ଶେଷ ଦିନିକିଆରେ ଦମଦାର୍ ପ୍ରଦର୍ଶନ: ବାଂଲାଦେଶକୁ ୨୨୭ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ : ପ୍ରଥମ ୨ଟି ମ୍ୟାଚ ହାରି ସିରିଜ୍ ହାରିଯାଇଥିବା ଭାରତୀୟ ଦଳ ଚଟ୍ଟଗ୍ରାମରେ ଅନୁଷ୍ଠିତ ୩ୟ ଦିନିକିଆରେ ବାଂଲାଦେଶକୁ ୨୨୭ ରନରେ ପରାସ୍ତ କରିଛି ।

ଭାରତ ପକ୍ଷରୁ ରଖାଯାଇଥିବା ୪୧୦ ରନର ବିଜୟ ଲକ୍ଷ୍ୟ ଜବାବରେ ବାଂଲାଦେଶ ଦଳ ୧୮୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସାକିବୁଲ ଅଲ ହସନ ସର୍ବାଧିକ ୪୩ ରନ କରିଥିବାବେଳେ ଲିଟନ ଦାସ ୨୯ ରନ ଓ ୟାସିର ଅଲ୍ଲି ୨୫ ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ଓ୍ବିକେଟ ନେଇଥିବାବେଳେ ଉମରାନ ମଲ୍ଲିକ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ମାତ୍ର ୩ ରନରେ ଶିଖର ଧଓ୍ବନଙ୍କ ଓ୍ବିକେଟ୍ ହରାଇଥିଲା । କିନ୍ତୁ ଇଶାନ କିଷନ ଓ ବିରାଟ କୋହଲି ବାଂଲାଦେଶ ବୋଲରଙ୍କ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲେ। କିଷନ ୧୩୧ଟି ବଲରୁ ୧୦ ଛକା ଓ ୨୪ ଚୌକା ସହ ୨୧୦ ରନ କରିଥିଲେ । ୪ର୍ଥ ଭାରତୀୟ ଖେଳାଳି ଭାବେ ସେ ଦିନିକିଆରେ ଦ୍ବି-ଶତକ ହାସଲ କରିଛନ୍ତି । ପୂର୍ବରୁ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହଓ୍ବାଗ, ରୋହିତ ଶର୍ମା ( ୩ ଥର) ଦ୍ବି-ଶତକ ହାସଲ କରିଛନ୍ତି । ସେହିପରି ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ, ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ଟିଲ ଓ ପାକିସ୍ତାନର ଫକର ଜମାନ ଦ୍ବିଶତକ ହାସଲ କରିଛନ୍ତି ।

ସେହିପରି ବିରାଟ ମଧ୍ୟ ଦ୍ରୁତ ଗତିରେ ଖେଳି ୯୧ଟି ବଲରୁ ୧୧୩ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟରଙ୍କ ମଧ୍ୟରୁ ଓ୍ବାସିଂଟନ ସୁନ୍ଦର ୩୭ ରନ ଓ ଅକ୍ଷର ପଟେଲ ୨୦ ରନ କରିଥିଲେ । ଭାରତର ଏହି ବଡ଼ ବିଜୟ ନିଷ୍ଫଳ ଯାଇଛି, କାରଣ ଏହି ୩ଟିକିଆ ସିରିଜରେ ଭାରତ ପୂର୍ବରୁ ଦୁଇଟି ମ୍ୟାଚ ହାରିସାରିଛି।

nis-ad
Leave A Reply

Your email address will not be published.