ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଭାବ ଓ ଅବଦାନ ଥିଲା ଅନନ୍ୟ


ଉତ୍କଳ ବିଶ୍ବବିଦ୍ୟାଳୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୨ତମ ଜୟନ୍ତୀ
ମୁଦ୍ରଣାଳୟରେ ଉଦଘାଟିତ ହେଲା ଅତ୍ୟାଧୁନିକ ନୂତନ ମେସିନ ଓ ହାଇସ୍ପିଡ ପ୍ରିଣ୍ଟର
ଭୁବନେଶ୍ୱର: ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ତଥା ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ସଭାପତି ମୟୂରଭଞ୍ଜର ପ୍ରଜାବତ୍ସଳ ଆଦର୍ଶ ଶାସକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୨ତମ ଜୟନ୍ତୀ ଉତ୍କଳ ବିଶ୍ବବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ମୁଦ୍ରଣାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଦ୍ରଣାଳୟରେ ଅତ୍ୟାଧୁନିକ ନୂତନ ମେସିନ ଏବଂ ରିସୋ କମ୍ପାନୀର ହାଇସ୍ପିଡ ପ୍ରିଣ୍ଟରକୁ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଉଦଘାଟନ କରିଥିଲେ। ଏହି ଅତ୍ୟାଧୁନିକ ମେସିନର ପ୍ରିଣ୍ଟିଂ ପ୍ରୋସେସ ଓ କାର୍ଯ୍ୟକ୍ଷମ କ୍ଷମତା ସମ୍ପର୍କରେ ଜାଣି କୁଳପତି ଖୁସି ହେବା ସହିତ ମହାରାଜା ଶ୍ରୀରାମଚନ୍ଦ୍ର ମୁଦ୍ରଣାଳୟ ନବୀକରଣ ସହ ଏହାର ପୁନଃରୁଦ୍ଧାର କରାଯାଇ ନୂତନ ରୂପ ଦିଆଯାଇଥିବାରୁ କୁଳପତି ଆନନ୍ଦ ପ୍ରକାଶ କରିଥିଲେ।
ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଜଣେ ପ୍ରଜାବତ୍ସଳ, ପରୋପକାରୀ ଓ ଦେଶପ୍ରେମୀ ଶାସକ ଭାବେ ଲୋକପ୍ରିୟ ଥିଲେ। ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ତାଙ୍କର ପ୍ରଭାବ ଓ ଅବଦାନ ଥିଲା ଅନନ୍ୟ। ଓଡ଼ିଆ ଭାଷା, ସାହିତ୍ୟ ସହ ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଅବଦାନ ଅବିସ୍ମରଣୀୟ ବୋଲି କୁଳପତି ପ୍ରକାଶ କହିଥିଲେ। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବଙ୍କ ପରାମର୍ଶକ୍ରମେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ରାୟବାହାଦୁର ଚିନ୍ତାମଣି ଆଚାର୍ଯ୍ୟଙ୍କ ଅନୁରୋଧ ରକ୍ଷା କରି ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ତାଙ୍କର ଷ୍ଟେଟ ମୁଦ୍ରଣାଳୟକୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ। ଏଥିପାଇଁ ବିଶ୍ବବିଦ୍ୟାଳୟ ତାଙ୍କ ନିକଟରେ କୃତଜ୍ଞ ବୋଲି କୁଳପତି ପ୍ରକାଶ କରିଥିଲେ।
ମହାରାଜା ଶ୍ରୀରାମଚନ୍ଦ୍ର ମୁଦ୍ରଣାଳୟର ଭାରପ୍ରାପ୍ତ ଅଧିକାରୀ ଡ. ଡ.ବ୍ରଜକିଶୋର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳସଚିବ ଡ.ଅଭୟ କୁମାର ନାୟକ, ପରୀକ୍ଷା ନିୟନ୍ତ୍ରକ ଡ.ଶରତ କୁମାର ମାଝି, ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରେସ କର୍ମଚାରୀ ସଂଘ ସଭାପତି ଗିରିଜା ପ୍ରସାଦ ବେହେରା, ସମ୍ପାଦକ ଉମାକାନ୍ତ ବେହେରା, ଇଂ.ଅମୂଲ୍ୟ କୁମାର ପ୍ରତିହାରୀ, ଇଂ.ଅମିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.