ବିକାଶର ଅନ୍ଧାରୀ ମୂଲକରେ ‘T’ ଖୋଜୁଛନ୍ତି ‘5T ବିଦ୍ୟାଳୟ’ର ସ୍ଵାଭିମାନୀ ଶିକ୍ଷାର୍ଥୀ…!
ଚିତ୍ରକୋଣ୍ଡା:ସାମ୍ପ୍ରତିକ ପରିସ୍ଥିତିରେ ମାଲକାନଗିରି ଜିଲ୍ଲା କଥା ମନକୁ ଆସିଲେ ସମସ୍ତଙ୍କ ନଜରରେ ଓଡ଼ିଶାର ଏକ ବିକାଶୋନ୍ମୁଖୀ ଜିଲ୍ଲା ବୋଲି ମନକୁ ଆସେ । ମନକୁ ବିକାଶୋନ୍ମୁଖୀ ଆସିବା ମଧ୍ୟ ସ୍ଵାଭାବିକ ଯେହେତୁ ନିକଟ ଅତୀତରେ ଜିଲ୍ଲାରୁ ଅନେକ ପ୍ରତିଭା ଓ.ଏ.ଏସ୍. ମେଧା ତାଲିକାରେ ମଧ୍ୟ ସାମିଲ୍ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଅପରୂପ ଭାବେ ଜିଲ୍ଲାରେ ବିକାଶର ଜ୍ୱଳନ୍ତ ନିଦର୍ଶନ ପାଲଟିଛି ‘ଗୁରୁପ୍ରିୟା ସେତୁ’, ଯାହା ତତ୍କାଳୀନ ଅନେକ ‘ଦ୍ଵୀପ’ ବା ‘ଟାପୁ’ ଅଞ୍ଚଳକୁ ସରକାରଙ୍କ ବିକାଶକୁ ପହଞ୍ଚାଇବା ପାଇଁ ଏକ ପ୍ରକୃଷ୍ଟ ସ୍ଥଳ ମାଧ୍ୟମ ରୂପେ ପରିଗଣିତ ହେଲା ତଥା ଉକ୍ତ ସେତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଉଦ୍ଘାଟନ ହେବା ଦିନଠାରୁ ବିଚ୍ଛିନ୍ନାଞ୍ଚଳ ପରିବର୍ତ୍ତେ ସ୍ୱାଭିମାନ ଅଞ୍ଚଳର ମାନ୍ୟତା ପ୍ରାପ୍ତ ହେଲା ବୋଲି ସରକାରୀ ଦଳ ତଥା ସ୍ଥାନୀୟ ପ୍ରଶାସନ ସମେତ ଜିଲ୍ଲା ପ୍ରଶାସନ ସର୍ବୋପରି ରାଜ୍ୟ ପ୍ରଶାସନ ଡିଣ୍ଡିମ ବାଡ଼େଇ ବାଡ଼େଇ ପ୍ରଚାର ମଧ୍ୟ କଲେ । ଯାହାର ନଗ୍ନ ବାସ୍ତବିକତା ଆଜି ସାମ୍ନାକୁ ଆସିଛି । ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତରରୁ ପ୍ରାୟ ୧୨କି.ମି. ମୁଖ୍ୟ ସଡ଼କର ଠିକ୍ ବାମ ପାର୍ଶ୍ଵରେ ସ୍ଥିତ ବଡ଼ପଦର୍ 5T ବିଦ୍ୟାଳୟ । ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ସର୍ବମୋଟ୍ ୨୫୪ ଛାତ୍ରୀଛାତ୍ର ଅଧ୍ୟୟନରତ ଥିବା ବେଳେ ପ୍ରାଥମିକ,ଉଚ୍ଚ ପ୍ରାଥମିକ ଅର୍ଥାତ୍ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଏବଂ ମାଧ୍ୟମିକ ସ୍ତରରେ ଯଥାକ୍ରମେ ୯୫,୯୭ ଓ ୬୨ ଶିକ୍ଷାର୍ଥୀ ନିଜର ଭବିଷ୍ୟତ ନିର୍ମାଣ କରିବା ଦିଗରେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ପ୍ରକୃତରେ ସବୁଠାରୁ ବଡ଼ ବିଡ଼ମ୍ବନା ହେଲା ସ୍ୱାଭିମାନ ଅଞ୍ଚଳର ମାର୍କା ବାଜିଥିବା ଏହି ଅଞ୍ଚଳର ଗୋଟିଏ ମାତ୍ର 5T ବିଦ୍ୟାଳୟରେ ସର୍ବମୋଟ୍ ଶିକ୍ଷକଙ୍କ ସଂଖ୍ୟା ୫ । ସେମାନଙ୍କ ମଧ୍ୟରୁ ଶ୍ରୀମତି ରଶ୍ମିତା ଦାସ୍ ମାତ୍ର କିଛି ଦିନ ହେବ କର୍ମାନ୍ତର ପ୍ରେରଣ (ଡେପ୍ୟୁଟେଶନ) ଜରିଆରେ ସେବା ଯୋଗାଉଥିବା ବେଳେ ଉଚ୍ଚ ମାଧ୍ୟମିକ ସ୍ତରରେ ଶ୍ରୀ ଗୋବିନ୍ଦ କୁମାର ବୈଶାଖ ନାମକ ଏକ ମାତ୍ର ଶିକ୍ଷକ ହର୍ତ୍ତା କର୍ତ୍ତା ସାଜିଛନ୍ତି ୬୨ଶିକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନେକ ସମୟରେ ଶାରୀରିକ ଅସୁସ୍ଥତା କାରଣରୁ ଅନୁପସ୍ଥିତ ରହୁଥିବା କାରଣରୁ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାରେ ବ୍ୟାହତ ଘଟୁଥିବା ଲକ୍ଷ୍ୟ କରାଯାଉଛି । ଏଭଳି ଏକ ସମ୍ବେଦନଶୀଳ ପରିସ୍ଥିତିରେ ଅଞ୍ଚଳର ଶିକ୍ଷା ଜନିତ ଭିତ୍ତଭୂମିରେ କେବଳ ରଙ୍ଗମରା, ଚାକଚକ୍ୟ ଭରା,ସ୍ମାର୍ଟ ଶ୍ରେଣୀ ଗୃହର ସ୍ମାର୍ଟ ବୋର୍ଡ଼ ତଥା ପ୍ରତ୍ୟେକ ଶ୍ରେଣୀ ଗୃହର କାନ୍ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ମିତହାସ୍ୟ ଭରା ସ୍ଥିର ଛବି ସବୁ ମଧ୍ୟରେ ଶିକ୍ଷା ଜଗତରେ ସୁଧାର ପୂର୍ଣ୍ଣ ମନ୍ତବ୍ୟ ଯେ ସବୁ କେଉଁ ଆଡ଼କୁ ଦିଶା ନିର୍ଦ୍ଦେଶ କରୁଛି ତାହା ଅସ୍ପଷ୍ଟ । ପ୍ରକାଶ ଥାଉକି ରାଜ୍ୟ ତଥା ଦେଶରେ ପ୍ରଚଳିତ ଶିକ୍ଷା ନୀତି ପ୍ରାଥମିକ ସ୍ତରରେ ୩୦:୧ ରେ ଶିକ୍ଷାର୍ଥୀ ଓ ଶିକ୍ଷକ ସଂଖ୍ୟାନୂପାତ ରହିବା ନିମନ୍ତେ ବିଧିବଦ୍ଧ ବ୍ୟବସ୍ଥା ରହିଥିବା ବେଳେ ଉଚ୍ଚ ପ୍ରାଥମିକ ତଥା ଉଚ୍ଚ ମାଧ୍ୟମିକ ସ୍ତରରେ ଏହି ଅନୁପାତ ୩୫:୧ ରହିବା ସହ ବିଷୟ ଭିତ୍ତିକ ଶିକ୍ଷକ ନିଯୁକ୍ତିକୁ ନିଶ୍ଚିତ କରିବା ନିମନ୍ତେ ପ୍ରାବଧାନ ମଧ୍ୟ ରହିଛି । କିନ୍ତୁ ସେ ସବୁ ନୀତି ନିୟମ ଏଠି ପାଣିର ଗାର ହୋଇଯାଇଛି ।
ସେପଟେ ଅଞ୍ଚଳର ମାଓ ଦମନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ବିକାଶର ନୌକାରେ ସ୍ୱାଭିମାନ ଅଞ୍ଚଳର ସ୍ଵାଭିମାନୀଙ୍କୁ ସାମିଲ୍ କରି ବିକାଶ ଦେଶରେ ପହଞ୍ଚାଇବା ନିମନ୍ତେ ସ୍ଥାନେ ସ୍ଥାନେ ଦେଖିବାକୁ ମିଳୁଛି କେବଳ ବି.ଏସ୍.ଏଫ୍. କ୍ୟାମ୍ପ । ଲୋକଙ୍କ ଖାଦ୍ୟ,ବସ୍ତ୍ର ଭଳି ମୌଳିକ ସୁବିଧା ସମେତ ଯୁବ ବର୍ଗଙ୍କ ନିମନ୍ତେ କେତେବେଳେ କ୍ରୀଡ଼ା ସାମଗ୍ରୀ ତ ଆଉ କେତେବେଳେ ବିଦ୍ୟାଳୟର କୋମଳମତି ଶିଶୁଙ୍କୁ ଯୁଦ୍ଧୋପଯୋଗୀ ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନୀ । ତେବେ ଏହି ଜରିଆରେ କଅଁଳ,ସରଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଆବାଳବୃଦ୍ଧବନିତାଙ୍କ ନିକଟରେ ସେମାନଙ୍କ ଦୁର୍ବଳତାର ସୁଯୋଗ ନେଇ ଜରୁରୀ କାଳୀନ ସେବା ପହଞ୍ଚାଇ ବିଶ୍ଵାସର ଭାଜନ ଯେ ହୋଇଗଲେ ସେମାନଙ୍କ ଶୈକ୍ଷିକ,ଆର୍ଥିକ,ସାମାଜିକ ତଥା ରାଜନୈତିକ ଜୀବନଶୈଳୀରେ କୌଣସି ପରିବର୍ତ୍ତନ ହୋଇ ନପାରେ ଏକଥା ଅନେକ ସମୟରେ ବୁଦ୍ଧିଜୀବୀ ମହଲରେ ଆଲୋଚନା ହୁଏ । ଏହା ଛଡ଼ା ବ୍ୟବସ୍ଥା ଆଜି ସମୟରେ ସାଧାରଣ ଜନସାଧାରଣଙ୍କୁ ଯୁଦ୍ଧର ସମର ଶିକ୍ଷା ନା ସମାଜରେ ଶାନ୍ତିର ପ୍ରତିଷ୍ଠା କରିବାକୁ ଚାହୁଁଛି ତାହା ସବୁଠାରୁ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ଏହି ଅଞ୍ଚଳର ଇତିହାସ ପୃଷ୍ଠାରେ ଯୋଡ଼ି ହେବାକୁ ଯାଉଛି ।
ଅନେକ ସମୟରେ ପଦୋନ୍ନତିକୁ କେନ୍ଦ୍ର କରି ବେଶ୍ ପ୍ରଚାର ପ୍ରସାର ଜରିଆରେ ସରକାରୀ ସେବା ପହଞ୍ଚାଇବା ନିମନ୍ତେ ଜିଲ୍ଲାର ଖୁବ୍ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀମାନଙ୍କ ପାଦ ଯଦିଓ ଏହି ଅଞ୍ଚଳରେ ପଡୁଛି କିନ୍ତୁ ସେ ଶ୍ରୀରାମଙ୍କ ପଦ ସ୍ପର୍ଶରେ ବିକଶିତ ହେବା ନିମନ୍ତେ ବଡ଼ପଦର୍ ବିଦ୍ୟାଳୟ ବୋଧହୁଏ ଅହଲ୍ୟା ହେବା ପାଇଁ ଆଜି ଅଯୋଗ୍ୟ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କିଛି ସାଧାରଣ ପ୍ରଶ୍ନ ସମସ୍ତ ଅଳ୍ପ ଶିକ୍ଷିତ ଓ ଅଶିକ୍ଷିତ ଆଦିବାସୀ ଜନ ସାଧାରଣଙ୍କ ମହୋଲ୍ ମଧ୍ୟରେ ତିଆରି ହେଉଛି ଏବଂ ଯାହା ଅଘୋଷିତ ଭାବେ ହେବା ମଧ୍ୟ ସ୍ଵାଭାବିକ ଯେ ସ୍ବାଧୀନତାର ଦୀର୍ଘ ୭୫ବର୍ଷ ବିତି ଯାଇଥିବା ସତ୍ତ୍ଵେ ଶିକ୍ଷା ଭଳି ଏକ ମୌଳିକ ଅଧିକାରକୁ କେଉଁ ପରିପ୍ରେକ୍ଷୀରେ ସେମାନଙ୍କ ନିକଟରେ ପଙ୍ଗୁ କରି ପହଞ୍ଚା ଯାଉଛି ? ବିକାଶର ଦୁନ୍ଦୁଭି ପିଟୁଥିବା ବ୍ୟବସ୍ଥାର ବଡ଼ ପଣ୍ଡା ମାନେ କେବେ ସେମାନଙ୍କୁ ନ୍ୟାୟ ଦେବେ ? ମାଓବାଦର ସଶସ୍ତ୍ର ପୁଞ୍ଜିବାଦୀ ବିରୋଧୀ ଧାରା ବର୍ଜନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାରୁ ଆଜି ସେମାନଙ୍କ ନିମନ୍ତେ ଏଭଳି ଅବ୍ୟବସ୍ଥା କି ? ନା ‘ବିକାଶ’ ଶବ୍ଦର ସଂଜ୍ଞା ତଥା ପରିଭାଷା ସମାଜର ମୁଖ୍ୟ ସ୍ରୋତଠାରୁ ଭିନ୍ନ ସେମାନଙ୍କ ପାଇଁ,ସେମାନଙ୍କ ପରିପ୍ରେକ୍ଷୀରେ ? ଅଶିକ୍ଷାର ଅରାଜକତା ମଧ୍ୟରେ ରହି ପ୍ରଜା ହୋଇ ଜୀବନ ଅତିବାହିତ କରିବା ହିଁ ସେମାନଙ୍କର ଏକମାତ୍ର ଜୀବନ ଧାରଣର ପରିପନ୍ଥା ବୋଲି ସରକାର ତଥା ସରକାରୀକଳ ହୃଦୟଙ୍ଗମ କରାଇବାର ଚେଷ୍ଟାରେ କ’ଣ ଆଉ କେବେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିବ ନାହିଁ କି ?
ଦେଖିବାକୁ ବାକି ରହିଲା ସମ୍ବାଦ ପରିବେଷଣ ପରେ ଶିକ୍ଷକ ଅଭାବ ଜନିତ ବଡ଼ପଦର୍ 5T ବିଦ୍ୟାଳୟରେ କେବେ ଶିକ୍ଷକ ନିଯୁକ୍ତି ହେଉଛି ଏବଂ କେବେ ସାଧାରଣ ଆଦିବାସୀଙ୍କ ନିକଟରୁ ଶିକ୍ଷାଭାବର କଳା ବାଦଲ ଦୂରେଇ ସେଠାକାର ଲୋକଙ୍କୁ ପ୍ରକୃତରୂପେ ଶିକ୍ଷିତ କରି ସ୍ଵାଭିମାନୀ ଭାବେ ବଞ୍ଚିବା ନିମନ୍ତେ ସରକାର,ସରକାରୀ କଳ ତଥା ସାମଗ୍ରିକ ଭାବେ ବ୍ୟବସ୍ଥା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ।ଶିକ୍ଷା ବିକାଶର ମାପ କାଠି। ବିକାଶର ସ୍ଵର ତଳେ ଶିକ୍ଷା ଲାଭ ର ବିପନ୍ନ ଚିତ୍ର ରେ ପେଶି ହେଉଥିବା ସ୍ୱାଭିମାନ ଅଞ୍ଚଳର ଅଧିବାସୀ ଙ୍କ ପାଇଁ ଉପଲବ୍ଧ ସାଧନା କେବଳ ଧର୍ମ କୁ ଆଖି ଠାର। ପ୍ରକୃତ ରେ ସ୍ୱାଭିମାନ ଅଞ୍ଚଳର ଶିକ୍ଷା ପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ବିଦ୍ୟାଳୟର ଏକରୁ ଅନେକ ଅଭାବ ନୀୟ ଚିତ୍ର ପାଠ ପଢା ହେବ କେମିତି..? ଏହାହିଁ ସ୍ୱାଭିମାନ ଅଞ୍ଚଳର ଅମୀମାଂସିତ ପ୍ରଶ୍ନ…