ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ସୁଖବିନ୍ଦର ସିଂ ସୁଖୁ  !

ଶିମଲା: ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ସୁଖବିନ୍ଦର ସିଂ ସୁଖୁ। ଏନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ସେ ହିମାଚଳ କଂଗ୍ରେସର କ୍ୟାଂପେନିଂ କମିଟି ଚେୟାରମ୍ୟାନ ଅଛନ୍ତି। ତାଙ୍କ ସପକ୍ଷରେ ଅଧିକ କଂଗ୍ରେସ ବିଧାୟକଙ୍କ ସମର୍ଥନ ଥିବା ଜଣାପଡ଼ିଛି। ଏହି ଆଧାରରେ ତାଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କରିବା ନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ତେବେ ସରକାରରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ୬୮ ଆସନ ବିଶିଷ୍ଟ ହିମାଚଳ ବିଧାନସଭା ଆସନରୁ କଂଗ୍ରେସ ୪୦ଟି ଜିତି ସଂଖ୍ୟାଗରିଷ୍ଠ ହାସଲ କରିଛି। କିନ୍ତୁ ସୁଖୁଙ୍କ ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲେ ବି ଆଗକୁ ବିବାଦ ଜାରି ରହିବାର ସମ୍ଭାବନା ରହିଛି । କାରଣ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂଙ୍କ ଗୋଷ୍ଠୀ ସୁଖୁଙ୍କ ନାମକୁ ନେଇ ପୂର୍ବରୁ ହିଁ ଖୋଲାଖୋଲି ଅସନ୍ତୋଷ ପ୍ରକଟ କରିସାରିଛି । ଏବେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ପ୍ରତିଭାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇବାର ଆଶଙ୍କା ବଢିଯାଇଛି ।

କାରଣ ଗତକାଲି ବିଧାୟକ ଦଳ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାର ଥିବା ୪ ନେତା ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏମାନଙ୍କ ମଧ୍ୟରୁ ସବୁଠାରୁ ଆଗରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ନେତା ଭିର୍ଦ୍ଦିଭ ସିଂହଙ୍କ ପତ୍ନୀ ପ୍ରତିଭା ସିଂହ। ସେ ହିମାଚଳ ପ୍ରଦେଶ କଂଗ୍ରେସ ମୁଖ୍ୟ। ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ମଧ୍ୟ ଲଢ଼ିଥିଲା। ସେ ମଧ୍ୟ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ। ହେଲେ ଆଜି ଦଳୀୟ ରାଜନୀନିତିରେ ନୂଆ ଟ୍ୱିଷ୍ଟ ଆସିଥିଲା। ମୁଖ୍ୟମନ୍ତ୍ରୀ ରେସ୍‌ରେ ଥିବା ପ୍ରତିଭା ସିଂହଙ୍କ ଆଶା ମଉଳିବା ଜାଣିବା ପରେ ସେ ଏଥିରୁ ଓହରି ଯାଇଛନ୍ତି ।

କଂଗ୍ରେରସ ତାଙ୍କ ପରିବାରକୁ ଅଣଦେଖା କରୁଥିବା ଅଭିଯୋଗ ଆଣି ସେ ହାଇକମାଣ୍ଡକୁ ଏକ ଚିଠି ଲେଖିଛନ୍ତି। ଅନ୍ୟପଟେ ସୁଖୁଙ୍କ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହେବାକୁ ଆଦୌ ଆଶା କରି ନଥିବା କହିଛନ୍ତି। ସେ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହେଁ। ମୁଁ ଜଣେ ଶୃଙ୍ଖଳିତ ସୈନ୍ୟ। କଂଗ୍ରେସ ଦଳ ଓ ବିଧାୟକ ଭାବେ ମୁଁ କାମ କରୁଛି ଏବଂ ଆଗକୁ ମଧ୍ୟ ମୋର କାମ ଜାରି ରହିବ। ହାଇକମାଣ୍ଡଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ।”

nis-ad
Leave A Reply

Your email address will not be published.