସିଂଙ୍କ ସ୍ବର…

ନୂଆଦିଲ୍ଲୀ,୨୪।୧: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଦିଗ୍‌ବିଜୟଙ୍କ ମନ୍ତବ୍ୟକୁ ନେଇ କେବଳ ଭାଜପା ତାଙ୍କୁ ଟାର୍ଗେଟ୍‌ କରିନାହିଁ, କଂଗ୍ରେସ ମଧ୍ୟ ଏଥିରୁ ନିଜକୁ ଦୂରେଇ ରଖିଛି। ବିବାଦ ପରେ ଏବେ ଦିଗବିଜୟ ନିଜର ସ୍ବର ମଧ୍ୟ ବଦଳାଇ ଦେଇଥିବା ଜଣାପଡିଛି। ସୁରକ୍ଷାକର୍ମୀଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ପରେ ୨୦୧୬ରେ ଭାରତ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିବାର କୌଣସି ପ୍ରମାଣ ନାହିଁ ବୋଲି ଦିଗ୍‌ବିଜୟ କହିଥିଲେ। ଜମ୍ମୁରେ ସୋମବାର ଉଦ୍‌ବୋଧନ ଦେଇ କଂଗ୍ରେସ ନେତା କହିଥିଲେ, ସର୍ଜିକାଲ ଷ୍ଟ୍ରାଇକ୍‌ରେ ଅନେକ ଆତଙ୍କବାଦୀଙ୍କୁ ନିପାତ କରିଥିବା କେନ୍ଦ୍ର ସରକାର ଦାବି କରୁଛନ୍ତି, ଯାହାର କୌଣସି ପ୍ରମାଣ ନାହିଁ। ଭାଜପାର ଶାସନ ମିଥ୍ୟା ଉପରେ ଆଧାରିତ ବୋଲି ଦିଗ୍‌ବିଜୟ କହିବା ସହ ୨୦୧୯ରେ ପୁଲ୍‌ଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ୪୪ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବା ଘଟଣାରେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ଭାରତର ସଶସ୍ତ୍ର ବଳ ଉପରେ ପ୍ରଶ୍ନ ଉଠାଇଥିବା ଦିଗ୍‌ବିଜୟଙ୍କୁ ଭାଜପା ସମାଲୋଚନା କରିଥିଲା।
କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ମଧ୍ୟ ଦିଗ୍‌ବିଜୟଙ୍କ ଏହି ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ୟୁପିଏ ସରକାର ମଧ୍ୟ ୨୦୧୪ ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ। କଂଗ୍ରେସ ଦେଶ ହିତ ପାଇଁ ଯେକୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ସମର୍ଥନ କରେ ଏବଂ ଆଗକୁ ମଧ୍ୟ ଜାରି ରଖିବ।

nis-ad
Leave A Reply

Your email address will not be published.