ବିଜେଡି କର୍ପୋରେଟର୍‌ଙ୍କୁ ନବୀନଙ୍କ ଟିଉସନ୍‌…

କଟକ : କିଛିଦିନ ତଳେ କଟକ ମହାନଗର ନିଗମ ସିଏମ୍‌ସି (କାଉନସିଲ୍‌)ରେ ଉପୁଜିଥିବା ସଙ୍କଟ ଦୂର କରିବାକୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଣ୍ଡ ପୂରାଇଛନ୍ତି। ଶାସକ ଦଳର କର୍ପୋରେଟର୍‌ମାନେ ଧାରଣା ଦେବା ଓ ଚାବି ପକାଇବା ଘଟଣାକୁ ଦଳର ସୁପ୍ରିମୋ ଅତି ଗୁରୁତ୍ବର ସହିତ ନେଇଛନ୍ତି। ଶନିବାର ଦିନ ନବୀନ ନିବାସରେ ବିଜେଡିର ୪୦ରୁ ଅଧିକ କର୍ପୋରେଟରଙ୍କୁ ମୁଖ୍ୟମନ୍ତ୍ରୀ ଝାଳନାଳ ଟ୍ୟୁସନ୍ କରିଛନ୍ତି। ଦଳରେ ବିଶୃଙ୍ଖଳା ଆଚରଣକୁ ଆଦୌ ବରଦାସ୍ତ କରାଯିବ ନାହିଁ। କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସମାନ୍ତରାୟ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ ଓ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ଉପସ୍ଥିତିରେ ର୍ପୋରେଟର୍‌ମାନଙ୍କୁ ଚରମବାଣୀ ଶୁଣାଇଥିଲେ। ସିଏମ୍‌ସି କାଉନସିଲକୁ ସବୁବେଳେ ବଦନାମ୍‌ କରାଯାଉଛି। ଏବେ ସିଏମ୍‌ସି ସେହି ଧାରାରେ ଚାଲୁଛି। ଏବେ ବି ସେହି ବିଶୃଙ୍ଖଳା ଧାରା ଜାରି ରହିଛି। ଆଗକୁ ଏମିତି ବିଶୃଙ୍ଖଳାର ପୁନରାବୃତ୍ତି ହେଲେ ଆଉ ବରଦାସ୍ତ କରାଯିବ ନାହିଁ। ଦରକାର ପଡିଲେ କାଉନସିଲ୍‌କୁ ଭାଙ୍ଗି ଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଦଳ ଟିକେଟ ଦେଇଛି, ତେଣୁ ଦଳ ପାଇଁ କାମ କରିବା ବଦଳ‌ରେ ବି‌ରୋଧୀ ଦଳର କର୍ପୋରେଟର୍‌ଙ୍କ ସହିତ ମିଶି କାହିଁକି ଚାବି ପକାଇଲ ବୋଲି ପ୍ରଶ୍ନ କରିଥିଲେ। ସିଏମ୍‌ସିର ଉନ୍ନୟନମୂଳକ କାର୍ଯ୍ୟରେ ‌ଯେମିତି କିଛି ଅନିୟମିତତା ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନିଜେ କର୍ପୋରେଟର୍‌ମାନଙ୍କ ସହଯୋଗ କାମନା କରିଥିଲା। କଟକ ତାଙ୍କର ଜନ୍ମସ୍ଥାନ। ଏଠାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କିପରି ସଫଳ ହେବ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ। ସ୍ବଚ୍ଛତା ଓ ଶୃଙ୍ଖଳା ପାଇଁ ଲୋକ ତାଙ୍କୁ ଭଲ ପାଉଛନ୍ତି। ତେଣୁ ବିଶୃଙ୍ଖଳା ନକରିବାକୁ କହିଥିଲେ। କଟକ ସହରର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ଯନ୍ତ୍ରୀଙ୍କ ବଦଳି, ମଶା ନିରାକରଣ, ଜଳାଶୟ ପୁନଃରୁଦ୍ଧାର କଥା ଉଠାଇଥିଲେ। ମେୟର୍‌ ସୁବାସ ସିଂହ କର୍ପୋରେଟର୍‌ମାନଙ୍କ ମାସିକ ଦରମା କଥା ଉଠାଇଥିଲେ। ସହରର ମହିଳା ସମିତି ସଂପର୍କିତ ତଥ୍ୟ ଓ ବସ୍ତି ଉନ୍ନୟନ କାର୍ଯ୍ୟ ତୁରନ୍ତ ସାରିବାକୁ କର୍ପୋରେଟର୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି କଟକର ୪ଜଣ ସ୍ବାଧୀନ କର୍ପୋରେଟର୍‌ ବିଜେଡିରେ ମିଶିଥିଲେ। ୩ ନଂ ୱାର୍ଡର କର୍ପୋରେଟର୍‌ ପ୍ରଦୀପ ରାଉତ, ୫ ନମ୍ବର ୱାର୍ଡ କର୍ପୋରେଟର୍‌ ପ୍ରିୟମ୍ବଦା ସ୍ବାଇଁ, ୯ନଂ ୱାର୍ଡର କର୍ପୋରେଟର୍‌ ବିକାଶ ରଂଜନ ବେହେରା ଓ ୩୧ ନମ୍ବର ୱାର୍ଡ୍‌ କର୍ପୋରେଟର୍‌ ପଦ୍ମିନୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ମିଶିଥିଲେ। ହକି ବିଶ୍ବକପ୍‌ ଉଦ୍‌ଘାଟନ ଉତ୍ସବକୁ ସଫଳ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ କର୍ପୋରେଟର୍‌ଙ୍କ ସହଯୋଗ ଲୋଡ଼ିଥିଲେ।

nis-ad
Leave A Reply

Your email address will not be published.