ସକ୍ରିୟ ହେଲା ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୧୦ ଜିଲ୍ଲାକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ସୋମବାର) ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଏବେ ସଂପୃକ୍ତ ଅଞ୍ଚଳରେ ସକ୍ରିୟ ରହିବା ସହ ଲଘୁଚାପ କ୍ଷେତ୍ର ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଓଡିଶା-ଉପକୂଳ ଆଡକୁ ମୁହାଁଇବାର ସମ୍ଭାବନା ରହିଛି।

ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା (୭ ରୁ ୨୦ସେମି) ରହିଥିବା ବେଳେ ୧୯ ଏବଂ ୨୦ ତାରଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ପାଣିପାଗ ବିଭାଗର ବିଶ୍ଳେଷଣ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୨୦ ତାରିଖ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡଘଡି ମାରିବାର ସମ୍ଭାବନା ରହିଛି।
ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ କୋରାପୁଟ ପ୍ରଭୃତି ୧୦ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ୧୦ଟି ଜିଲ୍ଲାକୁ କମଳା ଚେତାବନୀ ବା ଅରେଞ୍ଜଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର।

ସେହିପରି ଏହି ସମୟ ମଧ୍ୟରେ ରାଜ୍ୟର ଗଜପତି, ମାଲକାନାଗିରି, ରାୟଗଡ଼ା, ଖୋର୍ଦ୍ଧା, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୋନପୁର, ବେଲାଙ୍ଗୀର ଏବଂ ବରଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

nis-ad
Leave A Reply

Your email address will not be published.