ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଉଦଯାପିତ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭାବାନୀଶଙ୍କର ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏଥିରେ ସାମିଲ ହୋଇଥିବା ମୋଟ ୯୦ଟି ପ୍ରକଳ୍ପ ଭିତରୁ ୫ଟି ରାଜ୍ୟସ୍ତରୀୟ ପ୍ରଦର୍ଶନୀ ପାଇଁ ମନୋନିତ ହୋଇଛି।

ଏହି ଅବସରରେ ‘ଦୀର୍ଘସ୍ଥାୟୀ ବିକାଶ ପାଇଁ ବୈଜ୍ଞାନିକ ଉଦ୍ଭାବନଶୀଳ’ ବିଷୟ ଉପରେ ଏକ ଆଲୋଚନାଚକ୍ର ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ଭିତରୁ ଜଣେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଲାଗି ଚୟନ ହୋଇଛନ୍ତି।

ଛାତ୍ରଛାତ୍ରୀଙ୍କ ଭିତରେ ବିଜ୍ଞାନ, ଗଣିତ ଓ ପରିବେଶ ଆଦି ବିଷୟରେ ଆଗ୍ରହ ବଢ଼ାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ଥିମ ରହିଥିଲା ‘ଟେକ୍ନୋଲୋଜି ଏବଂ ଟଏ’।

ଛାତ୍ରଛାତ୍ରୀମାନେ ସୂଚନା, ଯୋଗାଯୋଗ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା, ପରିବେଶ ଅନୁକୂଳ ସାମଗ୍ରୀ, ନବସୃଜନ, ପରିବହନ ଏବଂ ପରିବେଶ ସୁରକ୍ଷା ଆଦି ବିଷୟ ଉପରେ ଆକର୍ଷଣୀୟ ପ୍ରକଳ୍ପ ପ୍ରସ୍ତୁତ କରି ଏହି ପ୍ରଦର୍ଶନୀରେ ସାମିଲ କରିଥିଲେ।

ଏହି ଅବସରରେ ବିଭିନ୍ନ ବିଜ୍ଞାନ ମଡେଲକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଏବଂ ପ୍ରକଳ୍ପ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରୁ ୮୨ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ୮୨ଟି ପ୍ରକଳ୍ପ ଏଥିରେ ସାମିଲ ହୋଇଥିଲା। ସେଥିମଧ୍ୟରୁ ୮ଟି ପ୍ରକଳ୍ପ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଯିବା ଲାଗି ମନୋନିତ ହୋଇଛି।

ପୂର୍ବରୁ ବ୍ଲକ ସ୍ତରରେ ଗଣିତ, ବିଜ୍ଞାନ ଏବଂ ପରିବେଶ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଏବଂ ପୌରପାଳିକାର ଅଧ୍ୟକ୍ଷା ତନୟା ମିଶ୍ର ଯୋଗ ଦେଇଥିଲେ।

ଉଦଯାପନୀ ଉତ୍ସବରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ, ସମ୍ବଲପୁରର ଆଞ୍ଚଳିକ ନିର୍ଦ୍ଦେଶକ ବିକାଶ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ, ସୁନ୍ଦରଗଡ଼ ଅତିରିକ୍ତ ଶିକ୍ଷା ଅଧିକାରୀ ସାରଙ୍ଗଧର ବରିହା, ଡାଏଟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶିବଶଙ୍କର ଷଡ଼ଙ୍ଗୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସୂରଜ ପ୍ରକାଶ ଚୌଧୁରୀ, ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ଚୌଧୁରୀ, କୁଆରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସଦାନନ୍ଦ ପ୍ରଧାନଙ୍କ ସମେତ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ। ଏହା ସହିତ ବିଜ୍ଞାନ ବିଷୟକୁ ନେଇ ଏକ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.