ବାଘୁଆ କେନାଲରୁ ବୃଦ୍ଧଙ୍କ ଭାସମାନ ଶବ ଉଦ୍ଧାର

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ବିପ୍ର ଚରଣ ନାୟକ (୫୮) ଗତକାଲି କେନାଲରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ଆଜି ସକାଳେ ଦମକଳବାହିନୀ ଦ୍ବାରା ତାଙ୍କର ଶବକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଗତକାଲି ସନ୍ଧ୍ୟାରେ ରାମଚନ୍ଦ୍ରପୁର ଗାଁ ପାଖ ବାଘୁଆ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ଘରଲୋକେ କେନାଲକୁ ଯାଇଥିଲେ । କେନାଲ ହିଡରେ ବିପ୍ରଙ୍କ ଚପଲ ଓ ବସ୍ତ୍ର ରହିଥିବା ବେଳେ ତାଙ୍କର ଦେଖା ମିଳି ନ ଥିଲା । ସେ କେନାଲରେ ଭାସି ଯାଇଥିବା ନେଇ ସନ୍ଦେହ ହେବାରୁ ଦମକଳବାହିନୀକୁ ଖବର ଦିଆଯାଇଥିଲା । ଦମକଳବାହିନୀ ସେଠାରେ ପହଞ୍ଚି ଗାଁ ସଭାପତି ଶ୍ରୀନିବାସ ଦୋରାଙ୍କ ସହଯୋଗରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜିଥିଲେ ସୁଦ୍ଧା ନିରାଶ ହୋଇଥିଲେ । ପୁଣି ସକାଳେ ଖୋଜିବା କାର୍ଯ୍ୟ ଆରମ୍ଭ କରି ପ୍ରାୟ ୪୦୦ ମିଟର ଦୂରରେ କେନାଲ ହିଡ କଡରେ ବିପ୍ରଙ୍କ ଶବ ଭାସମାନ ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେଠାରୁ ମୃତ ଦେହକୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲା । ଏନେଇ କେସ ନଂ ୨୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.