ଗହମ ଓ ସୋରିଷର ଏମଏସ୍‌ପି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ସରକାର ରବି ଫସଲ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍‌ପି) ବୃଦ୍ଧି କରିଛନ୍ତି। ୨୦୨୩-୨୪ ରବି ପାଇଁ ଏହି ବର୍ଦ୍ଧିତ ଏମଏସ୍‌ପି ଦାମରେ ସରକାର ଚାଷୀଙ୍କ ଠାରୁ ସାମଗ୍ରୀ କିଣିବ।

ସରକାର ଗହମର ଏମଏସ୍‌ପି କ୍ୱିଣ୍ଟାଲ ପିଛା ୧୧୦ ଟଙ୍କା ବଢ଼ାଇଛନ୍ତି। ୨୦୨୨-୨୩ରେ ଗହମର କ୍ୱିଣ୍ଟାଲ ପିଛା ଏମଏସ୍‌ପି ୨୦୧୫ ଟଙ୍କା ଥିଲା। ୨୦୨୩-୨୪ରେ ଏହାକୁ କେନ୍ଦ୍ର ସରକାର ୨୧୨୫ ଟଙ୍କା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ଏମଏସ୍‌ପି ବୃଦ୍ଧି ଉପରେ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗହମ ବ୍ୟତୀତ ବିଭିନ୍ନ ଖାଦ୍ୟଶତ୍ସ୍ୟର ଏମଏସ୍‌ପି ବୃଦ୍ଧି କରାଯାଇଛି। ସୋରିଷର ଏମଏସ୍‌ପି କ୍ୱିଣ୍ଟାଲ ପିଛା ୪୦୦ ଟଙ୍କା ବୃଦ୍ଧି ହୋଇଛି। ୨୦୨୨-୨୩ରେ ଗୋଟିଏ କ୍ୱିଣ୍ଟାଲ ସୋରିଷର ଦାମ ୫୦୫୦ ଟଙ୍କା ଥିଲା। ୨୦୨୩-୨୪ରେ ଏହାର ଦାମ ୫,୪୫୦ ଟଙ୍କା ହୋଇଛି।

ମସୁର ଡାଲିର ଏମଏସ୍‌ପି ୫୦୦ ଟଙ୍କା ବଢ଼ିଛି। ମସୁଲ ଡାଲିର ଦାମ କ୍ୱିଣ୍ଟାଲ ପିଛା ଦାମ ୫,୫୦୦ ଟଙ୍କା ଥିଲା ଏବେ ୬୦୦୦ ଟଙ୍କାରେ ପହଞ୍ଚିଛି। ସେହିପରି ବାର୍ଲିର ଏମଏସପି ୧୦୦ ଟଙ୍କା, ସୂର୍ଯ୍ୟମୁଖୀର ଏମଏସ୍‌ପି ୨୦୯ ଟଙ୍କା ଓ ବିରିର ଏମଏସ୍‌ପି ୧୦୫ ଟଙ୍କା ବୃଦ୍ଧି ପାଇଛି। ଗହମ ଉପରେ ଏମଏସ୍‌ପି ୫.୬୪%, ବଢ଼ିଥିବା ବେଳେ ସୋରିଷର ଦାମ ୯% ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ପରେ ଚାଷୀମାନେ ବାର୍ଲି ପାଇଁ କ୍ୱିଣ୍ଟାଲ ପିଛା ୧୭୩୫ ଟଙ୍କା, ବିରି ପାଇଁ କ୍ୱିଣ୍ଟାଲ ପିଛା ୧୭୩୫ ଟଙ୍କା ଓ ସୂର୍ଯ୍ୟମୁଖୀ ପାଇଁ କ୍ୱିଣ୍ଟାଲ ପିଛା ୫,୬୫୦ ଟଙ୍କା ପାଇବେ।

nis-ad
Leave A Reply

Your email address will not be published.