ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ ସୈନ୍ୟ ସଂଘର୍ଷ, ଚୀନ ପକ୍ଷର ଅଧିକ ସୈନ୍ୟ ଆହତ

ନୂଆଦିଲ୍ଲୀ : ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ ସେନା । ଏହି ସଂଘର୍ଷରେ ଉଭୟ ପକ୍ଷର ଯବାନ ଆହତ ହୋଇଥିବା ସୂଚନା ହସ୍ତଗତ ହୋଇଛି । ୨୦୨୦ରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ଏହା ଏଧରଣର ପ୍ରଥମ ସଂଘର୍ଷ ।

ସେନା ସୁତ୍ରକୁ ଉଦ୍ଧାର କରି କେତେକ ଜାତୀୟ ସ୍ତରର ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି ଗତ ୯ ତାରିଖରେ ଅରୁଣାଚଳପ୍ରଦେଶର ତଓ୍ବାନସ୍ଥିତ ୟାଙ୍ଗସିଠାରେ ଚୀନର ପିଏଲଏ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ ବନ୍ଧୁକର ବ୍ୟବହାର ହୋଇନଥିଲା । ଉଭୟ ପକ୍ଷର ସୈନ୍ୟ ହାତାହାତି ଓ ଅନ୍ୟ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଷରେ ଉଭୟ ପକ୍ଷର ସୈନ୍ୟ ଆହତ ହୋଇଛନ୍ତି । କିନ୍ତୁ ଚୀନ ପକ୍ଷର ଅଧିକ ସୈନ୍ୟ ଆହତ ହୋଇଛନ୍ତି ବୋଲି ଜଣେ ସେନା ଅଧିକାରୀ ନିଜ ନାମ ପ୍ରକାଶ ନ କରି ସୂଚନା ଦେଇଛନ୍ତି ।
‘ଦି ହିନ୍ଦୁ’ର ଏକ ରିପୋର୍ଟ ଅନୁସାରେ ଚୀନ ପକ୍ଷରୁ ପ୍ରାୟ ୬ ଶହରୁ ଅଧିକ ସୈନ୍ୟ ଭାରତୀୟ ସୀମାନ ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରିବାବେଳେ ଭାରତୀୟ ସେନା ପକ୍ଷରୁ ସେମାନଙ୍କୁ ପ୍ରତିରୋଧ କରାଯାଇଥିଲା । ସଂଘର୍ଷ ପରେ ଉଭୟ ପକ୍ଷ ମଧ୍ୟରେ ଫ୍ଲାଗ୍ ମିଟିଂ ହୋଇଥିଲା ଓ ଚୀନ ସୈନ୍ୟମାନେ ଫେରିଯାଇଥିଲେ ବୋଲି ଜଣାପଡ଼ିଛି ।

ଗତ ୨୦୨୦, ଜୁନ ୧୫ରେ ପୂର୍ବ ଲଦାଖର ଗଲଓ୍ବାନଠାରେ ଭାରତ ଓ ଚୀନ ସୈନ୍ୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ତେବେ ଚୀନ ସୈନ୍ୟଙ୍କ ମୃତାହତ ସଂଖ୍ୟା ଏବେ ବି ସଂଦେହରେ ରହଛି ।

nis-ad
Leave A Reply

Your email address will not be published.