ସମ୍ବଲପୁର-ଅନୁଗୁଳ ଏନ୍‌ଏଚ୍‌ ସଂପ୍ରସାରଣର କାର୍ଯ୍ୟ ଆରମ୍ଭ କଲା ନୂଆ ସଂସ୍ଥା

ସମ୍ବଲପୁର ୦୯/୦୯: ସମ୍ବଲପୁରରୁ କଟକ ୪୨ ନମ୍ବର ଜାତୀୟ ରାଜପଥ ଏବେ ଅଧା ଓଡ଼ିଶାବାସୀଙ୍କ ପାଇଁ ଅଭିଶାପରେ ପରିଣତ ହେଲାଣି । ଦୀର୍ଘ ୫ ବର୍ଷ ପରେ ଏହି ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଶେଷ ହୋଇପାରୁନି । କାମ ସଂପୂର୍ଣ ପାଇଁ ଡେଡଲାଇନ୍‌ ପରେ ଡେଡଲାଇନ୍‌ ବଢ଼଼ିଚାଲିଛି । ଏଭଳି ସ୍ଥିତିରେ ସମ୍ବଲପୁରରୁ ଅନୁଗୁଳ ପର୍ଯ୍ୟନ୍ତ ସଂପ୍ରସାରଣ କାମ କରୁଥିବା ଠିକା ସଂସ୍ଥା ଅଧାରୁ ଛାଡ଼ି ଦେଇଛି ।

ଆଉ ଇତିମଧ୍ୟରେ ଏହାର ପେଟି ଠିକା ଭାବେ କାମ କରୁଥିବା ଏଆଇପିଏଲ୍‌ ସଂସ୍ଥାକୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ସଂପୂର୍ଣ ଦାୟିତ୍ୱ ହସ୍ତାନ୍ତର କରି ଦେଇଛନ୍ତି । ଗତ ୧ ତାରିଖରୁ ଉକ୍ତ ସଂସ୍ଥା ଦାୟିତ୍ୱ ନେଇସାରିଛି । ଏହି ସଂସ୍ଥା ଆସନ୍ତା ୨୦୨୩ ଡିସେମ୍ବର ୩୧ ତାରିଖ ସୁଦ୍ଧା କାମ ସାରିବ ବୋଲି ପୁଣି ସାନି ଡେଡଲାଇନ୍‌ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ରାସ୍ତାରେ ଥିବା ୧୨ଟି ହାତୀ ଚଲାପଥ ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ମଞ୍ଜୁରୀ ମିଳିନଥିବାରୁ ଏହାର ଭବିଷ୍ୟତ ଏବେ ବି ଅନିଶ୍ଚିତତାରେ ରହିଛି ।

ସମ୍ବଲପୁର-କଟକ ୪୨ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାମ ପାଇଁ ଗତ ୨୦୧୬ ମସିହାରୁ ଜମି ଅଧିଗ୍ରହଣ ଶେଷ ହୋଇଥିଲା । ଏହି ରାସ୍ତାର ସମ୍ବଲପୁରରୁ ଅନୁଗୁଳ ପର୍ଯ୍ୟନ୍ତ ଗୋଟିଏ ଏବଂ ଅନୁଗୁଳରୁ କଟକ ପର୍ଯ୍ୟନ୍ତ ଆଉ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । ତେବେ, ସମ୍ବଲପୁରରୁ ଅନୁଗୁଳ ପର୍ଯ୍ୟନ୍ତ କାମ ପାଇଁ ଗାୟତ୍ରୀ ପିଟିପିଏସ୍‌ (ଜେଭି) ନାମକ ସଂସ୍ଥା ସହ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏହାର ଚାରି ଥାକିଆ ନିର୍ମାଣ ପାଇଁ ଅପ୍ରେଲ ୧, ୨୦୧୭ରେ ଚୁକ୍ତିବଦ୍ଧ ହୋଇଥିଲେ । ଏହାର ନିର୍ମାଣ କାମ ଏହା ପରଠାରୁ ଆରମ୍ଭ ହୋଇଥିଲା ।

୨୦୧୯ ଅଗଷ୍ଟ ୩୦ ତାରିଖ ସୁଦ୍ଧା ନିର୍ମାଣ ସାରିବାକୁ ଉକ୍ତ ସଂସ୍ଥାକୁ ଡେଡଲାଇନ୍‌ ଦିଆଯାଇଥିଲା । ପରେ ୨୦୨୦ ସେପଟେମ୍ବରକୁ ଡେଡଲାଇନ୍‌ ବୃଦ୍ଧି କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଏହି ସଂସ୍ଥା ମାତ୍ର ୭୦ ପ୍ରତିଶତ କାମ କରିଥିବା ବେଳେ ଅବଶିଷ୍ଟ କାମ ପାଇଁ ଧରାଛୁଆଁ ବି ଦେଲାନି । ସେପଟେ, ଗାୟତ୍ରୀ ପିଟିପିଏସ୍‌ ଏହାର ନିର୍ମାଣ କାମକୁ ଅଗ୍ରୱାଲ କନଷ୍ଟ୍ରକସନ୍‌ (ଏଆଇପିଏଲ୍‌) ନାମକ ସଂସ୍ଥାକୁ ସବ୍‌ କଣ୍ଟ୍ରାକ୍ଟ ଦେଇଥିଲା । ଏପଟେ ଗାୟତ୍ରୀ କୋଭିଡ୍‌ ବାହାନାରେ ୨ ବର୍ଷ କାମ ବନ୍ଦ କରିଥିବା ବେଳେ ପରେ ବି ଆଉ କାମ ତ୍ୱରାନ୍ୱିତ କରିନଥିଲା। ଏପରିକି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ବାରମ୍ବାର ତାଗିଦକୁ ବି ଅଣଦେଖା କରିଥିବା ଅଭିଯୋଗ ହୋଇଥିଲା । ଏଭଳି ସ୍ଥିତିରେ ସମ୍ବଲପୁରରୁ ଆରମ୍ଭ କରି ଅନୁଗୁଳ ମଧ୍ୟରେ ବାରମ୍ବାର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି ।

ତେବେ, ଏନେଇ ଝାରସୁଗୁଡା ଜିଲ୍ଲାର ବେଲପାହାଡ ଅଞ୍ଚଳର ବାପୁଜୀ ପାତ୍ର ନାମକ ଜଣେ ସମାଜସେବୀ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ପ୍ରକଳ୍ପ ନିର୍ଦ୍ଦେଶକ କେ. ନାଗେଶ୍ୱର ରାଓଙ୍କ ପକ୍ଷରୁ ତାଙ୍କୁ ଦିଆଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗାୟତ୍ରୀ ପିଟିପିଏସ୍‌ କାମ ନ କରିବାରୁ ଏଆଇପିଏଲ୍‌ ସହିତ ଗତ ଜୁନ୍‌ ୮ ତାରିଖରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ସବ୍‌ କଣ୍ଟ୍ରାକ୍ଟକୁ ଅନୁମୋଦନ କରିଛନ୍ତି । ଆଉ ଗତ ଅଗଷ୍ଟ ୧ ତାରିଖରୁ ଏହି ସଂସ୍ଥା ସଂପୂର୍ଣ ଦାୟିତ୍ୱ ଗ୍ରହଣ କରି କାମ ଆରମ୍ଭ କରି ସାରିଥିବା ନେଇ ଶ୍ରୀ ରାଓ ଉଲ୍ଲେଖ କରିଛନ୍ତି । ଏପଟେ, ଏହି ସଂସ୍ଥାକୁ କାମ ସାରିବାକୁ ଆସନ୍ତା ୨୦୨୩ ଡିସେମ୍ବର ୩୧ ତାରିଖକୁ ନୂତନ ଡେଡଲାଇନ୍‌ ଦିଆଯାଇଥିବା ଏଥିରେ ଉଲ୍ଲେଖ ରହିଛି । ବର୍ତ୍ତମାନ ସୁଦ୍ଧା ଚତୁର୍ଥ ଥର ପାଇଁ ଡେଡଲାଇନ୍‌ ବୃଦ୍ଧି ହୋଇସାରିଛି । ୨୦୨୩ ଡିସେମ୍ବର ସୁଦ୍ଧା ମଧ୍ୟ ଏହା ସରିବା ନେଇ ଆଶଙ୍କା ରହିଛି ।

nis-ad
Leave A Reply

Your email address will not be published.