ରାଉରକେଲାରେ ନିଜ ଘରେ ପହଞ୍ଚିଲେ ମୁକ୍ତିକାନ୍ତ ବିଶ୍ୱାଳ…

ରାଉରକେଲା: ରାଉରକେଲାରେ ନିଜ ଘରେ ପହଞ୍ଚିଲେ ମୁକ୍ତିକାନ୍ତ ବିଶ୍ୱାଳ। ଭୁବନେଶ୍ୱର ପୁଲିସ ମୁକ୍ତିକାନ୍ତଙ୍କୁ ରାଉରକେଲା ସେକ୍ଟର ୨ ଅନ୍ତର୍ଗତ ଖରିଆବାହାଲ ବସ୍ତିରେ ତାଙ୍କ ବାପା ମାଙ୍କୁ ଜିମା ଦେଇଛନ୍ତି।

ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଗତକାଲି କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ବର ଷ୍ଟେସନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ପୁଲିସ ଭ୍ୟାନରେ ବସାଇ ନିଆଯାଇଥିଲା। ଷ୍ଟେସନରେ ପହଞ୍ଚିବା ପରେ ରାଜା-ରାଣୀ ଏକ୍ସପ୍ରେସରେ ଅପେକ୍ଷାରେ ଥିବା ତାଙ୍କ ପୀଉସୀ ପୁଅ ଶୁଭମକୁ ମୁକ୍ତିକାନ୍ତଙ୍କ ଜିମା ଦିଆଯାଇଥିଲା। କ୍ୟାପିଟାଲ ଥାନାର ଦୁଇ ଜଣ ପୁଲିସ କନଷ୍ଟେବଲ୍ ମୁକ୍ତିକାନ୍ତଙ୍କୁ ସୁରକ୍ଷା ଦେଇ ରାଉରକେଲା ପର୍ଯ୍ୟନ୍ତ ଯାଇଛନ୍ତି। ରାଉରକେଲା ଷ୍ଟେସନରେ ମୁକ୍ତିକାନ୍ତ ପହଞ୍ଚିବା ପରେ ତାଙ୍କ ପରିବାର ଲୋକଙ୍କୁ ଜିମା ଦେଇ ପୁଲିସ ସେଠାରୁ ଫେରି ଆସିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ସମ୍ଭବ ନ ହେବା ପରେ ବୁଧବାର ଶିଶୁଭବନ ଛକ ହୋର୍ଡିଂ ଉପରେ ଚଢ଼ି ଯାଇଥିଲେ ମୁକ୍ତିକାନ୍ତ। ମୁଖ୍ୟମନ୍ତ୍ରୀ ତାଙ୍କୁ ନ ଭେଟିଲେ ସେ ହୋର୍ଡିଂ ଉପରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଦୀର୍ଘ ୫ ଘଣ୍ଟାର କସରତ ପରେ ମୁକ୍ତିକାନ୍ତଙ୍କୁ ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତାଙ୍କର ଚିକିତ୍ସା ଚାଲିଥିବାବେଳେ ସେ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ଡାକ୍ତର ମତ ଦେଇଥିଲେ।

ପ୍ରକାଶଥାଉକି ରାଉଲକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ମନେପକାଇ ଦେବା ପାଇଁ ରାଉରକେଲାରୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଚଳିତ ମାସ ୧୪ ତାରିଖରେ ରାଜଧାନୀରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ସେ ଦେଇଥିବା ପ୍ରତିଶ୍ରୁତି ମନେପକାଇଦେବାକୁ ମୁକ୍ତିକାନ୍ତ ରାଉରକେଲାବାସୀଙ୍କ ସମସ୍ୟାର ଦୁଇଟି ମଡେଲ୍‌ କାନ୍ଧରେ ବୋହି ଆଣିଥିଲେ। କିନ୍ତୁ ମୁକ୍ତିକାନ୍ତଙ୍କ ଦେଖା ମୁଖମନ୍ତ୍ରୀଙ୍କ ସହିତ ହୋଇ ପାରି ନ ଥିଲା। ଶେଷରେ ସେ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ।

nis-ad
Leave A Reply

Your email address will not be published.