ବାଂଲାଦେଶକୁ ୫ ରନରେ ହରାଇଲା ଭାରତ

ଆଡିଲେଡ୍ : ଆଡିଲେଡ୍ ଓଭାଲଠାରେ ଚାଲିଥିବା ଟି-୨୦ ବିଶ୍ବକପ ସୁପର-୧୨ର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୫ ରନରେ ହରାଇ ଦେଇଛି ଭାରତ । ଏହି ବିଜୟ ଫଳରେ ସେମିଫାଇନାଲକୁ ଯିବା ଭାରତ ପାଇଁ ଆହୁରି ସହଜ ହୋଇଯାଇଛି ।

ଏହି ମ୍ୟାଚରେ ଭାରତ ଆରମ୍ଭରୁ ୧୮୫ରନର ବିଜୟ ଲକ୍ଷ୍ୟ ରଖିଥିଲେ ବି ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହେବାରୁ ମ୍ୟାଚକୁ ୧୬ ଓଭରକୁ କମାଇ ଦିଆଯାଇଥିଲା । ବାଂଲାଦେଶକୁ ଏହି ୧୬ ଓଭରରେ ୧୫୧ ରନ ଟାର୍ଗେଟ ଦିଆଯାଇଥିଲା ।

ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଥିବା ଲିଟନ ଦାସଙ୍କୁ ଏକ ଚମତ୍କାର ଥ୍ରୋ କରି ରନ ଆଉଟ କରିଥିଲେ କେଏଲ ରାହୁଲ । ଏହା ପରେ ବାଂଲାଦେଶର ନିୟମିତ ଓ୍ବିକେଟ ପତନ ହୋଇଚାଲିଥିଲା । କିନ୍ତୁ ବାଂଲା ବ୍ୟାଟ୍ସମ୍ୟାନମାନେ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ । ଶେଷ ଓଭରରେ ବାଂଲାଦେଶ ୨୦ ରନ ଆବଶ୍ୟକ କରୁଥିବାବେଳେ ଅର୍ସଦୀପଙ୍କ ୨ୟ ବଲରେ ଏକ ଛକା ଓ ୫ମ ବଲରେ ଚୌକା ମାରି ନୁରୁଲ ହାସନ ରୋମାଞ୍ଚ ଭରି ଦେଇଥିଲେ । ଶେଷ ବଲରେ ବାଂଲାଦେଶ ୭ ରନ ଆବଶ୍ୟକ କରୁଥିବାବେଳେ ୧ ରନ ହିଁ କରିପାରିଥିଲା ।

। ଏହି ମ୍ୟାଚରେ ବାଂଲାଦେଶ ଦଳ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତର ଅଧିନାୟକ ରୋହିତ ଶର୍ମା ମାତ୍ର ୨ ରନ କରି ଆଉଟ ହେବା ପରେ କେଏଲ ରାହୁଲ ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପୂର୍ବ ମ୍ୟାଚ ଗୁଡ଼ିକରେ ବିଫଳ ହୋଇଥିବା ରାହୁଲ ଆଜି ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୨ ବଲରେ ୫୦ ରନ କରିଥିଲେ । ରାହୁଲ ଆଉଟ ହେବା ପରେ କୋହଲି ନିଜର ଲଢୁଆ ବ୍ୟାଟିଂ ଜାରି ରଖି ସୂର୍ଯ୍ୟକୁମାର ଯାଦବଙ୍କ ସହ ଆଉ ଏକ ପାର୍ଟନରସିପ କରିଥିଲେ । ସୂର୍ଯ୍ୟକୁମାର ୩୦ ରନ କରିଥିଲେ । ବିରାଟ ଅପରାଜିତ ୬୪ ରନ କରିଥିଲେ । ମାତ୍ର ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ବିଶେଷ ସ୍କୋର କରିପାରିନଥିଲେ । ଶେଷ ଓଭରରେ ରବିଚନ୍ଦ୍ରନ ଅଶ୍ବୀନ ମାତ୍ର ୬ ବଲରେ ୧୩ ରନ କରି ଦଳୀୟ ସ୍କୋରକୁ ୧୮୪ରେ ପହଞ୍ଚାଇଥିଲେ ।

ଏହି ବିଜୟ ସହ ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ହାସଲ କରି ୬ ପଏଣ୍ଟ ପାଇବା ସହ ଗ୍ରୁପ-୨ର ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ।

nis-ad
Leave A Reply

Your email address will not be published.