ଦାରିଙ୍ଗବାଡିରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ

ଫୁଲବାଣୀ ୧୩/୧୧: ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତଲ ଲହରି ଆରମ୍ଭ ହୋଇଛି। ମୟୂରଭଞ୍ଜ ଠାରୁ କନ୍ଧମାଳ ସବୁଠି ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଗତ ଦୁଇ ତିନି ଦିନ ହେଲା  କନ୍ଧମାଳରେ  ପ୍ରବଳ  ଶୀତ  ଅନୁଭୁତ  ହେଉଛି। ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି। ଦିନକୁ ଦିନ ପାରଦ ଖସିବା ସହ ଥଣ୍ଡାର ପ୍ରକୋପ ବଢ଼ୁଛି।

ଶୀତ ସାଙ୍ଗକୁ ଘନ କୁହୁଡ଼ି। ସକାଳ ୯ଟା ଯାଏ ଘନ କୁହୁଡ଼ି ଲାଗି ରହୁଛି। ଶୁକ୍ରବାର ଆଜି ଫୁଲବାଣୀ ଓ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୧୨ ଡିଗ୍ରୀ ସେଲ ସିୟସ ରେକର୍ଡ଼ କରାଯାଇଛିl

ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି। ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ । ସେପଟେ ସଞ୍ଜ ନଇଁବା କ୍ଷଣି ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି।

ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି। ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି। କି ବୁଢା କି ପିଲା ସଭିଏ ଏବେ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି । ଆଗକୁ ଆହୁରି ତାପମାତ୍ରା ଖସିବାର ସମ୍ଭାବନା ରହିଛି l

ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ମଧ୍ୟ ଚାହିଦା ବଢିବାରେ ଲାଗିଛି। ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି ।

ସେହିପରି ଜ଼ିଲ୍ଲାର ବାଲିଗୁଡାରେ ବି ଥଣ୍ଡା ର ପ୍ରକୋପ ବଢ଼ିବାରେ ଲାଗିଛି l ଥଣ୍ଡା ସାଙ୍ଗକୁ ଘନ କୁହୁଡି ଅସ୍ତବ୍ୟସ୍ତ କରିପକାଇଛି ଜନ ଜୀବନ l ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ୟ ତାପମାତ୍ରା ୧ ୫  ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି।

ତେବେ ଏବେ ପର୍ଯ୍ୟଟନ ରୁତୁ ହୋଇଥିବାରୁ କନ୍ଧମାଳ ଜିଲାର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ  କରିବା ଲାଗି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜିର ଆସର ଜମୁଛି। ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କ ଆସ୍ତେ ଆସ୍ତେ ଭିଡ଼ ଜମାଇଲେଣି।

nis-ad
Leave A Reply

Your email address will not be published.