ଜଟଣୀରେ ଭୁଶୁଡ଼ିଲା ୫୦ ଫୁଟ୍‌ର ଲାଇଟ୍‌ ଗେଟ୍‌, ଭାଙ୍ଗିଲା କାର୍‌ ଓ ସ୍କୁଟର

ଜଟଣୀ,୦୯/୦୯: ଜଟଣୀରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି । ଗଣେଶ ପୂଜା ପାଇଁ ସ୍ଥାନୀୟ ଗୋଲେଇ ମାର୍କେଟ ମଣ୍ଡପରେ ହୋଇଥିବା ୫୦ଫୁଟ୍‌ ଉଚ୍ଚର ଲାଇଟ୍‌ ଗେଟ୍‌ ଭୁଶୁଡ଼ି ପଡ଼ିଥିଲା । ଜନଗହଳି ପୂର୍ଣ୍ଣ ଏହି ମାର୍କେଟରେ ସୌଭାଗ୍ୟକୁ କୌଣସି ଲୋକ ଉପରେ ଏହା ପଡ଼ିନଥିଲା । ତେବେ ସେଠାରେ ଥିବା ଗୋଟିଏ କାର୍‌ ଓ ସ୍କୁଟର ଉପରେ ଏହା ପଡ଼ିବାରୁ ଦୁଇଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।

ସୂଚନା ମୁତାବିକ, ଗୁରୁବାର ଦିନ ପ୍ରାୟ ୧୨ଟା ବେଳେ ହଠାତ୍‌ ଲାଇଟ୍‌ ଗେଟ୍‌ଟି ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ଅନେକ ଲୋକ ସେହି ବାଟ ଦେଇ ଯାତାୟାତ କରୁଥିଲେ । ରାସ୍ତା ପାଶ୍ୱର୍ରେ କିଛି ଜଣ ଫେରି କରୁଥିଲେ । ହେଲେ କାହାର କିଛି କ୍ଷୟକ୍ଷତି ହୋଇନଥିଲା । ଗେଟ୍‌ ଭାଙ୍ଗିବା ସ୍ଥାନର ଅତି ନିକଟରେ ଦୋକାନ କରିଥିବା ସଞ୍ଜୟ ମହାନ୍ତି କହିଛନ୍ତି, ୨୦୧୭ ଓ ୨୦୧୮ ମସିହାରେ ଦୁଇଥର ଏପରି ସୁଉଚ୍ଚ ଲାଇଟ୍‌ ଗେଟ୍‌ ଭାଙ୍ଗି ତଳେ ପଡ଼ିଥିଲା । ସେତେବେଳେ ମଧ୍ୟ ଲୋକେ ଅଳ୍ପକେ ବର୍ତ୍ତିଥିଲେ । ପୂର୍ବରୁ ଏହି ଦୁଇ ଘଟଣା ପରେ ଚଳିତ ବର୍ଷ ଅଧିକ ସତର୍କ ହେବା ଆବଶ୍ୟକତା ରହିଥିଲା ।

ଅନ୍ୟ ଜଣେ ବ୍ୟବସାୟୀ ଶେଖ୍‌ ସୟିଦ କୁହନ୍ତି, ମାତ୍ର ଅଧ ଫୁଟ୍‌ ଗଭୀର ଗାତ ଖୋଳି କେବଳ ବାଉଁଶରେ ଏତେ ବଡ଼ ଗେଟ୍‌ ଛିଡ଼ା କରାଯାଇଥିଲା । ଫଳରେ ଏପରି ଦୁର୍ଘଟଣା ଘଟିଲା । ଦୋକାନୀ ମନୋଜ ମଙ୍ଗରାଜ କୁହନ୍ତି, ଗେଟ୍‌ ପଡ଼ି ତାଙ୍କ ଦୋକାନର ଆଜବେଷ୍ଟସ୍‌ ଭାଙ୍ଗିବା ସହିତ କାନ୍ଥ ଫାଟି ଯାଇଛି । ତାଙ୍କ ଦୋକାନ ସମେତ ପାଖରେ ଥିବା ଅନ୍ୟ ୩ଟି ଦୋକାନକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ଅଣାଯାଇଥିବା ସର୍ଭିସ ତାର ମଧ୍ୟ ଛିଡ଼ି ଯାଇଛି ।

nis-ad
Leave A Reply

Your email address will not be published.