ସରକାରୀ ପାଣ୍ଠିରୁ ବିଜେପି ନେତାଙ୍କ ଖାଇବା ପାଇଁ ଖର୍ଚ୍ଚ ହୋଇଛି ୪୦ କୋଟି..!

ଭୋପାଲ: ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଖାଇବା ବାବଦରେ କୋଟି କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ କରାଯାଉଛି। ୨୦୧୪ରୁ ୨୦୧୮ ମଧ୍ୟରେ ଲୋକଙ୍କ ଟଙ୍କାକୁ ବିଜେପି ନେତାଙ୍କ ଖାଇବା ଖର୍ଚ୍ଚରେ ବ୍ୟବହାର କରାଯାଇଛି ବୋଲି କଂଗ୍ରେସ ବିଧାୟକ ଜିତୁ ପଟୱାରି ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗକୁ ନେଇ ତମ୍ବିତୋଫାନ ଦେଖାଯାଇଥିବା ବେଳେ ମଧ୍ୟପ୍ରଦେଶ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏଥିସହ ବିଧାୟକ ଜିତୁଙ୍କ ବିରୋଧରେ ବିଧାନସଭାର ପ୍ରଶ୍ନ ଏବଂ ସମ୍ବନ୍ଧ ସମିତି ନିକଟରେ ଦଳ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବ ବୋଲି କହିଛି।

ବୁଧବାର ବିଧାନସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଚାଲିଥିବା ବିତର୍କରେ ଭାଗ ନେଇ ବିଧାୟକ ଜିତୁ ଅଭିଯୋଗ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲୋକମାନେ ଦେଉଥିବା ଟିକସ ଟଙ୍କାରୁ ୪୦ କୋଟି ଖର୍ଚ୍ଚ କରି ଶାସକ ଦଳର କାର୍ଯ୍ୟକର୍ତ୍ତାଙ୍କ ପାଇଁ ବିଜେପି ପାର୍ଟି ଅଫିସରେ ୯୦ ଥର ଖାଇବା ବ୍ୟବସ୍ଥା କରିଥିଲେ।

ରାଜ୍ୟ ସରକାର ବିଜେପି ପାର୍ଟି ଅଫିସରେ ଦଳୀୟ ନେତା ଓ କର୍ମୀଙ୍କ ପାଇଁ ୨୦୧୪ରୁ ୨୦୧୮ ମଧ୍ୟରେ ଲଞ୍ଚ, ଚା’ ଓ ଡିନର ପାଇଁ ଏତେ ପରିମାଣର ଟଙ୍କା ଖର୍ଚ୍ଚ କରିଥିବା ସେ ଅଭିଯୋଗ କରିଥିଲେ।
ଏହାର ଦିନକ ପରେ ଜିତୁ ପଟୱାରି ପୁଣି କହିଥିଲେ ଯେ “ମୁଁ ଗୃହରେ ଗୋଟିଏ ଦସ୍ତାବିଜ ଦାଖଲ କରିବାକୁ ଚାହୁଁଛି। ଏଥିରେ ମୁଁ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଉଲ୍ଲେଖ କରିଛି। ଲୋକ ସମ୍ପର୍କ ବିଭାଗ ବିଜେପି ପାଇଁ ୯୦ ଥର ଖାଇବା ବ୍ୟବସ୍ଥା କରିଛି। ବିଜେପି ଅଫିସର ନାଁ ଏଥିରେ ରହିଛି ଓ ଅଧିକାରୀଙ୍କ ଦସ୍ତଖତ ମଧ୍ୟ ତଳେ ଉଲ୍ଲେଖ ଅଛି।”

ଜିତୁ ଦାବି କରିଛନ୍ତି ଯେ ବିଜେପି ନେତା ଓ କର୍ମୀମାନେ ପିଇଥିବା ଗୋଟିଏ କପ୍‌ ଚା’ର ଦାମ ୪୦୦ ଟଙ୍କା ଓ ଗୋଟିଏ ପ୍ଲେଟ ଖାଦ୍ୟର ଦାମ ୨ ହଜାର ଟଙ୍କା ଥିଲା। କଂଗ୍ରେସ ବିଧାୟକ ଜିତୁ ଆହୁରି କହିଛନ୍ତି, ଯଦି ଏହି କାଗଜ ନକଲି, ତା’ହେଲେ ତାଙ୍କ ସଦସ୍ୟତା ପଦ ରଦ୍ଦ କରାଯାଇପାରେ। କିନ୍ତୁ ଯଦି ଏହର ସତ ବୋଲି ଜଣାପଡ଼ିବ, ତା’ହେଲେ ପୂରା ଘଟଣାରେ ସାମିଲ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

ଜିତୁ ପଟୱାରିଙ୍କ ଏପରି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, “ଆପଣ ଗୃହକୁ ବିଭ୍ରାନ୍ତ କରୁଛନ୍ତି। ମୁଁ ନିଶ୍ଚିତ ଭାବେ କହି ପାରିବି ଯେ ଗୋଟିଏ ହେଲ ବି ସରକାରୀ ଟଙ୍କା ବିଜେପି କର୍ମୀଙ୍କ ଖାଦ୍ୟ ବାବଦରେ ଖର୍ଚ୍ଚ ହୋଇନି।” ଏହାକୁ ଜିତୁ ପଟୱାରି ନ ମାନିବାରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା।

ଶୁକ୍ରବାର ଏହି ଘଟଣା ଉପରେ ସାମ୍ବାଦିକ ସମ୍ମିଳନୀ କରି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, “ସେ କେବଳ ପେଜ୍‌ ଏ ଗୃହରେ ଦେଖାଇଛନ୍ତି। ପେଜ୍‌ ବିରେ ଖାଦ୍ୟ ବାବଦ ଅର୍ଥ ବିଜେପି ଅଫିସ ଦେଇଛି ବୋଲି ଲେଖାଯାଇଛି। କମଲନାଥ ସରକାର ମଧ୍ୟପ୍ରଦେଶରେ ଥିବା ବେଳେ ଜିତୁ ପଟୱାରି ମନ୍ତ୍ରୀ ଥିଲେ। ଏହି ସମୟରେ ଏହି ଘଟଣାର ଉତ୍ତର ଆସିଥିଲା। ସେ ନିଜ ସରକାର ଥିବା ବେଳେ ପ୍ରଶ୍ନର ଉତ୍ତର ହାସଲ କରି ଏବେ ବିଜେପିକୁ ବଦନାମ କରିବାକୁ ଚାହୁଁଛନ୍ତି।

୨୦୧୮ରୁ ୨୦୨୦ ଯାଏ କମଲନାଥ ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟ ଲୋକ ସମ୍ପର୍କ ବିଭାଗରେ ୧୩୧ କୋଟିର ଦୁର୍ନୀତି ହୋଇଛି। ଏହି ପ୍ରସଙ୍ଗକୁ ଏଡ଼ାଇବା ପାଇଁ ପଟୱାରି ଏପରି ନାଟକ କରୁଛନ୍ତି। ଜିତୁ ପଟୱାରିଙ୍କ ବିରୋଧରେ ବିଜେପି ବିଧାୟମାନେ ବିଧାନସଭା କମିଟିର ଦ୍ୱାରସ୍ଥ ହେବେ।”

nis-ad
Leave A Reply

Your email address will not be published.