ବାବା ଧବଳେଶ୍ଵରଙ୍କ ପୀଠ ଆଗରେ ପୂଜକମାନଙ୍କ ଧାରଣା…

ଆଠଗଡ଼: ମନ୍ଦିର ଛାଡି ରାସ୍ତାରେ ଧାରଣା ଦେଲେ ପୂଜକ ସମାଜ। କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ ଆଗରେ ଏଠାକାର ପୂଜକମାନେ ଧାରଣା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ ନିମନ୍ତେ ଛଡ଼ା ଯାଉ ନ ଥିବାରୁ ଏହାର ପ୍ରତିବାଦରେ ପୂଜକମାନେ ଧାରଣାକୁ ଓହ୍ଲାଇଥିବା କହିଛନ୍ତି।

ବଡଓଷା ଠାରୁ ଝୁଲାପୋଲ ମରାମତି ଆଳରେ ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି ଠାକୁର ଦର୍ଶନ। ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଉ ନ ଥିବାରୁ ପୂଜକଙ୍କ ରୋଜଗାର ବନ୍ଦ। ତେଣୁ ତୁରନ୍ତ ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନର ସୁଯୋଗ ଦେବା ଦାବି କରିଛନ୍ତି ପୂଜକମାନେ। ଏଥିସହ ରୋଜଗାର ବନ୍ଦ ହୋଇଯାଇଥିବାରୁ ପ୍ରଶାସନ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ପୂଜକମାନେ ଅଡ଼ି ବସିଛନ୍ତି।

ଆନ୍ଦୋଳନ ସ୍ଥଳରେ ଆଠଗଡ ତହସିଲଦାର ପହଞ୍ଚି ପୂଜକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନ୍ୟପଟେ ତୁରନ୍ତ ପ୍ରଶାସନ ପଦକ୍ଷେପ ନ ନେଲେ ଆସନ୍ତାକାଲି ଠାରୁ ପୁରୁଣା କଟକ-ସମ୍ବଲପୁର ରାସ୍ତା ଅବରୋଧ ସହ ଦିନକ ପରେ ଧବଳେଶ୍ଵରଙ୍କ ନୀତିକାନ୍ତି ସଂପୂର୍ଣ୍ଣ ବନ୍ଦ କରିବେ ପୂଜକ ସମିତି ସୂଚନା ଦେଇଛନ୍ତି।

ଆଠଗଡ ତହସିଲଦାର ପ୍ରୀୟବତ ଦାସ କହିଛନ୍ତି, କୋଭିଡ୍ ସମୟରେ ପୀଠ ବନ୍ଦ ଯୋଗୁ ପୂଜକାମାନଙ୍କ ରୋଜଗାର ବନ୍ଦ ହୋଇଯାଇଥିଲା। ସେହିପରି ଗତ ପଞ୍ଚୁକ ଠାରୁ ହଠାତ୍ ଝୁଲା ପୋଲ ବନ୍ଦ ଯୋଗୁ ସେମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏ ବାବଦରେ ସେମାନେ ପ୍ରଶାସନ ଠାରୁ ପରିବାର ପିଛା ୫୦ ହଜାର ଟଙ୍କା କ୍ଷତିପୂରଣ ଦାବି କରୁଛନ୍ତି। ଝୁଲା ପୋଲ ହଠାତ୍ ବନ୍ଦ ନିଷ୍ପତ୍ତିର ତଦନ୍ତ ଦାବି କରୁଛନ୍ତି। ପୀଠ କେବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ସେନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଚିତ୍ର ଦିଆଯାଉ ନଥିବାରୁ ତୁରନ୍ତ ଏହାର ସ୍ପଷ୍ଟୀକରଣ ଦେବାକୁ ଦାବି କରାଯାଇଛି। ଏ ବାବଦରେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଜଣାଇ ଦିଆଯିବ। ଉଚ୍ଚସ୍ତରୀୟ ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଝୁଲା ପୋଲ ମରାମତି ଯାଞ୍ଚ ଓ ମରାମତି ନିମନ୍ତେ ଟେଣ୍ଡର ଡକାଯିବ। ମରାମତି ସରିବା ପରେ ଭକ୍ତଙ୍କୁ ଯାତାୟତ ନିମନ୍ତେ ଅନୁମତି ଦିଆଯିବ ବେଲି ତହସିଲଦାର କହିଛନ୍ତି।

ସୂଚନା ଥାଉକି, ଗତ ଅକ୍ଟୋବର ୩୧ ତାରିଖରେ ଗୁଜୁରାଟର ମୋର୍ବି ଠାରେ ଝୁଲାପୋଲ ଛିଡ଼ିବା ଯୋଗୁ ପ୍ରାୟ ୧୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯାହାପରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାବ ଧବଳେଶ୍ୱରଙ୍କ ପୀଠକୁ ଯିବା ପାଇଁ ରହିଥିବା ଝୁଲାପୋଲକୁ ହଠାତ୍ ବନ୍ଦ କରି ଦିଆଯାଇଥିଲା। ଏହାକୁ ମରାମତି କରାଯିବ ବୋଲି କୁହାଯାଇଥିଲା। ଫଳରେ ବଡ଼ଓଷାରେ ଠାକୁର ଦର୍ଶନ ଆଶା ରଖିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନିରାଶ ହେବାକୁ ପଡ଼ିଥିଲା। ସେପଟେ ଡଙ୍ଗା ଦ୍ୱାରା ଶ୍ରଦ୍ଧାଳୁଙ୍କୁ ପୀଠରେ ପହଞ୍ଚିବାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଗୋଟାଏ ପଟେ ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ ସୁଯୋଗରୁ ବଞ୍ଚିତ ହୋଇଥିବା ବେଳେ ଅନ୍ୟପଟେ ମାନସୀକ ପୂରଣ କରିପାରୁନାହାନ୍ତି। ତେଣେ ଶ୍ରଦ୍ଧାଳୁଙ୍କ ଯାତାୟତ ବନ୍ଦ ରହିଥିବାରୁ ପୂଜକଙ୍କ ରୋଜଗାର ବନ୍ଦ ହୋଇଯାଇଛି।

ଅନ୍ୟପଟେ ମହାନଦୀ ଭିତରେ ବାଲି ବନ୍ଧ କରି ଶ୍ରଦ୍ଧାଳୁଙ୍କୁ ପୀଠରେ ପହଞ୍ଚିବା ନିମନ୍ତେ ବାଟ ପ୍ରସ୍ତୁତି ଚାଲିଥିବା ମଧ୍ୟ ଜଣାପଡ଼ିଛି। ତେବେ ଏନେଇ ତହସିଲଦାର କିଛି କହିବାକୁ ମନା କରିଦେଇଛନ୍ତି।

nis-ad
Leave A Reply

Your email address will not be published.