ଡିଗ୍ରୀ କଲେଜରେ +୨ ପାଠପଢ଼ା, ଅଲଗା ହେଲାନି କ୍ୟାମ୍ପସ

ଭୁବ‌େନଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିଅର କଲେଜଗୁଡ଼ିକରେ ନାମ ଲେଖାଇଥିବା ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସୋମବାର ଠାରୁ ଆରମ୍ଭ ହେବ। ଏହା ପୂର୍ବରୁ ଗୁରୁବାରଠାରୁ ତିନିଦିନ ବ୍ୟାପୀ ଇଣ୍ଡକ୍ସନ କ୍ଲାସ କରାଯାଉଛି। କରୋନା ପ୍ରକୋପ କମିବା ପରେ ଚଳିତଥର ଶତପ୍ରତିଶତ ସିଲାବସରେ ପାଠପଢ଼ା ପାଇଁ ନିଷ୍ପତ୍ତି ହୋଇଛି। ହେଲେ ରାଜ୍ୟର ଅଧିକାଂଶ ଜୁନିଅର କଲେଜରେ ଏବେ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ଗୋଟିଏ କ୍ୟାମ୍ପସରେ +୨ ଓ +୩ ପାଠପଢ଼ା ଜାରି ରହିଛି। ଶିକ୍ଷକ ଅଭାବରୁ ଯୁକ୍ତ ତିନି ଶ୍ରେଣୀ ପାଇଁ ନିୟୋଜିତ ବରିଷ୍ଠ ଅଧ୍ୟାପକ ଯୁକ୍ତ ଦୁଇ ଶ୍ରେଣୀରେ ବାଧ୍ୟ ହୋଇ ପାଠ ପଢ଼ାଉଛନ୍ତି। ଯୁକ୍ତଦୁଇ ପୃଥକୀକରଣକୁ ୬ବର୍ଷ ବିତିଯାଇଥିଲେ ବି ଏଯାଏ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଏହି ଶ୍ରେଣୀ ଖୋଲିପାରିନି।
ସୂଚନା ଅନୁସାରେ, ୨୦୧୬ରେ ଯୁକ୍ତଦୁଇ ଶ୍ରେଣୀ ଉଚ୍ଚଶିକ୍ଷା ବିଭାଗରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଆସିବା ନେଇ ଘୋଷଣା ହୋଇଥିଲା। ବିଦ୍ୟାଳୟ ଢାଞ୍ଚାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପ୍ରଦାନ କରିବା ଏହାର ଲକ୍ଷ୍ୟ ଥିଲା। ୨୦୧୭ରୁ ପୃଥକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଏବେବି ଏହି ପ୍ରକ୍ରିୟା କେବଳ କାଗଜକଲମରେ ସୀମିତ ରହିଛି। ପୂର୍ବପରି ଡିଗ୍ରୀ କଲେଜଗୁଡ଼ିକରେ +୨ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାରି ରହିଛି। ମୋଟ୍ ୫୦ଟି ସରକାରୀ କଲେଜ ମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନକୁ ମାତ୍ର ୧୭ଟି ଆସିଛି। ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଏବେବି ୩୩ଟି ଜୁନିଅର କଲେଜ ରହିଛି।

ସେହିପରି ୪୮୮ ବର୍ଗର ମୋଟ୍ ୫୧୬ଟି କଲେଜରୁ ୨୪୦ଟି ଗଣଶିକ୍ଷା ବିଭାଗ ଅଧୀନକୁ ଆସିଥିବାବେଳେ ବାକି ୨୭୬ଟି ଉଚ୍ଚଶିକ୍ଷା ବିଭାଗର ନିୟନ୍ତ୍ରଣରେ ରହିଛି। ଅନ୍ୟପକ୍ଷରେ ୬୬୨ ବର୍ଗ ଜୁନିଅର କଲେଜଗୁଡ଼ିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ୧୭ଟି ସରକାରୀ କଲେଜର ପ୍ରଶାସନିକ ନିୟନ୍ତ୍ରଣ ଗଣଶିକ୍ଷା ବିଭାଗକୁ ଆସିଥିଲେ ହେଁ ରମାଦେବୀ, ଖଲ୍ଲିକୋଟ ଭଳି ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବାଧୀନ କ୍ୟାମ୍ପସ ନାହିଁ। ସମଗ୍ର ଶିକ୍ଷା ଯୋଜନାରେ ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ଶ୍ରେଣୀ ସାମିଲ କରାଯାଇଛି। ତେଣୁ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଏକାଦଶ, ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବା ଆବଶ୍ୟକ। ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜିଯାଏଁ ଏହା ଆରମ୍ଭ ହୋଇପାରୁନାହିଁ ବୋଲି ଶିକ୍ଷାବିତ ମତପ୍ରକାଶ କରିଛନ୍ତି।

ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୭୭୯ ଶିକ୍ଷକ କର୍ମଚାରୀ ପଦ ଖାଲିଥିବା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କିଛି ମାସ ତଳେ ବିଧାନସଭାରେ ତଥ୍ୟ ପ୍ରଦାନ କରିଥିଲେ। ସେଥିମଧ୍ୟରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୭୪, ୪୮୮ ବର୍ଗରେ ୫୫୫ ଏବଂ ୬୬୨ ବର୍ଗରେ ୫୦ ପଦବୀ ଖାଲି ରହିଥିଲା। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୭୧ ପଦ ଖାଲି ପଡ଼ିଥିବା ମନ୍ତ୍ରୀ ସୂଚନା ଦେଇଥିଲେ।

nis-ad
Leave A Reply

Your email address will not be published.