ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଅଭ୍ୟାସ୍‌ ମ୍ୟାଚ୍‌ ପାଇଁ କ୍ରୀଡ଼ାସୂଚୀ ଘୋଷଣା

ଦୁବାଇ ୦୯/୦୯: ଆଇସିସି ପକ୍ଷରୁ ଗୁରୁବାର ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଅଭ୍ୟାସ୍‌ ମ୍ୟାଚ୍‌ ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ଟିମ୍‌ ଇଣ୍ଡିଆ ସୁପର-୧୨ ରାଉଣ୍ଡ ପୂର୍ବରୁ ବ୍ରିସବେନ୍‌ର ଗାବା ଷ୍ଟାଡିୟମରେ ୨ଟି ଅଭ୍ୟାସ୍‌ ମ୍ୟାଚ୍‌ ଖେଳି ପ୍ରସ୍ତୁତି କରିବ। ଦଳ ଅକ୍ଟୋବର ୧୭ ତାରିଖରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ଏବଂ ୧୯ ତାରିଖ ନ୍ୟୁଜିଲାଣ୍ଡକୁ ଭେଟିବ। ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଆସନ୍ତା ୧୬ରୁ ଆରମ୍ଭ ହୋଇ ନଭେମ୍ବର ୧୩ ତାରିଖ ଶେଷ ହେବ।

ପ୍ରଥମ ରାଉଣ୍ଡରେ ସ୍ଥାନ ପାଇଥିବା ୮ଟି ଦଳ ୨ଟି ଲେଖାଏଁ ଅଭ୍ୟାସ ମ୍ୟାଚ୍‌ ଖେଳିବେ। ଅକ୍ଟୋବର ୧୦ ତାରିଖ ୩ଟି ମାଚ୍‌ ଅନୁଷ୍ଠିତ ହେବ। ଦୁଇଥର ଚାମ୍ପିଅନ୍‌ ୱେଷ୍ଟଇଣ୍ଡିଜ୍‌ ଓ ୟୁଏଇ ମଧ୍ୟରେ ପ୍ରଥମ, ସ୍କଟଲାଣ୍ଡ ବନାମ ନେଦରଲାଣ୍ଡ୍‌ସ ଦ୍ୱିତୀୟ ଏବଂ ଶ୍ରୀଲଙ୍କା ବନାମ ଜିମ୍ବାୱେ ତୃତୀୟ ମ୍ୟାଚ୍‌ ଖେଳାଯିବ। ୧୧ ତାରିଖ ନାମିବିଆ ଓ ଆୟର୍ଲାଣ୍ଡ, ୧୨ ତାରିଖ ୱେଷ୍ଟଇଣ୍ଡିଜ୍‌ ଓ ନେଦରଲାଣ୍ଡ୍‌ସ ଏବଂ ୧୩ ତାରିଖ ଜିମ୍ବାୱେ ଓ ନାମିବିଆ, ଶ୍ରୀଲଙ୍କା ଓ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ୟୁଏଇ ପରସ୍ପରକୁ ଭେଟିବେ।

ସୁପର-୧୨କୁ ଯୋଗ୍ୟତା ଅର୍ଜନ କରିଥିବା ୮ଟି ଦଳ ମୋଟ ୬ଟି ଅଭ୍ୟାସ ମ୍ୟାଚ୍‌ ଖେଳିବେ। ୧୭ ତାରିଖରେ ଭାରତ ବନାମ ଅଷ୍ଟ୍ରେଲିଆ, ଇଂଲଣ୍ଡ ବନାମ ପାକିସ୍ତାନ, ନ୍ୟୁଜିଲାଣ୍ଡ ବନାମ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ବନାମ ବାଂଲାଦେଶ ମଧ୍ୟରେ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ୧୯ ତାରିଖ ଆଫଗାନିସ୍ତାନ ବନାମ ପାକିସ୍ତାନ, ଭାରତ ବନାମ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଖେଳାଯିବ।

ବିଶ୍ୱକପ୍‌ର ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ୨୧ ତାରିଖ ଶେଷ ହେବ। ଏହାପରେ ସୁପର-୧୨ ପର୍ଯ୍ୟାୟ ଅକ୍ଟୋବର ୨୨ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନଭେମ୍ବର ୯ ଓ ୧୦ରେ ସେମି ଫାଇନାଲ୍‌ ଏବଂ ନଭେମ୍ବର ୧୩ ତାରିଖ ମେଲବୋର୍ଣ୍ଣର ଫାଇନାଲ୍‌ ମୁକାବିଲା ଖେଳାଯିବ।

nis-ad
Leave A Reply

Your email address will not be published.