ନ୍ୟାୟ ପାଇଁ ପୁରୀରେ ୩୦ ପରିବାରର ସଦସ୍ୟ…

ପୁରୀ: ପୁରୀ ଶରଧାବାଲିରେ ଏକାଠି ହେଲେ ନୟାଗଡ଼ରୁ ପରୀର ମା’ ସୌଦାମିନୀ ସାହୁ, ଯାଜପୁରରୁ ପିହୁର ମା’ ମୋନାଲିସା ନାୟକ, ବ୍ରହ୍ମଗିରିରୁ ଚିତ୍ତରଞ୍ଜନଙ୍କ ପତ୍ନୀ ପ୍ରିୟଙ୍କା ନାୟକ, ଖଣ୍ଡଗିରିରେ ହତ୍ୟାର ଶିକାର ଯନ୍ତ୍ରୀ ଅକ୍ଷୟ ଫୋଥାଳଙ୍କ ମା’ ସୁବାସୀନି ବେହେରା ସମେତ ନ୍ୟାୟ ପାଇ ନ ଥିବା ୩୦ ପରିବାରର ସଦସ୍ୟ। ସରକାର ସେମାନଙ୍କୁ ନ୍ୟାୟ ନ ଦେବା ପ୍ରତିବାଦରେ କରିବାକୁ ଯାଇଥିଲେ ପଦଯାତ୍ରା। ହେଲେ କାହାରିକୁ ପାଦଟିଏ ଆଗକୁ ବଢ଼ିବାକୁ ଦେଇ ନ ଥିଲା ପୁଲିସ। ସମସ୍ତଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ରୋକିଲା ପୁଲିସ। ଆଜି ଶରଧାବାଲି ଘଟିଥିବା ଏହି ଘଟଣା ଏବେ ଆଲୋଚନାର ବିଷୟ ହୋଇଛି।

ସେପଟେ ସମସ୍ତ ପୀଡ଼ିତ ପରିବାରଙ୍କ ଗୋଟିଏ କଥା, ସେମାନଙ୍କୁ ୨୨ ବର୍ଷ ଶାସନ ଗାଦିରେ ବସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ରାଜ୍ୟ ସରକାର ନ୍ୟାୟ ଦେଇପାରିଲେ ନାହିଁ। ଯାହାର ପ୍ରତିବାଦରେ ସେମାନେ ଆଜି ଶରଧାବାଲିରେ ପହଞ୍ଚି ପଦଯାତ୍ରାରେ ବାହାରିଥିଲେ। ଏଠାରେ ସେମାନେ ଶ୍ରୀମନ୍ଦିର ଯାଇ ପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ଗୁହାରି ଜଣାଇ ଥାଆନ୍ତେ। ହେଲେ ପୁଲିସ ପହଞ୍ଚି ସମସ୍ତଙ୍କୁ ରୋକି ଦେଲା। ପୁଲିସ ପାଦତଳେ ପଡ଼ି ଆଗକୁ ଛାଡ଼ିବାକୁ ନିବେଦନ କଲେ। ହେଲେ ପୁଲିସ ଶୁଣିଲାନି। ଫଳରେ କେହିବି ଆଗକୁ ବଢ଼ି ପାରି ନ ଥିଲେ। ମୁଖ୍ୟମନ୍ତ୍ରୀ ନିଜ ଦଳ ପ୍ରତିଷ୍ଠାର ସିଲଭର ଜୁବଲି ପାଳନ କରିବାକୁ ସମୟ ଅଛି, ହେଲେ ମା’କୁ ସମ୍ମାନର ଘଣ୍ଟା ବାଡ଼ଉ ଥିବା ନବୀନ ପଟ୍ଟନାୟକଙ୍କ ପାଖରେ ପୀଡିତ ମହିଳାଙ୍କ ଦୁଃଖ ଶୁଣିବାକୁ ସମୟ ନାହିଁ। ପ୍ରତିବାଦ କରିବାର ଅଧିକାରକୁ ମଧ୍ୟ ପୁଲିସ ଲଗାଇ ବନ୍ଦ କରିଦିଆଯାଇଛି।

ନ୍ୟାୟ ପାଇଁ ଲଢେଇ ପରିବାର ଅନୁଷ୍ଠାନରେ ସାମିଲ ହୋଇ ଏହି ପୀଡ଼ିତ ପରିବାର ପଦଯାତ୍ରାକୁ ଓହ୍ଲାଇଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଟିଥିବା ଜଘନ୍ୟ ହତ୍ୟା, ଶିଶୁ ଅପହରଣ, ଶିଶୁ ଅଙ୍ଗତସ୍କରୀ ଭଳି ମାମଲାରେ ନ୍ୟାୟ ପାଇବାରୁ ବଞ୍ଚିତ ୩୦ ପୀଡିତ ପରିବାର ଏହି ଅନୁଷ୍ଠାନରେ ସାମିଲି ହୋଇଛନ୍ତି। ସେମାନେ ଆଜି ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବା ବାଟରେ ମେଡିକାଲ ଛକ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥାନ୍ତେ। ଶ୍ରୀମନ୍ଦିର ଅଭିମୁଖେ ପହଞ୍ଚିବା ପରେ ଅରୁଣସ୍ତମ୍ଭ ନିକଟରେ ସମୂହ ଦୀପ ଦାନ କରିଥାଆନ୍ତେ। ପରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କୁ ସମସ୍ତ ୩୦ଟି ମାମଲାର ସିବିଆଇ ତଦନ୍ତ କରିବାକୁ ଦାବିପତ୍ର ଦେଇଥାଆନ୍ତେ। ହେଲେ ସମସ୍ତଙ୍କୁ ରୋକି ରଖିଥିଲା ପୁଲିସ। ଯାହା ଅସନ୍ତୋଷର ବିଷୟ ହୋଇଥିଲା।

ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏବଂ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସମ୍ପାଦକ ଦିଲ୍ଲୀପ କୁମାର ସାହୁ ଏହି ପ୍ରତିବାଦର ନେତୃତ୍ୱ ନେଉଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜଘନ୍ୟ ହତ୍ୟା ଓ ଶିଶୁ ଅପହରଣ, ଶିଶୁ ଅଙ୍ଗତସ୍କରୀ ଭଳି ମାମଲାରେ ପ୍ରାୟ ୩୦ ପୀଡିତ ପରିବାର ଏହି ଅନୁଷ୍ଠାନରେ ସାମିଲ ହୋଇ ନ୍ୟାୟ ପାଇବାକୁ ଲଢ଼େଇ କରୁଛନ୍ତି।

nis-ad
Leave A Reply

Your email address will not be published.