ଫେରିଗଲେ ହାତୀପଲ

କଟକ: ଜଙ୍ଗଲକୁ ଫେରିଲେ ମହାନଦୀ ପଠାରେ ଥିବା ୧୮ଟିକିଆ ହାତୀପଲ । ଆଜି ସକାଳୁ ସକାଳୁ ନୂଆପାଟଣା ଦେଇ ଆଠଗଡ଼ ବଉଳ ଜଙ୍ଗଲକୁ ହାତୀପଲ ଫେରିଥିବା ଖବର ମିଳିଛି । ହାତୀପଲଙ୍କୁ ଘଉଡାଇବାକୁ ଗତକାଲି ରାତିସାରା ପ୍ରୟାସ କରୁଥିଲେ ବନକର୍ମଚାରୀ । ବନକର୍ମଚାରୀଙ୍କ ଉଦ୍ୟମ ସଫଳ ହେବା ସହ ହାତୀପଲ ଜଙ୍ଗଲକୁ ଫେରିଯାଇଛନ୍ତି । ସୂଚନା ମୁତାବକ ଗତକାଲି ତୁଳସୀପୁର ନିକଟସ୍ଥ ମହାନଦୀର ନନ୍ଦିକେଶ୍ବରୀ ପଠାରେ ୧୮ଟିକିଆ ହାତୀପଲ ଅଟକି ରହିଥିଲେ ।

ପଠାରେ ହାତୀ ପଲ ଅଟକି ରହିଥିବାରୁ ସେମାନେ କେଉଁଆଡେ ଯିବେ ତାହାକୁ ନେଇ ସଙ୍କାରେ ପଡିଥିଲା ବନବିଭାଗ। ମହାନଦୀରେ ପହଁରି ପହଁରି ଯେପରି କଟକକୁ ହାତୀପଲ ନ ଆସିପାରିବେ ସେଥିପ୍ରତି ବନବିଭାଗ କର୍ମଚାରୀ ସତର୍କ ରହିଥିଲେ । ଅପରପକ୍ଷରେ ସହର ମୁହାଁ ହାତୀପଲକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଥିଲା। ଘଟଣାକୁ ଦୃଷ୍ଟିରେ ରଖି ବନ ବିଭାଗର କର୍ମଚାରୀ ମାନେ ହାତୀ ଘଉଡ଼ାଇବାକୁ ପ୍ରୟାସ କରିଥିଲେ ।

କ୍ଷେତରେ ଧାନ ପାଚିଥିବା ବେଳେ ଖାଇବାକୁ ହାତୀ ପଲ ଚନ୍ଦକା ଜଙ୍ଗଲରୁ ଚାଲିଆସିଥିବା କୁହାଯାଉଛି । କିଛିଦିନ ପୂର୍ବେ ଜଗତପୁର ଅଞ୍ଚଳକୁ ୩ଟି ହାତୀ ପଶି ଉପଦ୍ରବ ସୃଷ୍ଟି କରିଥିଲେ । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟଭୀତ ଦେଖାଦେଇଥିଲା । ବନ ବିଭାଗ ପକ୍ଷରୁ ହାତୀ ପଲଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ଯେପରି ସେମାନେ ପଠାରୁ ଜଙ୍ଗଲ ମୁହାଁ ହେବେ ଏ ନେଇ ଉଦ୍ୟମ ଆରମ୍ଭ କରାଯାଇଥିଲା । କର୍ମଚାରୀମାନେ ବୋଟ୍‌ ସହାୟତାରେ ପଠାକୁ ଯାଇ ହତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ହାତୀଙ୍କୁ ଘଉଡାଇଥିଲେ ।

nis-ad
Leave A Reply

Your email address will not be published.