ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁଙ୍କ ପୋଷଣ ଲାଗି ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗଙ୍କ ପ୍ରଶଂସା

ସୁନ୍ଦରଗଡ଼ (୩/୯) : ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ପିଲାଙ୍କ ପୋଷଣ ସହ ଏହା ସ୍ଥାନୀୟ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକାକୁ ସୁନିଶ୍ଚିତ କରୁଥିବା ବିଷୟ ଆୟୋଗ ଏହାର ଏକ ସର୍ବଭାରତୀୟ ରିପୋର୍ଟରେ ଦର୍ଶାଇଛନ୍ତି। କେନ୍ଦ୍ର ସରକାରଙ୍କ ନୀତି ଆୟୋଗଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ’ଟେକ୍ ହୋମ୍ ରାସନ – ଗୁଡ୍ ପ୍ରାକ୍ଟିସେସ୍ ଆକ୍ରସ ଦ ଷ୍ଟେଟସ୍/ୟୁନିଅନ ଟେରିଟୋରିଜ୍’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୋଭିଡ୍ ସମୟରେ ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କ ଘରେ ଘରେ ’ମାଣ୍ଡିଆ ଲଡୁ ମିକ୍ସ’ ଦିଆଯିବା ବିଷୟ ଉଲ୍ଲେଖ କରାଯାଇଛି।

ଏହି ରିପୋର୍ଟକୁ ସ୍ୱାଗତ କରି ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି, ‘‘ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ କ୍ଷେତ୍ରରେ ପୋଷଣ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ଜିଲ୍ଲାରେ ଅଙ୍ଗନବାଡ଼ି ମାଧ୍ୟମରେ ପିଲାମାନଙ୍କୁ ନିୟମିତ ମାଣ୍ଡିଆ ଲଡ଼ୁ ଦିଆଯାଇ ସେମାନଙ୍କ ସ୍ୱାସ୍ଥ୍ୟର ମୂଳଦୁଆକୁ ସଶକ୍ତ କରିବା ଲାଗି ଏହି କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାରେ ମାଣ୍ଡିଆ ଉତ୍ପାଦନ ବଢ଼ାଇ ଚାଷୀମାନଙ୍କୁ ପରିଶ୍ରମର ଉଚିତ ମୂଲ୍ୟ ପ୍ରଦାନ ସହିତ ଏସ୍ଏଚଜି ମହିଳାଙ୍କ ଜୀବିକା ବିକାଶ ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।’’ ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ଶିଶୁଙ୍କ ଅତିରିକ୍ତ ପୋଷଣ ଲାଗି ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି। ଜିଲ୍ଲାରେ ମିଶନ ଶକ୍ତିର ମହିଳାମାନେ ଏହି ମାଣ୍ଡିଆ ଲଡୁ ମିକ୍ସ ତିଆରି କରୁଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ପିଲାଙ୍କ ପୋଷଣ ସହ ଚାଷୀମାନଙ୍କର ଆୟ ବଢ଼ାଇବା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକା ପାଇଁ ଏକ ନୂଆ ବାଟ ଖୋଲିଦେଇଛି।

ବର୍ତ୍ତମାନ ୩୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମାଣ୍ଡିଆ ଲଡ଼ୁ ମିକ୍ସ ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି। ଏହି ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମରୁ ୩,୮୦୯ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ୬୩ ହଜାର ଶିଶୁ ଉପକୃତ ହେଉଛନ୍ତି। ମିଳିତ ଜାତିସଂଘ ୨୦୨୩କୁ ’ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ’ ବର୍ଷ ଭାବେ ଘୋଷଣା କରିଛନ୍ତି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଉତ୍ପାଦନ, ସଂଗ୍ରହ ଏବଂ ବ୍ୟବହାର ଉପରେ କୃଷି ବିଭାଗ ଗୁରୁତ୍ୱ ଦେଉଛି। ଏଥିପାଇଁ ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ କାର୍ଯ୍ୟକ୍ରମର ସଫଳତା ମଧ୍ୟ ଅତୀତରେ କେନ୍ଦ୍ରର ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା। ଏ କ୍ଷେତ୍ରରେ ଓଡ଼ିଶାର ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲା।

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ୧୯ଟି ଜିଲ୍ଲାର ୧୪୩ଟି ବ୍ଲକରେ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ଏହା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୧୨ଟି ବ୍ଲକ ରହିଛି। ତା’ଭିତରୁ ୮ଟି ବ୍ଲକରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

୨୦୧୮-୧୯ରେ ସୁନ୍ଦରଗଡ଼ ଜିଲ୍ଲା ଓଡ଼ିଶା ପୁଷ୍ଟିଶସ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲା। ସେହି ବର୍ଷ ୪ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା। ୨୦୨୨-୨୩ରେ ତାହା ଆଜି ୧୨ ବ୍ଲକରେ ପହଞ୍ଚି ପାରିଛି। ଚଳିତ ବର୍ଷ ୧୬ ହଜାରରୁ ଅଧିକ ଚାଷୀ ୬ ହଜାର ହେକ୍ଟର ଜମିରେ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରୁଛନ୍ତି।

ଏଥିପାଇଁ ଚାଷୀଙ୍କୁ ବିହନ, ସାର, ଆଧୁନିକ କୃଷି ଯନ୍ତ୍ରପାତି ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ସେହିପରି ସେମାନଙ୍କଠାରୁ ଉଚିତ୍ ମୂଲ୍ୟରେ ପୁଷ୍ଟିଶସ୍ୟ କିଣିବାକୁ ସରକାର ମଣ୍ଡି ବ୍ୟବସ୍ଥା କରୁଛନ୍ତି। ଫଳରେ ମାଣ୍ଡିଆ ଚାଷକରି ଜିଲ୍ଲାର ଚାଷୀମାନେ ଆର୍ଥିକ ସ୍ତରରେ ଅଧିକ ଲାଭବାନ ହୋଇପାରୁଛନ୍ତି।

ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟର ପ୍ରସାର ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଷ୍ଟିଶସ୍ୟ ଖାଦ୍ୟ ମେଳାର ଆୟୋଜନ କରାଯାଉଛି। ସେହିପରି ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଓ ମିଶନ ଶକ୍ତି ସହଭାଗିତାରେ ଜିଲ୍ଲାରେ ୨୧ଟି ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ଏବଂ ରାଉରକେଲାଠାରେ ଗୋଟିଏ ମିଲେଟ୍ ଶକ୍ତି କାଫେ ଖୋଲିଛି। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହାର ପରିଚାଳନା କରୁଛନ୍ତି। କେନ୍ଦୁଝର ଜିଲ୍ଲାରେ ମଧ୍ୟ ଚାଲିଥିବା ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମ ବିଷୟରେ ନୀତି ଆୟୋଗଙ୍କ ରିପୋର୍ଟରେ ମଧ୍ୟ ସ୍ଥାନ ପାଇଛି।

nis-ad
Leave A Reply

Your email address will not be published.