ଭାରତର ପରମାଣୁ ଅସ୍ତ୍ର କ୍ଷମତା ୧୯୬୮ରେ ଆମେରିକାକୁ ଚକିତ କରିଥିଲା

ମୁମ୍ବାଇ: ୧୯୬୮ ମସିହାରେ ମୁମ୍ବାଇର ଟ୍ରମ୍ବେଠାରେ ଥିବା କାନାଡ଼ା-ଇଣ୍ଡିଆ ରିଆକ୍ଟର (ସିଆଇଆର୍‌)କୁ କାନାଡ଼ାର ଆଣବିକ ପର୍ଯ୍ୟବେକ୍ଷକମାନେ ପରିଦର୍ଶନ କରିବାକୁ ଆସିଥିଲେ। ସେଠାରେ ସେମାନେ ଜାଣିବାକୁ ପାଇଲେ ଯେ ଭାରତ ପରମାଣୁ ଅସ୍ତ୍ର ନିର୍ମାଣ ଦିଗରେ ଅଗ୍ରସର ହୋଇପାରେ। ଏ ବିଷୟରେ ଖବର ପାଇବା ପରେ ଆମେରିକା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା।

ଶୁକ୍ରବାର ୱାସିଂଟନରେ ପ୍ରକାଶ ପାଇଥିବା ଏକ ବର୍ଗୀକୃତ ଦଲିଲ ଅନୁଯାୟୀ ସେତେବେଳେ କାନାଡ଼ାର ବିଶେଷଜ୍ଞମାନେ ଆମେରିକା କୂଟନୀତିଜ୍ଞମାନଙ୍କୁ କହିଲେ ଯେ ଟ୍ରମ୍ବେରେ ଥିବା ରିଆକ୍ଟରରେ ଭାରତ ‘ୱିପନ୍ସ ଗ୍ରେଡ୍ ପ୍ଲୁଟୋନିୟମ୍’ ପ୍ରସ୍ତୁତ କରୁଛି। ଏହି ରିଆକ୍ଟରରେ ଭାରତ ବର୍ଷକୁ ୧୨ କେଜି ପର୍ଯ୍ୟନ୍ତ ପ୍ଲୁଟୋନିୟମ୍ ପ୍ରସ୍ତୁତ କରିପାରିବ। ଭାରତ ସେତେବେଳେ ଯୁକ୍ତି କରିଥିଲା ଯେ ଏହା ଉତ୍ପାଦିତ ପ୍ଲୁଟୋନିୟମ୍‌କୁ ଶାନ୍ତିପୂର୍ଣ୍ଣ ଆଣବିକ ବିସ୍ଫୋରଣ (ପିଏନ୍‌ଇ) ପାଇଁ ବ୍ୟବହାର କରିବ। ୧୯୭୪ ମେ ମାସରେ ଭାରତ ପ୍ରଥମ ପରମାଣୁ ବୋମା ପରୀକ୍ଷା କରିଥିବା ବେଳେ ଭାରତର ଏହି କ୍ଷମତା ନେଇ ଯଥେଷ୍ଟ ଆଗରୁ ଆମେରିକା ସୂଚନା ପାଇ ସାରିଥିଲା। ଏହା ଅଣୁ-ଅସ୍ତ୍ର ଅପ୍ରସାର ଚୁକ୍ତିର ଉଲ୍ଲଂଘନ ଥିଲା।

୧୯୭୦ ନଭେମ୍ବର ମାସରେ ଆମେରିକା ଭାରତକୁ କହିଥିଲା ଯେ ପିଏନ୍‌ଇ ଡିଭାଇସ୍ ଉତ୍ପାଦନ ଆମେରିକା ସହ ହୋଇଥିବା ଚୁକ୍ତିର ପରିପନ୍ଥୀ ଏବଂ ଆମେରିକା ଏହାର ଦୃଢ଼ ବିରୋଧ କରେ। ଏହାର ଉତ୍ତରରେ ଭାରତୀୟ ଅଧିକାରୀମାନେ ଘୋଷଣା କଲେ ଯେ ଅଣବିକ ଅସ୍ତ୍ର ତିଆରି କରିବା ସେମାନଙ୍କର ଉଦ୍ଦେଶ୍ୟ ନୁହେଁ। ଆଣବିକ ପ୍ରଯୁକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ କରିବା ପାଇଁ ଭାରତ ପାଖରେ ବ୍ୟାପକ ସୁଯୋଗ ଓ ପରିସର ରହିଛି।
୧୯୭୪ ଜୁନ୍ ମାସର ଏକ ବର୍ଗୀକୃତ ଦଲିଲରୁ ଜଣାପଡ଼ିଛି ଯେ, ଭାରତ ପରମାଣୁ ଅସ୍ତ୍ର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିବାର ଆମେରିକା ପାଖରେ କୌଣସି ପ୍ରମାଣ ନ ଥିଲା। ଭାରତ ଆଗରେ ପରମାଣୁ ଶକ୍ତିର ଉପଯୋଗ ଲାଗି ଅନେକ ରାସ୍ତା ଅଛି ବୋଲି ସେମାନେ ଆକଳନ କରୁଥିଲେ। କିନ୍ତୁ ଭାରତ ଚାହିଲେ ପରମାଣୁ ବୋମା ତିଆରି କରିପାରିବ ବୋଲି ଆମେରିକା ଦୃଢ଼ନିଶ୍ଚିତ ଥିଲା।

nis-ad
Leave A Reply

Your email address will not be published.