ଏୟାର ଇଣ୍ଡିଆ ବିମାନରେ ସାପ ! ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

ଦୁବାଇ : କେରଳର କାଲିକଟରୁ ଦୁବାଇ ଯାଇଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏକ ସାପ ମିଳିଛି । ବିମାନଟି ଦୁବାଇ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବା ପରେ ତାହାର କାର୍ଗୋ ହୋଲଡ୍ ( ଜିନିଷପତ୍ର ରଖାଯାଉଥିବା ସ୍ଥାନ)ରେ ସାପଟିକୁ ଦେଖିବାକୁ ମିଳିଥିଲା । ସାପ ଦେଖାଯିବା ପରେ ବିମାନ ପକ୍ଷରୁ ତୁରନ୍ତ ଏୟାରପୋର୍ଟର ଫାୟାର ସର୍ଭିସକୁ ଖବର ଦିଆଯାଇଥିଲା । ସେମାନେ ଆସି ସାପକୁ ଉଦ୍ଧାର କରିଥିଲେ ।

ତେବେ ଏହି ଘଟଣାରେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ତେବେ ସାପ କିପରି ବିମାନରେ ପଶିଲା ତାହାର ତଦନ୍ତ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ।
ଡିଜିସିଏର ଜଣେ ଅଧିକାରୀ କହିଛନ୍ତି ଯେ ଏହା ଗ୍ରାଉଣ୍ଡ ହାଣ୍ଡଲିଂରେ ଏକ ତ୍ରୁଟି । ଘଟଣାର ତଦନ୍ତ କରାଯିବ ଓ ଅବହେଳା କରିଥିବା କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ଏହି ଘଟଣା ସଂପର୍କରେ ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ତ୍ତୃପକ୍ଷଙ୍କ କୌଣସି ବୟାନ ମିଳିପାରିନାହିଁ ।

ଗତ ଅକ୍ଟୋବର ମାସରେ ଆମେରିକାର ଏକ ବିମାନରେ ସାପ ଦେଖିବାକୁ ମିଳିଥିଲା । ୟୁନାଇଟେଡ୍ ଏୟାରଲାଇନ୍ସର ଏହି ବିମାନ ଫ୍ଲୋରିଡାରୁ ନ୍ୟୁଜର୍ସିକୁ ଯାଉଥିଲା । ବିଜନେସ କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହି ସାପକୁ ଦେଖିବା ପରେ ଆତଙ୍କିତ ହୋଇଯାଇଥିଲେ । ସାପଟି ବିଷଧର ନଥିଲେ ବି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ପରେ ଏୟାରପୋର୍ଟର ଜୀବ ନିୟନ୍ତ୍ରଣ କର୍ମଚାରୀମାନେ ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରିବା ସହ ଜଙ୍ଗଲରେ ଛାଡ଼ିଦେଇଥିଲେ ।

nis-ad
Leave A Reply

Your email address will not be published.