ଧରା ପଡ଼ିଲା ବଡ଼ ନିଯୁକ୍ତି ସ୍କାମ, ତାଲିମ୍‌ ନାଁରେ ଘଣ୍ଟାଘଣ୍ଟା ଗଣୁଥିଲେ ଟ୍ରେନ୍‌ ବଗି

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଆଉ ଗୋଟିଏ ବଡ଼ ନିଯୁକ୍ତି ନାଁରେ ଠକେଇ ଘଟଣା। ପୂର୍ବରୁ ଆପଣ ବିଭିନ୍ନ ଉପାୟରେ ଚାକିରି ଆଶାୟୀଙ୍କୁ ଦୁର୍ବୃତ୍ତମାନେ ଠକି ଥିବା ଶୁଣିଥିବେ। ହେଲେ ଏବେ ରେଳବାଇରେ ଚାକିରି କରାଇ ଦେବା ନାଁରେ ୨୮ ଜଣଙ୍କୁ ନୂଆ ଷ୍ଟାଇଲରେ ଠକା ଯାଇଛି।

ଠାକାମୀର ଶିକାର ହୋଇଥିବା ୨୮ ଜଣ ଯୁବକ ତାମିଲନାଡୁର। ସେମାନଙ୍କୁ ସ୍ଥାୟୀ ଚାକିରି ପୂର୍ବରୁ ତାଲିମ ନାଁରେ ଦିଲ୍ଲୀ ରେଳ ଷ୍ଟେସନର ବିଭିନ୍ନ ପ୍ଲାଟଫର୍ମରେ ଛିଡ଼ା କରାଯାଇଥିଲା। ସେମାନଙ୍କୁ ଦୈନକ ୮ ଘଣ୍ଟା ଧରି କେବଳ ରେଳ ଷ୍ଟେସନରୁ ଯାଉଥିବା ଓ ଏଠାକୁ ଆସୁଥିବା ଟ୍ରେନ ଏବଂ ଏହାର ବଗି ଗୁଡ଼ିକୁ ଗଣିବାକୁ କୁହାଯାଇଥିଲା। ଏହି ଚାକିରି ଆଶାୟୀ ମଧ୍ୟ ପ୍ରାୟ ମାସେ ହେଲା ଏହି କାମ କରୁଥିଲେ। କିନ୍ତୁ ବାସ୍ତବରେ ସେମାନେ ନିଯୁକ୍ତି ସ୍କାମର ଶିକାର ହୋଇଥିବା ଜାଣି ନଥିଲେ।

ସେମାନଙ୍କୁ ଟିଟିଇ, ଟ୍ରାଫିକ ଆସିଷ୍ଟାଣ୍ଟ ଓ କ୍ଲର୍କ ଭାବେ ନିଯୁକ୍ତି ମିଳିଥିବା କୁହାଯାଇଥିଲା। ତେବେ ଏହାପୂର୍ବରୁ ତାଲିମ ସ୍ୱରୂପ ସେମାନଙ୍କୁ ପ୍ଲାଟଫର୍ମରେ ଛିଡ଼ା ହୋଇ ଟ୍ରେନ ଗଣିବା କାମ ଦିଆଯାଇଥିଲା। ରେଳବାଇରେ ଚାକିରି କରାଇ ଦେବା ନାଁରେ କିଛି ଲୋକ ୨୮ ଜଣଙ୍କ ଠାରୁ ୨ରୁ ୨୪ ଲକ୍ଷ ଟଙ୍କା ଲେଖାଏ ଲାଞ୍ଚ ନେଇଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ପୁଲିସ୍‌ର ଅର୍ଥନୀତିକ ଅପରାଧ ଶାଖା ନିକରେ ଅଭିଯୋଗ ଦାଖଲ କରାଯାଇଛି।

୭୮ ବର୍ଷୀୟ ଏମ ସୁବୁସାମୀଙ୍କ ଅଭିଯୋଗ ଅନୁଯାୟୀ, ଜୁନ ଓ ଜୁଲାଇ ମାସରେ ଏହି ତଥାକଥିତ ତାଲିମ କାର୍ଯ୍ୟକ୍ରମ ହୋଇଥିଲା। ଏଥିପାଇଁ ଠକମାନେ ପ୍ରାୟ ୨.୬୭ କୋଟି ଟଙ୍କା ନେଇଛନ୍ତି। ଅବସରପ୍ରାପ୍ତ ସୁବୁସାମୀ ହିଁ ଠକମାନଙ୍କ ସହ ଚାକିରି ଆଶାୟୀଙ୍କ ପରିଚୟ କରାଇଥିଲେ। କିନ୍ତୁ ସେ ମଧ୍ୟ ଠକମାନଙ୍କ ପଞ୍ଝାରେ ପଡ଼ିଥିବା ଜାଣି ନଥିଲେ।

ଠକାରୀର ଶିକାର ହୋଇଥିବା ମଦୁରାଇର ୨୫ ବର୍ଷୀୟ ସ୍ନେତିଲ କୁମାର କହିଛନ୍ତି, “ପ୍ରତି ଚାକିରି ଆଶାୟୀ ୨ରୁ ୨୪ ଲକ୍ଷ ଟଙ୍କା ଯାଏ ସୁବୁସାମୀଙ୍କୁ ଦେଇଥିଲେ। ସେ ଏହି ଟଙ୍କାକୁ ବିକାଶ ରାଣା ନାମକ ଜଣେ ବ୍ୟକ୍ତିକୁ ଦେଇଥିଲେ। ରାଣା ନିଜକୁ ନର୍ଦ୍ଦନ ରେଲବାଇର ଉପ ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ଟଙ୍କା ନେଇଥିଲା।

ଅଧିକାଂଶ ପୀଡ଼ିତ ଗ୍ରାଜ୍ୟୁଏଟ। ସେମାନେ ଇଞ୍ଜିନିୟରିଂ ଓ ଟେକ୍ନିକାଲ ଶିକ୍ଷାରେ ଡିଗ୍ରୀ ହାସଲ କରିଛନ୍ତି। ଟିକେଟ କଲେକ୍ଟର, ଟ୍ରାଫିକ ଆସିଷ୍ଟାଣ୍ଟ ଓ କ୍ଲର୍କର କାମ ଅଲଗା ଅଲଗା ହୋଇଥିଲେ ମଧ୍ୟ ସମସ୍ତଙ୍କୁ ସମାନ ପ୍ରକାରର ଟ୍ରେନ ଓ ବଗି ଗଣିବା କାମରେ ନିୟୋଜିତ କରାଯାଇଥିଲା। ତେଣୁ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ”
ବିରୁଦ୍ଧୁନଗର ଜିଲ୍ଲାରେ ରହୁଥିବା ସୁବୁସାମୀ କହିଛନ୍ତି, “ଅବସର ନେବା ପରେ ମୁଁ ଆମ ଅଞ୍ଚଳର ବେକାର ଯୁବଗୋଷ୍ଠୀଙ୍କୁ ଚାକିରି ପାଇଁ ସହଯୋଗ କରୁଥିଲି। ସେମାନଙ୍କୁ ଚାକିରି ପାଇଁ ମୁଁ କୌଣସି ପ୍ରକାରର ଟଙ୍କା ମଧ୍ୟ ରଖୁ ନଥିଲି। ହେଲେ ମୁଁ ନିଜେ ଠକାମୀର ଶିକାର ହୋଇଥିବା ଏବେ ଜାଣିବାକୁ ପାଇଛି।”

ଏଫଆଇଆର୍‌ରେ ସୁବୁସାମୀ ଅଭିଯୋଗ କରିଛନ୍ତି ଯେ ସେ ପ୍ରଥମେ କୋଏମ୍ବାଟୁରର ଶିବରମନଙ୍କୁ ଦିଲ୍ଲୀରେ ଥିବା ଜଣେ ସାଂସଦଙ୍କ କ୍ୱାର୍ଟର୍ସରେ ଦେଖିଥିଲେ। ଏହି ସମୟରେ ଶିବରମନ ତାଙ୍କୁ ବଡ଼ବଡ଼ ସ୍ୱପ୍ନ ଦେଖାଇ ଅନେକ ସାଂସଦ ଓ ମନ୍ତ୍ରୀଙ୍କ ସହ ତାଙ୍କର ବସାଉଠା ରହିଥିବା କଥା କହିଥିଲେ। ଏଥିସହ ଟଙ୍କା ଦେଲେ ରେଳବାଇରେ ମଧ୍ୟ ଚାକିରି ହୋଇଯିବ ବୋଲି ସେ ସୁବୁସାମୀଙ୍କୁ କହିଥିଲେ।

ଏକଥା ଶୁଣି ସୁବୁସାମୀ କିଛି ଚାକିରି ଆଶାୟୀଙ୍କୁ ଭେଟିଥିଲେ। ଶିବରମନ ମଧ୍ୟ ତାଙ୍କୁ ଚାକିରି ଆଶାୟୀଙ୍କ ସହ ଦିଲ୍ଲୀ ଆସିବାକୁ କହିଥିଲେ। ପ୍ରାଥମକି ଭାବେ ସୁବୁସାମୀ ୩ ଜଣ ଚାକିରି ଆଶାୟୀଙ୍କୁ ନେଇ ଦିଲ୍ଲୀ ଯାଇଥିଲେ। ସେଠାରେ ସେମାନଙ୍କ ନିଯୁକ୍ତି ତାଲିମ ଆରମ୍ଭ ହୋଇଥିଲା।

ଏକଥା ପ୍ରଚାର ହେବା ପରେ ମଦୁରାଇ ଓ ଏହାର ଆଖପାଖ ଅଞ୍ଚଳର ଆଉ ୨୫ ଜଣ ଏହି ତାଲିମ ପ୍ରକ୍ରିୟାରେ ସାମିଲ ହେବାକୁ ଆଗେଇ ଆସିଥିଲେ। ଡିମାଣ୍ଡ ଅନୁସାରେ ଚାକିରି ଆଶାୟୀମାନେ ଟଙ୍କା ଦେବା ପରେ ସେମାନଙ୍କ ମେଡିକାଲ ଯାଞ୍ଚ ରେଳବାଇ କେନ୍ଦ୍ରୀୟ ହସ୍ପିଟାଲରେ କରାଯାଇଥିଲା। ସେହିପରିତ ଶଙ୍କର ମାର୍କେଟରେ ଥିବା ଜୁନିୟର ଇଞ୍ଜିନିୟର ଅଫିସକୁ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ବିଭିନ୍ନ ତାରିଖରେ ଯୁବକମାନଙ୍କୁ ଡକାଯାଇଥିଲା।

ପୀଡ଼ିତମାନେ କହିଛନ୍ତି, ରାଣା ସେମାନଙ୍କୁ ଅଫିସ ବାହାରେ ସବୁବେଳେ ଟଙ୍କା ପାଇଁ ଭେଟୁଥିଲା। ସେହିପରି ସେ କେବେ ବି କାହାକୁ ରେଳବାଇ ବିଲଡିଂ ଭିତରକୁ ମଧ୍ୟ ନେଇନାହିଁ। ତାଲିମ ପାଇଁ ନିର୍ଦ୍ଦେଶ, ପରିଚୟପତ୍ର, ତାଲିମ ଶେଷ ହେବାର ପ୍ରମାଣପତ୍ର ଓ ନିଯୁକ୍ତି ପତ୍ର ସବୁ କିଛି ନକଲି ଥିବା ରେଳବାଇ ଅଧିକାରୀମାନେ ଯାଞ୍ଚ କରି ଜାଣିବାକୁ ପାଇଛନ୍ତି।

ସୁବୁସାମୀ ଏଫଆଇଆରରେ କହିଛନ୍ତି, “ଡକ୍ୟୁମେଣ୍ଟ ଯାଞ୍ଚ ପରେ ବିକାଶ ରାଣା ଓ ତା’ର ସହଯୋଗୁ ଦୁବେ ସମସ୍ତ ଚାକିରି ଆଶାୟୀଙ୍କୁ ଷ୍ଟିଡି ମାଟ୍ରିଆଲ୍ସ, କିଟ୍‌, ତାଲିମ ପ୍ରମାଣପତ୍ର ଦେବାକୁ ବରୋଦା ହାଉସକୁ ନେଇଯାଇଥିଲେ। ହେଲେ ସେସବୁ ନକଲି ଥିବା ଆମେ କିଛି ଦିନ ତଳେ ଜାଣିବାକୁ ପାଇଛୁ। ଆମର ତାଲିମକୁ ନେଇ ସନ୍ଦେହ ହେବାରୁ ଯାଞ୍ଚ କରିଥିଲୁ। ଏହି ସମୟରେ ସବୁ କିଛି ନକଲି ବୋଲି ଜଣାପଡ଼ିଛି।” ଦିଲ୍ଲୀର ଅର୍ଥନୀତିକ ଅପରାଧ ଶାଖା ଘଟଣାକୁ ଗୁରୁତ୍ୱର ସହ ନେଇ ଏବେ ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.