କାନାଡ଼ାରେ ଭାରତୀୟଙ୍କ ପ୍ରତି ବଢ଼ୁଛି ଘୃଣାଭାବ, ସତର୍କ କରାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କାନାଡ଼ାରେ ଭାରତୀୟଙ୍କ ପ୍ରତି ଘୃଣାଭାବ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ସେଠାରେ ରହୁଥିବା ଭାରତର ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସତର୍କ କରାଇଛନ୍ତି। ଏ ନେଇ କେନ୍ଦ୍ର ପକ୍ଷରୁ ମଧ୍ୟ ପରାମର୍ଶ ଜାରି କରିଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଭାରତ ସରକାର କାନାଡ଼ାକୁ ନିବେଦନ କରିଛନ୍ତି। ବିଶେଷ ଭାବେ କାନାଡ଼ାରେ ଭାରତ ବିରୋଧୀ ମନୋଭାବ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସେଠାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ହିଂସାର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ଆଗାମୀ ଦିନରେ ଏହା ଅଧିକ ଉଗ୍ର ରୂପ ଧାରଣ କରିବା ଆଶଙ୍କା କରି ଭାରତ ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି।

ନୂଆଦିଲ୍ଲୀ ପକ୍ଷରୁ ଏହି ଘଟଣା ଉପରେ ଉଦବେଗ ପ୍ରକାଶ କରାଯାଇଛି। ଭାରତରୁ ଯେଉଁମାନେ କାନାଡାକୁ ଶିକ୍ଷା ଓ ଭ୍ରମଣ ଉଦ୍ଦେଶ୍ୟରେ ଯାଉଛନ୍ତି ସେମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଏଥି ସହିତ ଭାରତ କାନାଡ଼ା ସରକାର ଏଭଳି ଘଟଣାରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ଦିନକୁ ଦିନ ଘୃଣାଭାବ ବଢୁଥିବା କୁହାଯାଇଛି। ଏଭଳି ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କାନାଡାକୁ କହିଛି।

ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାରେ ଘୃଣାଭାବର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଦିଆଯାଇ ନ ଥିବା ବେଳେ କାନାଡ଼ା ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ। ତେବେ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାନାଡ଼ାରେ ରହୁଥିବା କିଛି ଶିଖ ସଂଗଠନ ଅଲଗା ଖଲିସ୍ଥାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

nis-ad
Leave A Reply

Your email address will not be published.