ବିଦ୍ୟୁତ ଫାଶରେ ପଡି ହାତୀ ମୃତ୍ୟୁ ଅଭିଯୋଗ, ହରଡ ଘଣାରେ ବନ ବିଭାଗ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ଯ ଖେଳାଇ ଦେଇଛି l ବୁଗୁଡ଼ା ଥାନା ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ ବେଲପଡା ଗ୍ରାମ ନିକଟସ୍ଥ ଏକ ଧାନ କିଆରିରେ ଗୋଟିଏ ଛୁଆ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା l ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ହାତୀର ମୃତ୍ୟୁ ଘଟିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି l ହାତୀଟିର ଶୁଣ୍ଢର ମଧ୍ୟ ଭାଗ ଅଧା କଟି ରକ୍ତାତ ହୋଇ ଯାଇଥିବା ଦେଖିବାକୁ ମିଳିଛି l ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଡିଏଫଓ ଦିଲ୍ଲୀପ ରାଉତ,ଏସିଏଫ ପ୍ରଭାକର ନାୟକ, ବୁଗୁଡ଼ା ରେଞ୍ଜେର ପ୍ରଦୀପ କୁମାର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଥିଲେ l ମୃତ ଅଣ୍ଡିରା ହାତୀ ଛୁର ବୟସ ପ୍ରାୟ ୨ ବର୍ଷ ହେବ ବୋଲି ବନ ବିଭାଗ କହିଥିଲେ ହେଁ ମୃତ୍ୟୁର କାରଣ କହି ପାରିନି l ଆସନ୍ତା କାଲି ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି l ତେବେ ବିଦ୍ୟୁତ୍ ଫାସରେ ଲାଗି ହାତୀ ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାର ବିଛା ଯିବା ଘଟଣା ନୁଆଁ ନୁହେଁ । ପୂର୍ବରୁ ବାରହା ଫାସରେ ପଡି ଏକ କଲରା ପତରିଆ ବାଘର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକଙ୍କ ଜୀବନ ହାନି ହେଲାଣି l ବାଘୁଆ ନିକଟରେ ବିଦ୍ୟୁତ ଫାସରେ ଲାଗି ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲା ଏବଂ ଗୌଡ଼ିଆ ବରୋଦା ପଞ୍ଚାୟତର ଗାନ୍ଧୀ ନଗର ଗ୍ରାମରେ ବିଦ୍ୟୁତ ଫାସରେ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା l ବିଦ୍ୟୁତ ଫାସ ପକାଇ ପ୍ରତିଦିନ ବାନ୍ୟଜନ୍ତୁ ଶିକାର ଚାଲିଥିଲେ ହେଁ ବନ ବିଭାଗ ସବୁ ଜାଣି ମଧ୍ୟ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବସିଛି l କିଛି ଦିନ ତଳେ ବନ୍ୟ ଜନ୍ତୁ ମାଂସ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ହେଲେ ବନ ବିଭାଗ ପକେଟ ଗରମ କରି ସେମାନଙ୍କୁ ଛାଡି ଦେଇଥିଲା l ଏ ନେଇ ସେ ସମୟରେ ରେଞ୍ଜରଙ୍କୁ ପଚାରିବାରେ ସେ ନିଜ ଉପରୁ ଦୋଷ ଝାଡ଼ି କହିଥିଲେ ମୁଁ ନଥିଲି ଫରେଷ୍ଟର ଛାଡି ଦେଇଥିବେ l ବୁଗୁଡ଼ା ବନାଞ୍ଚଳରେ ବନ୍ୟ ଜନ୍ତୁ ଶିକାର ଏବେ ନିତି ଦିନିଆ ଘଟଣା ହୋଇସାରିଲାଣି l ବୁଗୁଡ଼ା ବନାଞ୍ଚଳର ଅଧିକାଂଶ ସ୍ଥାନରେ ବାନ୍ୟଜନ୍ତୁ ଶିକାର ପାଇଁ ଦୁର୍ବୁତ୍ତ ମାନେ ବିଦ୍ୟୁତ ତାର ବିଛାଉ ଥିଲେ ହେଁ ବନ ବିଭାଗ ତରଫରୁ ପେଟ୍ରୋଲିଙ୍ଗ କରା ଯାଉନି l ବିଦ୍ୟୁତ ତାର ବିଛା ଯାଇଥିବା ନେଇ ଯଦି କିଏ ଖବର ଦିଏ, ତେବେ ବନ କର୍ମଚାରୀ ଖବର ଦେଇଥିବା ଲୋକ ଉପରେ ଓଲଟା ଜୁଲୁମ୍ କରୁଥିବା ଅଭିଯୋଗ ହେଉଛି l ପୂର୍ବରୁ ବନ୍ଯଜନ୍ତୁ ଶିକାର ଓ ମୃତ୍ୟୁ ଘଟଣାରେ ସ୍ଥାନୀୟ ବନ ବିଭାଗ ଅପବାଦ ମୁଣ୍ଡାଇ ଥିବା ବେଳେ ଏବେ ଛୁଆ ହାତୀ ମୃତ୍ୟୁ ଘଟଣାରେ ହରଡଘଣାରେ ପଡି ଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

nis-ad
Leave A Reply

Your email address will not be published.