ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ…

ଶେରଗଡ ଦଳ ୪ ଓ୍ବିକେଟରେ ବିଜୟୀ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । କ୍ଳବ ସଭାପତି ସଞ୍ଜୟ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ କୁମାର ଜେନା, କାଉନସିଲର ବିଳାସ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମ ଦିବସ ମଙ୍ଗଳବାର ନର୍ମଦେଶ୍ୱର କ୍ରିକେଟ କ୍ଳବ, ନଳବଣ୍ଟା ସହ ମହାଲକ୍ଷ୍ମୀ ଏକାଦଶ କ୍ରିକେଟ କ୍ଳବ, ଶେରଗଡ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ନଳବଣ୍ଟା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ ବିନିମୟରେ ୧୫୪ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ବ୍ରଜ ୨୬ଟି ବଲରୁ ୪୫ ଏବଂ ପ୍ରିୟବ୍ରତ ୨୫ ବଲରୁ ୩୯ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ଶେରଗଡ ଦଳ ୧୫.୩ ଓଭରରେ ୬ଟି ୱିକେଟ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ କାଳିଆ ୪୪ବଲରୁ ୬୬ରନ୍ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ । ଅତିଥି ଭାବେ କ୍ଳବ ମ୍ୟାନେଜର ପ୍ରଫୁଲ କୁମାର ଜେନା ଯୋଗଦେଇ କାଳିଆଙ୍କୁୂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ବାବୁ ପଣ୍ଡା ଓ ରଜତ ପ୍ରଧାନ ଏବଂ ସ୍କୋରର ଭାବେ ଯୋଗିନ୍ଦ୍ର ନାୟକ ଓ ଆଦିତ୍ୟ ସାହୁ ଯୋଗ ଦେଇଥିଲେ । ଲିଟୁ ପ୍ରଧାନ, ସିମାଞ୍ଚଳ ପାଣିଗ୍ରାହୀ, ଉମା ମହାରଣା, ସାଗର ବେହେରା, ସଚିନ ସେଠି, ସୁରୁଜ ସୁବୁଦ୍ଧି, ସୁନିଲ ପାଠିଙ୍କ ସମେତ ଆୟୋଜକ ଇଗଲ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.