ଧନତେରାସ୍ ପାଇଁ ଗହଣା ଦୋକାନରେ ଭିଡ, ଜମୁଛି ଲକ୍ଷ ଲକ୍ଷ ଟଙ୍କାର ବେପାର

ବୁଗୁଡ଼ା : ଧନତେରାସ୍ ପର୍ବ ଆଣିଛି ଲୋକଙ୍କ ମଧ୍ୟରେ ଉତ୍ସାହ । ଏହି ଦିନରେ ଘରକୁ କିଛି ନୂଆ ଦ୍ରବ୍ୟ ଆଣିଲେ କୁଆଡେ ପରିବାର ପାଇଁ ଶୁଭ ବୋଲି ବିଶ୍ଵାସ ରହିଛି। ବିଶେଷକରି ସୁନାଗହଣା ଓ ରୁପା ଭଳି ଦ୍ରବ୍ୟ କିଣି ଘରକୁ ଆଣିଲେ ଅଧିକ ଶୁଭ ବୋଲି କୁହାଯାଏ । ଏହି ପର୍ବ ଅନ୍ୟ ରାଜ୍ୟରେ ବହୁଳ ଭାବେ ପାଳିତ ହେଉଥିବା ବେଳେ ଏ ଅବସରରେ ପରିବାର ଲୋକେ ଗହଣା କିଣିଥାନ୍ତି। କିଛି ବର୍ଷ ହେଲା ଏହି ପର୍ବ ଓଡ଼ିଶାର ଛୋଟ ବଡ ବିଭିନ୍ନ ସହରରେ ଲୋକେ ପାଳନ କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ଏହି ଦିନ ସୁନା ରୂପାର ଗହଣା କିଣିବାକୁ ମହିଳାମାନେ ବେଶ୍ ଆଗ୍ରହ ଦେଖାଇଥାନ୍ତି ।
ବୁଗୁଡ଼ା ସହରରେ ମୋଟ ୧୨ଟି ସୁନା ଅଳଙ୍କାର ଦୋକାନ ରହିଥିବା ବେଳେ ସବୁ ଦୋକାନରେ ବେଶ୍ ଭଲ ବ୍ୟବସାୟ ହୋଇଛି । ଚଳିତବର୍ଷ ଧନତେରାସ୍‌ ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ରହିଛି ବୋଲି ଦୋକାନୀମାନେ କହିଛନ୍ତି। ଶନିବାର ଓ ରବିବାର ସନ୍ଧ୍ୟାରେ ବୁଗୁଡ଼ା ସହରର ସୁନା ଦୋକାନଗୁଡ଼ିକରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ବୁଗୁଡାରେ ସୁନା ଦର ଗ୍ରାମ୍ ପିଛା ୪,୭୭୦ ଟଙ୍କା ଥିବା ବେଳେ ରୁପା ଦର ୫୭ ଟଙ୍କା ରହିଛି। ସହରକୁ ଆଜି ସୁନା କିଣିବା ପାଇଁ ଗ୍ରାମାଞ୍ଚଳରୁ ଲୋକେ ଆସିଥିବା ଦେଖିବାକୁ ମିଳିଥିଲା | ଛୋଟ ବଡ଼ ସବୁ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଥୁଲା । ଏହି ଦୁଇଦିନ ମଧ୍ୟରେ ସହରରେ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନାରୁପା ଗହଣା ବିକ୍ରି ହୋଇଥିବା ଜଣାଯାଇଛି । ଗତବର୍ଷ କରୋନା କଟକଣା ରହିଥିବାରୁ ବ୍ୟବସାୟ ମାନ୍ଦା ରହିଥିଲା। ତେବେ ଚଳିତବର୍ଷ ଭଲ ବ୍ୟବସାୟ ହେଉଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.