ଫେକ୍‌ ନ୍ୟୁଜର ପ୍ରଚାର କରୁଥିବା ୩ ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ

ନୂଆଦିଲ୍ଲୀ: ମିଥ୍ୟା ତଥ୍ୟର ପ୍ରଚାର ଚଳାଇଥିବା ୩ ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ ହୋଇଛି। ଏହି ୩ ଚ୍ୟାନେଲ ଫେକ ନ୍ୟୁଜ ପ୍ରଚାର କରୁଥିଲେ ହେଁ ଏହାର ସବସ୍କ୍ରାଇବରଙ୍କ ସଂଖ୍ୟା ୩୩ ଲକ୍ଷ ରହିଥିଲା। ଚ୍ୟାନେଲ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରାଯାଉଥିଲା ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି।

ଫେକ ନ୍ୟୁଜର ପ୍ରଚାର କରୁଥିବା ୩ ୟୁଟ୍ୟୁବ ଚ୍ୟାନେଲ ହେଲେ ନ୍ୟୁଜ ହେଡଲାଇନ୍ସ, ସରକାରୀ ଅପଡେଟ ଓ ଆଜତକ ଲାଇଭକ। ସରକାରୀ ଅପଡେଟର ସବସ୍କ୍ରାଇବରଙ୍କ ସଂଖ୍ୟା ୨.୨୬ ମିଲିୟନ ରହିଥିଲା। ଆଜତକ ଲାଇଭର ସବସ୍କ୍ରାଇବରଙ୍କ ସଂଖ୍ୟା ୬୫ ହଜାର ଓ ନ୍ୟୁଜ ହେଡଲାଇନ୍ସକୁ ୧୦ ଲକ୍ଷ ଲୋକ ସବସ୍କ୍ରାଇବ କରିଥିବା ବେଳେ ୩୨ କୋଟି ଲୋକ ଏହାର ଭିଡିଓକୁ ଦେଖିଛନ୍ତି।

ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଜାରି ବିବୃତିରେ କୁହାଯାଇଛି ଯେ ପିଆଇବିର ପ୍ୟାକ୍ଟ ଚେକ୍‌ ୟୁନିଟ ପକ୍ଷରୁ ଏହି ୩ ଚ୍ୟାନେଲ ବିରୋଧରେ ଯାଞ୍ଚ କରାଯାଇଥିଲା। ଏଜେନ୍ସି ପକ୍ଷରୁ ୪୦ଟି ବିଷୟରେ ଫ୍ୟାକ୍ଟ ଚେକ୍‌ କରାଯାଇଥିଲା। ଏହି ସମୟରେ ଚ୍ୟାନେଲଗୁଡ଼ିକରେ ପ୍ରକାଶ ପାଉଥିବା ବିଷୟବସ୍ତୁ ଗୁଡ଼ିକରେ କୌଣସି ସତ୍ୟତା ନଥିବା ଜଣାପଡ଼ିଛି।

ଚ୍ୟାନେଲଗୁଡ଼ିକରେ ପ୍ରଧାନମନ୍ତ୍ରୀ, ସିଜେଆଇ, ସୁପ୍ରିମକୋର୍ଟ, ନିର୍ବାଚନ କମିଶନ ଓ ଇଭିଏମ ଭୋଟିଂ ସିଷ୍ଟମ ସମ୍ପର୍କରେ ତଥ୍ୟହୀନ ଖବର ପ୍ରକାଶ କରାଯାଉଥିଲା। ଏହିସବୁ ଫେକ ଭିଡିଓକୁ ୪୦ କୋଟିରୁ ଅଧିକ ଥର ମଧ୍ୟ ଲୋକମାନେ ଦେଖିଛନ୍ତି।
ଏହି ଚ୍ୟାନେଲଗୁଡ଼ିକରେ ପ୍ରକାଶ ପାଇଥିବା ନକଲି ଖବରର କିଛି ଉଦହାରଣ ମଧ୍ୟ ସରକାର ଦେଇଛନ୍ତି। ଗୋଟିଏ ଭିଡିଓ ଜାରି କରି ଉକ୍ତ ଚ୍ୟାନେଲରେ ଗୁଡ଼ିକରେ ଦାବି କରାଯାଇଥିଲା ଯେ ଭବିଷ୍ୟତରେ ନିର୍ବାଚନ ଇଭିଏମ ବଦଳରେ ବାଲଟ ପେପରରେ ହେବ। ସେହିପରି ଆଉ ଗୋଟିଏ ଭିଡିଓରେ ଦାବି କରାଯାଇଥିଲା ଯେ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଆଧାର କାର୍ଡ ରଖିଥିବା ଲୋକମାନଙ୍କୁ ସରକାର ଟଙ୍କା ବାଣ୍ଟୁଛନ୍ତି।
ଫେକ ନ୍ୟୁଜର ପ୍ରଚାର କରୁଥିବା ଚ୍ୟାନେଲଗୁଡ଼ିକ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରତିଷ୍ଠିତ ଟିଭି ଚ୍ୟାନେଲର ଲୋଗୋ ଓ ଆଙ୍କରମାନଙ୍କ ଫଟୋ ବ୍ୟବହାର କରୁଥିଲେ। ଏହାଦ୍ୱାର ଫେକ ନ୍ୟୁଜରେ ସତ୍ୟତା ଥିବା ଲୋକଙ୍କ ମନରେ ଧାରଣା ସୃଷ୍ଟି କରୁଥିଲେ।
ଏହି ଚ୍ୟାନେଲଗୁଡ଼ିକ ସେମାନଙ୍କ ଭିଡିଓରେ ବିଜ୍ଞାପନ ଦେଉଥିଲେ ଓ ମିଥ୍ୟା ତଥ୍ୟ ଦେଇ ୟଟ୍ୟୁବରୁ ଟଙ୍କା ମଧ୍ୟ ପାଇବାର ବ୍ୟବସ୍ଥା କରିଥିଲେ ବୋଲି ପିଆଇବି କହିଛି।
ପିଆଇବି ଆହୁରି କହିଛି ଯେ ମିଥ୍ୟା ତଥ୍ୟର ପ୍ରଚାର କରୁଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବର୍ଷକ ମଧ୍ୟରେ ୧୦୦ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛି। ଆଗକୁ ମଧ୍ୟ ଏଭଳି ଧାରା ଜାରି ରହିବ ବୋଲି ଏଜେନ୍ସି କହିଛି।

nis-ad
Leave A Reply

Your email address will not be published.