ସଂପୂର୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନିି-୫ କ୍ଷେପଣାସ୍ତ୍ର, ନିର୍ମାଣ ପାଇଁ ୫୦କୋଟି ଟଙ୍କାବ୍ୟୟ

ଧାମରା: ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଆଜି ସନ୍ଧ୍ୟା ୫.୪୫ମିନିଟ ସମୟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ସୁଦୀର୍ଘ ଚାଇନା ଏବଂ ରୁଷିଆକୁ ଲକ୍ଷ୍ୟଭେଦ କରିପାରୁଥିବା ଏବଂ ଚାଇନାର ଡଙ୍ଗପେଙ୍ଗ କ୍ଷେପଣାସ୍ତ୍ରକୁ ଟକ୍କର ଦେବା ଭଳି ଏହି ଅଗ୍ନି -୫ କ୍ଷେପଣାସ୍ତ୍ର ୫୦୦୦କିଲୋମିଟର ଲକ୍ଷ୍ୟଭେଦ କରିପାରିବ ବୋଲି ଡିଆରଡିଓ କର୍ତ୍ତୃପକ୍ଷ କହୁଥିବା ବେଳେ ଏହାର ପ୍ରକୃତ ଲକ୍ଷ୍ୟଭେଦ ୫ହଜାର ମାଇଲ ଅର୍ଥାତ ୮ହଜାର କିଲୋମିଟର ବୋଲି ବହୁ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି।

ଏହି କ୍ଷେପଣାସ୍ତ୍ରଟି ସଂପୂର୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏହି କ୍ଷେପଣାସ୍ତ୍ର ୫୦କୋଟି ଟଙ୍କାବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ଲମ୍ବ ୧୭ମିଟର, ମୋଟେଇ ୨ମିଟର, ଓଜନ ୫୦ଟନ ହୋଇଥିବା ବେଳେ ଏହା ୧.୧ଟନ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ହାସଲ କରିଛି। ଅଗ୍ନି-୫ କ୍ଷେପଣାସ୍ତ୍ର ୩ଷ୍ଟେଜ ବିଶିଷ୍ଟ କଠିନ ଇନ୍ଧନ ଯୁକ୍ତ। ପ୍ରଥମ ଷ୍ଟେଜ ନିଆଁ ଧରିବାର ୬୦ସେକେଣ୍ଡ ମଧ୍ୟରେ ଦ୍ୱିତୀୟ ଷ୍ଟେଜ ଏବଂ ୧୮୦ସେକେଣ୍ଡ ମଧ୍ୟରେ ତୃତୀୟ ଷ୍ଟେଜ କଠିନ ଇନ୍ଧନ ନିଆଁ ଧରିଥାଏ। ଆଜି ଏହି କ୍ଷେପଣାସ୍ତ୍ର ସନ୍ଧ୍ୟା ୫.୪୫ ମିନିଟରେ ପରୀକ୍ଷଣ ହୋଇଥିବା ବେଳେ ଏହି ଅଗ୍ନି-୫ କ୍ଷେପଣାସ୍ତ୍ର ଚାଇନା, ରୁଷିଆ, ମସ୍କୋ, ଆଥେନ୍ସ, କାଇରା,ତେହେରାନ,ବେଜିଂ, ହଂଗକଂଗ,ବ୍ୟାଙ୍ଗକ, ଜାକର୍ତା ଏବଂ ଟୋକିଓକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ଅଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଆଜି ଏହା ଧାମରା ଠାରେ ଥିବା କଲାମ ଘାଟିରୁ ୪ନଂ ଲଞ୍ଚପ୍ୟାଡରୁ କରାଯାଇଥିଲା। ଏହା ରୋଡ ଏବଂ ରେଳ ଲଞ୍ଚପ୍ୟାଡରୁ ମୋବାଇଲ ଲଞ୍ଚର ଯୋଗେ ପରୀକ୍ଷଣ କରାଯାଇ ପାରିବ।
ଏହି ଅଗ୍ନି -୫କ୍ଷେପଣାସ୍ତ୍ର ଆଜି ତାର ୮ମ ସଂସ୍କରଣ ପରୀକ୍ଷା କରାଯାଇଥିଲା। ଏହାର ପ୍ରଥମ ପରୀକ୍ଷା ୧୯ଏପ୍ରିଲ ୨୦୧୨, ଦ୍ୱିତୀୟ ପରୀକ୍ଷଣ ୧୫ ସେପ୍ଟମ୍ବର ୨୦୧୩, ତୃତୀୟ ପରୀକ୍ଷଣ ୩୧ ଜାନୁଆରୀ ୨୦୧୫ ଏବଂ ୪ର୍ଥ ପରୀକ୍ଷଣ ୨୬ ଡିସେମ୍ବର ୨୦୧୬ରେ ଏବଂ ୫ମ ପରୀକ୍ଷଣ ୧୮ ଜାନୁଆରୀ ୨୦୧୮ ରେ, ୬ଷ୍ଠ ପରୀକ୍ଷଣ ୩ଜୁନ ୨୦୧୮ରେ ଏବଂ ଏହାର ଶେଷ ସଂସ୍କରଣ ୧୦ ଡିସେମ୍ବର ୨୦୧୮ ମସିହାରେ ସଫଳତାର ସହ ହୋଇଥିଲା। ଏହାର ୟୁଜର୍ସ ଟ୍ରାଏଲ ଭର୍ସନର ପରୀକ୍ଷଣ ୨୭ ଅକ୍ଟୋବର୨୦୨୧ ମସିହାରେ ହୋଇଥିଲା। ବୋଲି ପ୍ରତିରକ୍ଷା ବିଭାଗ ସୂଚନା ପ୍ରଦାନ କରିଛନ୍ତି।

nis-ad
Leave A Reply

Your email address will not be published.