ରାଜଶ୍ରୀଙ୍କ ମୃତ୍ୟୁରେ ଓସିଏ ନିରବ…

କଟକ : କ୍ରିକେଟର ହେବାର ସ୍ବପ୍ନ ନେଇ କଟକ ଆସଥିବା ରାଜଶ୍ରୀ ସବୁଦିନ ପାଇଁ ଆଖି ବୁଜିଦେଲେ। ଓସିଏ ଚୟନ କମିଟି ଦ୍ବାରା ନିରାଶ ହୋଇ ଦଳରେ ସ୍ଥାନ ମିଳିନଥିବାରୁ ସେ ଜୀବନ ହାରିଦେଲେ। ସେପଟେ ରାଜଶ୍ରୀଙ୍କ ଆତ୍ମହତ୍ୟାକୁ ପରିବାର ଲୋକ ସହଜରେ ଗ୍ରହଣ କରି ପାରିନାହାନ୍ତି। ସେମାନେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିବା ସହିତ ଏଥିପାଇଁ ଓସିଏକୁ ସିଧାସଳଖ ଦାୟୀ କରିଛନ୍ତି। ପୁଲିସ ଘଟଣା ଛାନଭିନ୍ କରି ତଦନ୍ତକୁ ଆଗକୁ ବଢାଇଛି। ମାତ୍ର ଏହି ପ୍ରସଙ୍ଗରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ( ଓସିଏ)ର ନିରବତା ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢାଉଛି। ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ଓସିଏ ନିରବ ରହିବାକୁ ନେଇ କ୍ରୀଡା ସଂଗଠକମାନେ ଆପତ୍ତି ଉଠାଇଛନ୍ତି। ସୌଜନ୍ୟତା ଦୃଷ୍ଟିରୁ ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ଏ ଯାଏ ଓସିଏ ଶୋକସଭା ଟିଏ ଡାକି ରାଜଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଭୁଲି ଯାଇଛି। ମହିଳା କ୍ରିକେଟରେ ଚାଲିଥିବା ଅନିୟମିତତା, ଚୟନ‌ରେ ଚଂଚକତା, ମନମାନି ଓ କିଛି ନିର୍ଦିଷ୍ଟ ପ୍ରଭାବଶାଳି ବ୍ୟକ୍ତି ବିଶେଷଙ୍କ ଅଖଣ୍ଡ ପ୍ରଭାବ କଥା ଏବେ ଚର୍ଚ୍ଚାକୁ ଆସିଛି।
ରାଜଶ୍ରୀଙ୍କ ମୃତ୍ୟୁ ପରେ ଏବେ ଓଡ଼ିଶା ମହିଳା କ୍ରିକେଟକୁ କରାୟତ କରିଥିବା କିଛି ପ୍ରଭାବଶାଳିଙ୍କ ନାମକୁ ନେଇ ସବୁଆଡେ ଚର୍ଚ୍ଚା ଧରିଥିବା ବେଳେ କ୍ରୀଡା ସଂଗଠକ ବ୍ରଜ କିଶୋର ନନ୍ଦ ମହିଳା କ୍ରିକେଟରେ ଅଖଣ୍ଡ କ୍ଷମତା ରଖୁଥିବା ମା‌ଣ୍ଡେଲା ସାର୍‌ କିଏ? ତାଙ୍କୁ ଏ ପର୍ଯ୍ୟନ୍ତ କାହିଁକି ତଦନ୍ତ ପରିସରକୁ ନିଆଯାଇନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ମହିଳା କ୍ରିକେଟରେ ଅଖଣ୍ଡ କ୍ଷମତା ରଖୁଥିବା ମାଣ୍ଡେଲା ସାର୍ ଓରଫ୍ ସନ୍ତୋଷ ଦାସଙ୍କ ଓସିଏ ସହିତ କଣ ସଂପର୍କ ରହିଛି? ମହିଳା କ୍ରିକେଟ ସହିତ ତାଙ୍କର ସଂପର୍କ କଣ? ଓସିଏର ଉଚ୍ଚକର୍ତ୍ତୃପକ୍ଷଙ୍କ ସହିତ ନିବିଡତାକୁ ପୁଲିସ ତଦନ୍ତ ପରିସରକୁ ନେଲେ ମହିଳା କ୍ରିକେଟ ବହୁ ଗୁମର କଥା ସାମ୍ନାକୁ ଆସିବ ବୋଲି ସେ ସମ୍ବାଦକୁ କହିଛନ୍ତି।
କ୍ରୀଡା ସଂଗଠକମାନଙ୍କ ଅଭିଯୋଗ ମୁତାବକ, ଗତ ୧୦ ବର୍ଷ ହେବ ମାଣ୍ଡେଲା ସାର୍‌ ଓସିଏରେ ତାଙ୍କର ପ୍ରଭାବ ବିସ୍ତାର କରି ଆସୁଛନ୍ତି। କୌଣସି ପଦ ପଦବିରେ ନ ଥାଇ ବି ସେ ଓଡ଼ିଶା କ୍ରିକେଟ ଏକାଡେମୀରେ ଦୀର୍ଘ ଦିନ କିଭଳି ରହୁଥିଲେ? ତାଙ୍କୁ ‌ସେଠାରେ କେଉଁ ନିୟମ ବଳ‌ରେ ରଖାଯାଇଥିଲ‌ା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସହିଦ ସ୍ପୋର୍ଟିଂ କ୍ଲବରୁ ସଦସ୍ୟତା କରୁଥିବା ସନ୍ତୋଷ ଦାସ ଓ ମାଣ୍ଡେଲା ଅନ୍ୟ ସଭ୍ୟଙ୍କ ଭଳି ଜଣେ ସାଧାରଣ ସଭ୍ୟ ହୋଇ ସେ ଓସିଏରେ କିଭଳି ଏତେ ପ୍ରଭାବଶାଳି ହେଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶହୀଦ ସ୍ପୋର୍ଟିଂ କ୍ଲବରୁ ସଦସ୍ୟତା କରୁଥିବା ସନ୍ତୋଷ କ୍ରିକେଟ ଏକାଡେମୀରେ ରହିବା ସହିତ ତାଙ୍କ ଦ୍ବାରା ରାଜ୍ୟ ମହିଳା କ୍ରିକେଟ ପରିଚାଳିତ ହେଉଥିଲା, ତାଙ୍କର କଥା ହିଁ ‌ଶି‌ରୋଧାର୍ଯ୍ୟ ଥିଲା। ଚୟନ କମିଟି ଉପରେ ତାଙ୍କର ଅଖଣ୍ଡ ପ୍ରଭାବ ଥିବା କଥାକୁ ତଦନ୍ତକୁ ନିଆଯାଉ ବୋଲି ଦାବି ହୋଇଛି।

ସିଡିଏ, ବିଡାନାସୀ ଅଞ୍ଚଳରେ ନିଜ ଘର ଥାଇ ବି ସେ ବର୍ଷ ବର୍ଷ ଧରି ଏକାଡେମିରେ ରହୁଥିଲେ ତାହାକୁ ତଦନ୍ତ ପରିସରକୁ ନେବାକୁ ଦାବି ହୋଇଛି। ଓସିଏ କର୍ତ୍ତୃପକ୍ଷଙ୍କ ମାଣ୍ଡେଲାଙ୍କ ପ୍ରତି ଥିବା ଦୁର୍ବଳତା ଓ ମହିଳା କ୍ରିକେଟର ତାଙ୍କର ଅଖଣ୍ଡ କ୍ଷମତା ଆଗକୁ ବହୁ ରହସ୍ୟକୁ ସାମ୍ନାକୁ ଆଣିବ। ପୁଲିସ ନିରପକ୍ଷ ତଦନ୍ତ କଲେ ‌ରାଜଶ୍ରୀଙ୍କୁ ନ୍ୟାୟ ମିଳିବ ବୋଲି କ୍ରୀଡା ସଂଗଠକମାନେ ମତ ରଖିଛନ୍ତି।

nis-ad
Leave A Reply

Your email address will not be published.