ସୁନ୍ଦରଗଡ଼ରେ ମହିଳା ଓ ଶିଶୁ ବିରୋଧୀ ହିଂସା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ…

ସୁନ୍ଦରଗଡ଼ : ମହିଳା ଏବଂ ଶିଶୁମାନଙ୍କ ବିରୋଧରେ ଦେଖାଯାଉଥିବା ବିଭିନ୍ନ ହିଂସା ନିୟନ୍ତ୍ରଣ କରିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏନେଇ ରହିଥିବା ବିଭିନ୍ନ ଆଇନ ବିଷୟରେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ସୁନ୍ଦରଗଡ଼ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା।

ରାଜ୍ୟ ମହିଳା ଆୟୋଗ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଆନୁକୂଲ୍ୟରେ ସ୍ଥାନୀୟ ବିକାଶ ଭବନଠାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡକ୍ଟର ମିନତି ବେହେରା ଯୋଗଦେଇ ବାଲ୍ୟ ବିବାହ, ଯୌନ ଶୋଷଣ ଏବଂ ଘରୋଇ ହିଂସା ଆଦି ରୋକିବା ଉପରେ ଗୁରୁତ୍ୱ ଦେଇଥିଲେ।

‘‘ମହିଳାମାନେ ଆଜି ସବୁ କ୍ଷେତ୍ରରେ ଆଗୁଆ ଅଛନ୍ତି। ସେମାନଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ତେଣୁ ମହିଳାମାନେ ସେମାନଙ୍କ ଅଧିକାର ବିଷୟରେ ଜାଣିବା ନିହାତି ଦରକାର। ଏ ବିଷୟରେ ମହିଳାମାନଙ୍କୁ ସଚେତନ କରିବାର ଆବଶ୍ୟତା ରହିଛି। ଏଥିପାଇଁ ସମସ୍ତେ ସହଯୋଗ କରିବାକୁ ଆଗେଇ ଆସିବା ଉଚିତ’’, କହିଛନ୍ତି ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡକ୍ଟର ମିନତି ମହାପାତ୍ର

ଗାଁ ଗାଁରେ ରହୁଥିବା ମହିଳାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଜଣାଇବା ଦିଗରେ ଆଶା ଓ ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସରପଞ୍ଚ ଏବଂ କଲେଜ ଛାତ୍ରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ତେଣୁ ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ବ୍ୟାପକ ଭାବେ ସଚେତନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୦ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା।

ଏହାପରେ ବିକାଶଭବନଠାରେ ମାନବ ଚାଲାଣ ନିରୋଧ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବ୍ଲକର ସିଡିପିଓଙ୍କ ସହ ଆଇସିଡିଏସ୍ ସୁପରଭାଇଜରମାନେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ଦୁଇ ପ୍ରମୁଖ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବି ନାରାୟଣ ସାହୁ, ସୁନ୍ଦରଗଡ଼ ଏସପି ଶ୍ରୀମତୀ ସାଗରିକା ନାଥ, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ପରାମର୍ଶଦାତା ଶ୍ରୀଯୁକ୍ତ ଏନ୍ ଟୁନା ସାହୁ, ପୂର୍ବତନ ବରିଷ୍ଠ କ୍ଷେତ୍ର ଅଧିକାରୀ ଶ୍ରୀମତୀ ବିଜୟା ବରୁଆ, ଲିଗାଲ ଆସିଷ୍ଟାଣ୍ଟ ଶ୍ରୀଯୁକ୍ତ ଅରବିନ୍ଦ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରବାସିନୀ ଚକ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଶୁଭଶ୍ରୀ ପ୍ରଧାନ, ମାନବ ଚାଲାଣ ନିରୋଧ ୟୁନିଟର ଡିଏସପି ଶ୍ରୀଯୁକ୍ତ ପ୍ରଭାତ କୁମାର ବିଶ୍ୱାଳ, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ଚୁଲେଶ୍ୱରୀ ପଟେଲ, ଆକ୍ସନ ଏଡର ଜିଲ୍ଲା ସଂଯୋଜିକା ଶ୍ରୀମତୀ ମିନାକ୍ଷୀ ପ୍ରଧାନ, ଜିଲ୍ଲା ମିଶନ ଶକ୍ତି ସଂଯୋଜିକା ସୁଶୀଳା ରଥ, ଏନଓପି ଶକ୍ତିରାଣୀ ପାଢ଼ୀ, ବରିଷ୍ଠ କିରାଣୀ କେଲମ୍ ବିଲୁଙ୍ଗ ଓ ଜିଲ୍ଲା ପଞ୍ଚାୟତ ଅଫିସର ପ୍ରମୁଖ ଯୋଗ ଦେଇଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.