ରହସ୍ଯ ଘେରରେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଆକ୍ରମଣ ଘଟଣା :ଦିଗହରା ପୋଲିସ ତଦନ୍ତ..!

ଘଟଣାର ୭ ଦିନ ବିତିଯାଇଥିଲେଵି ପୋଲିସ ହାତ ଖାଲି…


ବୁଗୁଡ଼ା : ଗତ ଅକ୍ଟୋବର ୧୭ ତାରିଖର ଘଟଣା । ସେହି କାଳରାତ୍ରୀରେ ଦୁଇ ଅଜଣା ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହେଲେ ୪୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା । ଆକ୍ରମଣରେ ତାଙ୍କର ମୁଣ୍ଡ ଫାଟିବା ସହ ଡାହାଣ ଗୋଡ଼ଟି ଭାଙ୍ଗି ଯାଇଥିଲା । ଆକ୍ରମଣ ସ୍ଥଳରୁ ଉଦ୍ଧାର ହୋଇ ପ୍ରଥମେ ବୁଗୁଡ଼ା ମେଡିକାଲକୁ ଏବଂ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେ ବ୍ରହ୍ମପୁର ମେଡିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ହୋଇଥିଲେ । ବୁଗୁଡା ମେଡିକାଲରେ ପୋଲିସ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଥିବା ବେଳେ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ସାଧାରଣରେ ମତ ପ୍ରକାଶ ପାଇବା ସହ ଏହା ଖୋଳଖାଳି ପଞ୍ଚାୟତର କେଉଁ ରାଙ୍ଗାବିଲ୍ଲା ଯୋଡିଙ୍କ ଚକ୍ରାନ୍ତ ହୋଇଥାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଅନ୍ୟପକ୍ଷରେ ଆକ୍ରମଣରେ ପୀଡ଼ିତ ଗଙ୍ଗାପାଣିଙ୍କ ସ୍ତ୍ରୀ ଛବିରାଣୀ ଜେନା ଏନେଇ ବୁଗୁଡ଼ା ଥାନାରେ ପ୍ରାକ୍ତନ ସରପଞ୍ଚ ସୂର୍ଯ୍ୟମଣି ଗୌଡ ଓ ତାଙ୍କ ଭାଇ ସରୋଜ ଗୌଡଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ କେସ୍ ନଂ ୫୩୮/୨୨ରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇବା ଲକ୍ଷ୍ୟରେ କିଛି ବ୍ଯକ୍ତିଙ୍କୁ ସନ୍ଧେହରେ ଡାକି ଆଣି ପଚରାଉଚରା ଜାରି ରଖିଲା । ତେବେ ଘଟଣାର ୭ ଦିନ ବିତି ଯାଇଥିଲେ ମଧ୍ୟ ତାହାର ସତ୍ଯତା ଲୋକ ଲୋଚନକୁ ନଆସି ରହସ୍ୟ ପାଲଟି ଥିବାରୁ ପୋଲିସର ତଦନ୍ତ କୁଆଡେ ଦିଗହରା ବୋଲି ସାଧାରଣରେ ଆଲୋଚନା ହେଉଛି ।
ଅନ୍ୟପକ୍ଷରେ ତଳ ଦିନେ ଦୁର୍ନୀତି ସମ୍ପର୍କିତ ଖବର ପ୍ରକାଶକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ଅଧିକାଂଶ ଜନପ୍ରତିନିଧି ପ୍ରତିବାଦ କରିଥିବା ବେଳେ ଏବେ ଏହି ମରଣାନ୍ତକ ଆକ୍ରମଣ ଘଟଣାରେ ଜନପ୍ରତିନିଧିବୃନ୍ଦ କୌଣସି ପ୍ରତିବାଦ ନ କରି ମୁଁହରେ ତୁଣ୍ଡି ମାରି ରହିବା ଘଟଣା ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ଏହି ବହୁ ଚର୍ଚ୍ଚିତ ଘଟଣାଟି ସତ୍ଯ ନା ମିଥ୍ଯା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଆକ୍ରମଣ ଘଟଣାଟି ସତ୍ଯ ତେବେ ଏଯାବତ୍ ପୋଲିସ ହାତ ଖାଲି ରହିଛି କାହିଁକି… ? ଅନ୍ଯପକ୍ଷରେ ଆକ୍ରମଣ ଘଟଣାଟି ଯଦି ମିଛ ତେବେ ଅଯଥାରେ ଅଭିଯୋଗ କରି ପୋଲିସ ପ୍ରଶାସନକୁ ହଇରାଣ କରିବା ଦୁର୍ଭାଗ୍ଯଜନକ ନୁହେଁ କି ? ସଂପ୍ରତି ଏ ଅସମାହିତ ପ୍ରଶ୍ନ ଦ୍ବୟ ଜନସାଧାରଣଙ୍କ ମନରେ ଉଙ୍କି ମାରୁଥିବା ବେଳେ ଘଟଣାର ସତ୍ଯତା ପଦାକୁ ଆସିବାରେ ଯେତିକି ବିଳମ୍ବ ଘଟିବ ସ୍ଥାନୀୟ ପୋଲିସ ପ୍ରଶାସନ ଓ ନେତାଗଣଙ୍କ ଛବି ସାଧାରଣରେ ସେହି ଅନୁପାତରେ ମଳିନ ପଡିବା ସ୍ବାଭାବିକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.