ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖାଡଗେ ନିଜର ‘କୁକୁର’ ବୟାନରେ କାଏମ ରହିଛନ୍ତି। ସେ ବିଜେପିକୁ ଟାର୍ଗେଟ କରିବା ବେଳେ କୁକୁର ଶବ୍ଦ ବ୍ୟବହାର କରିଥିବାରୁ ଏହାକୁ ନେଇ ଆଜି ରଜ୍ୟସଭାରେ ହଙ୍ଗାମା ଦେଖିବାକୁ ମିଳିଛି। କୁକୁର ବୟାନ ପାଇଁ ଖାଡଗେ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି। ହେଲେ ଖାଡଗେ ନିଜ ବୟାନରେ ଅଟଳ ରହିଛନ୍ତି।
ବିଜେପି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ତାଚ୍ଛଲ୍ୟ କରିବାରେ ଲାଗିଛି। ଭାରତ ଯୋଡ଼ୋ ନୁହେଁ ବରଂ ଭାରତ ତୋଡ଼ୋ ଯାତ୍ରା ରାହୁଲ ଗାନ୍ଧି କରୁଛନ୍ତି ବୋଲି ବିଜେପି କହୁଛି। ଏହାର ଜବାବ ଦେବାକୁ ଯାଇ ଖାଡଗେ ସୋମବାର କୁକୁର ଶବ୍ଦ ବ୍ୟବହାର କରିଥିଲେ।
ରାଜସ୍ଥାନର ଅଲୱାରରେ କଂଗ୍ରେସ ସଭାପତି ଖାଡଗେ କହିଥିଲେ ଯେ “କଂଗ୍ରେସ ଦେଶ ପାଇଁ ସ୍ୱାଧୀନତା ଜିତିଛି। ଦଳର ନେତା ରାଜୀବ ଗାନ୍ଧି ଓ ଇନ୍ଦିରା ଗାନ୍ଧି ସେମାନଙ୍କ ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ କରିଛନ୍ତି। କ’ଣ ଆପଣମାନଙ୍କ(ବିଜେପି) ଘରେ ଥିବା କୁକୁର ଦେଶ ପାଇଁ ବଳିଦାନ ଦେଇଛି? ତଥାପି ସେମାନେ(ବିଜେପି) ନିଜକୁ ଦେଶଭକ୍ତ ବୋଲି କହୁଛନ୍ତି ଓ ଆମେ ଯଦି କିଛି କହୁଛୁ, ଆମକୁ ଦେଶଦ୍ରୋହୀ ବୋଲି କୁହାଯାଇଛି।”
ସରକାର ସଂସଦରେ ଚାଇନା ସହ ଚାଲିଥିବା ସୀମା ବିବାଦ ସମ୍ପର୍କରେ ଆଲୋଚନା କରିବାକୁ ଅନୁମତି ଦେଉ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ। ସେ କହିଥିଲେ, “ଗୋଟିଏ ସିଂହ ଯେମିତି ଚିତ୍କାର କରେ ସେମାନେ(ବିଜେପି ସରକାର) ନିଜକୁ ସେଭଳି ଚିତ୍ରଣ କରି କଥା କହୁଛନ୍ତି। କିନ୍ତୁ ଆପଣମାନେ ଭଲ ଭାବେ ଦେଖିଲେ ସେମାନଙ୍କ କାମ ମୂଷା ଭଳି ଜାଣିପାରିବେ।”
ଖାଡଗେଙ୍କ ଏପରି ଜୋରଦାର ହମଲାକୁ ଦେଖି ଚକିତ ବିଜେପି ଆଜି ସଂସଦରେ ତାଙ୍କର କ୍ଷମା ଦାବି କରି ହଙ୍ଗାମା କରିଛି। ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, “ଆମେ ମଲ୍ଲିକାର୍ଜୁନ ଖାଡଗେଙ୍କ ବୟାନକୁ ନିନ୍ଦା କରୁଛି। ସେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି ଓ ମିଛର ପ୍ରଚାର କରିବାକୁ ଚେଷ୍ଟା କରିଛନ୍ତି। ସେ ଅଲୱାରରେ ପ୍ରୟୋଗ କରିଥିବା ଆପତ୍ତିଜନକ ଶବ୍ଦ ପାଇଁ କ୍ଷମା ମାଗନ୍ତୁ।”
ଏହାକୁ ନେଇ ବିଜେପି ସାଂସଦମାନେ ପ୍ରବଳ ହଙ୍ଗାମା ଓ ପାଟିତୁଣ୍ଡ କରିଥିଲେ। ଏଥିରେ ହସ୍ତକ୍ଷେପ କରି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ବିରକ୍ତ ପ୍ରକାଶ କରିଥିଲେ। ଖାଡେଗ ସଂସଦ ବାହାରେ ଏପରି ବୟାନ ରଖିଛନ୍ତି। ତେଣୁ ଏହା ଗୃହ କାର୍ଯ୍ୟ ମଧ୍ୟରେ ଆସୁନି। ଦେଶର ୧୩୫ କୋଟି ଲୋକ ଆମକୁ ଦେଖୁଛନ୍ତି। ସେମାନେ ଆମକୁ ଦେଖି ହସୁଥିବେ। ଆମେମାନେ ଛୋଟ ପିଲା ନୁହନ୍ତି ବୋଲି ସେ କହିଛନ୍ତି।
କ୍ଷମା ଦାବି ତୀବ୍ର ହେଉଥିବା ବେଳେ ବିଜେପିକୁ ପୁଣିଥରେ ଟାର୍ଗେଟ କରିଛନ୍ତି ଖାଡଗେ। ସେ କହିଛନ୍ତି, “ଯଦି ମୁଁ ପୁଣିଥରେ ମୁଁ କହିଥିବା କଥା ଦୋହରାଇବି, ତା’ହେଲେ ସେମାନଙ୍କ(ବିଜେପି) ପାଇଁ ଆହୁରି କଷ୍ଟ ଦାୟକ ହେବ। କାରଣ ଯେଉଁମାନେ ସ୍ୱାଧୀନତା ବେଳେ କ୍ଷମା ମାଗିଥିଲେ ଆଜି ସେମାନେ ସ୍ୱାଧୀନତା ପାଇଁ ଲଢ଼େଇ କରିଥିବା ଲୋକଙ୍କୁ କ୍ଷମା ମାଗିବାକୁ କହୁଛନ୍ତି।
ସେମାନେ କହୁଛନ୍ତି କଂଗ୍ରେସ ଭାରତ ତୋଡ଼ୋ ଯାତ୍ରା କରୁଛି। ଏହି ସମୟରେ ମୁଁ କଂଗ୍ରେସ ସବୁବେଳେ ଭାରତ ଯୋଡ଼ୋ ଯାତ୍ରା କରୁଛି ବୋଲି କହିଥିଲି। ଏଥିପାଇଁ ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧି ସେମାନଙ୍କ ଜୀବନ ଦେଇଛନ୍ତି। ଆପଣମାନେ କ’ଣ କରିଛନ୍ତି? କିଏ ଦେଶ ପାଇଁ ବଳିଦାନ ଦେଇଥିବା ଆପଣମାନେ ଜାଣିଛନ୍ତି?”
ଏହାର ଜବାବରେ ପୀୟୂଷ ଗୋଏ କହିଛନ୍ତି, “ମୁଁ ଭାବୁଛି ସେମାନ(କଂଗ୍ରେସ) ଆମ ଇତିହାସକୁ ଭୁଲି ଯାଇଛି। କଂଗ୍ରେସ ପାଇଁ ଜମ୍ମୁ-କଶ୍ମୀର ଅବସ୍ଥା କ’ଣ ହୋଇଛି? ପାକିସ୍ତାନ ପଟୁ ବିପଦ, ଚାଇନାର ଦଖଲ, ବିଆର ଆମ୍ବେଦକର ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଅପମାନ କଥା ବୋଧେ କଂଗ୍ରେସର ମନେ ନାହିଁ।”