ଗଞ୍ଜାମ ଜିଲ୍ଲାରେ ଅହିଂସା ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

ଛତ୍ରପୁର : ଚଳିତ ମାସ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ପରିଭ୍ରମଣ କରିବାକୁ ଥିବା ଅହିଂସା ରଥକୁ କିଭଳି ଭାବରେ ମହା ଆଡମ୍ବରରେ ଗଞ୍ଜାମ ଜିଲ୍ଲାରେ ସ୍ବାଗତ କରାଯିବ ସେଥି ସକାଶେ ଶନିବାର. ଓସ୍ବାନ୍ ହଲ୍ ଠାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜାତୀୟତା ଭାବ ଜାଗ୍ରତ ନିମନ୍ତେ ଉଦ୍ଦିଷ୍ଟ ଏହି ରଥ ପରିଭ୍ରମଣ ସମୟରେ ସମସ୍ତ ପ୍ରକାର ବ୍ଯବସ୍ଥା କରିବାକୁ ନିର୍ଦ୍ଦେଶ ଦେଇ କିଭଳି ସୂଚାରୁ ରୂପେ ରଥଟିକୁ ଭବ୍ଯ ସମ୍ବର୍ଦ୍ଧନା ଦେଇ ଦେଶ ମାତୃକା ନିମନ୍ତେ ଲଢିଥିବା ଶହୀଦ୍ ବୀର ମାନଙ୍କ ପ୍ରତି ଜିଲ୍ଲାବାସୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ ସେଥି ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଜଣାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ କାର୍ଯ୍ୟକ୍ରମଟି କିଭଳି ସୂଚାରୁ ରୂପେ ସମ୍ପାଦିତ ହୋଇପାରିବ ସେଥି ସକାଶେ ସମସ୍ତଙ୍କ ସହଯୋଗ କାମନା କରି ଗାନ୍ଧିଜୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଯେଉଁ ଯେଉଁ ସ୍ଥାନ ମାନଙ୍କରେ ସଭାକାର୍ଯ୍ୟ କରିଥିଲେ ସେହି ଅଞ୍ଚଳ ଗସ୍ତ କରିବାର କର୍ଯ୍ୟକ୍ରମ ରହିଛି ବୋଲି ଅବଗତ କରାଇଥିଲେ । ପ୍ରସ୍ତୁତି ବୈଠକରେ ଜିଲ୍ଲା ସହର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣର କାର୍ଯ୍ୟସୂଚୀର ପୁଙ୍ଖାନୁପୁଙ୍ଖ ବିବରଣୀ ଉପସ୍ଥାପନ କରିଥିଲେ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୧୫ ତାରିଖ ଦିନ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ ଅବସରରେ ଅହିଂସା ରଥର ଶୁଭାରମ୍ଭ କରିଥିଲେ । ଏହି ଦୁଇଟି ଅହିଂସା ରଥ ଓଡିଶାର ବିଭିନ୍ନ ଜିଲ୍ଲା ପରିଭ୍ରମଣ କରି ଗଞ୍ଜାମ ଜିଲ୍ଲାକୁ ଆସିବ । ୨୩ ତାରିଖ ଦିନ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତପ୍ତପାଣି ଠାରେ ମହା ସମାରୋହରେ ରଥ ଦୁଇଟିକୁ ସ୍ବାଗତ କରାଯିବ । ସ୍ବାଧୀନତାର ସ୍ମାରକୀ ବହନ କରୁଥିବା ଏହି ରଥ ଓଡିଶାର ବୀର ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନର ବାର୍ତ୍ତା ଜିଲ୍ଲାରେ ପ୍ରଚାର କରିବ । ଗୋଟିଏ ରଥ ଜିଲ୍ଲାର ଦିଗପହଣ୍ଡି, ଶେରଗଡ, ହିଞ୍ଜିଳି, ଆସ୍କା, ଧରାକୋଟ, ଭଞ୍ଜନଗର, ବେଲଗୁଣ୍ଠା, ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ବେଗୁନିଆପଡା, ଖଲ୍ଲିକୋଟ ପରିଭ୍ରମଣ କରିବ । ଦ୍ବିତୀୟ ରଥଟି ଚିକିଟି, ପାତ୍ରପୁର, ବ୍ରହ୍ମପୁର ମହାନଗର ନିଗମ, କୁକୁଡାଖଣ୍ଡି, ରଙ୍ଗେଇଲୁଣ୍ଡା, ଗୋପାଳପୁର, ପୁରୁଷୋତ୍ତମପୁର, ଛତ୍ରପୁର, ଗଞ୍ଜାମ, ରମ୍ଭା ଆଦି ଏୈତିହାସିକ ସ୍ଥାନ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଅହିଂସା ରଥକୁ ୨୪ ତାରିଖ ଦିନ ବ୍ରହ୍ମପୁର ମ୍ୟୁନିସପାଲ କର୍ପୋରେସନ୍ ପକ୍ଷରୁ ଏକ ବିରାଟ ସ୍ବାଗତ ସମ୍ବର୍ଦ୍ଧନା ସହ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନ ସହ ସଂଶ୍ଲିଷ୍ଟ ବ୍ରହ୍ମପୁର ସ୍ଥିତ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକୁ ପରିଭ୍ରମଣ କରିବ । ଏ ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅହିଂସା ସାରଥୀ-ମୁକ୍ତି ପଥର ଯାତ୍ରୀ ନାମକ ପଥପ୍ରାନ୍ତ ନାଟକ ପରିବେଷଣ କରାଯିବ । ଜିଲ୍ଲାର ଗୋପାଳପୁର, ବ୍ରହ୍ମପୁର , ଭଞ୍ଜନଗର, ଛତ୍ରପୁର ଠାରେ ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରଥଟିକୁ ସ୍ବାଗତ ଅବସରରେ ବିଶାଳ ଶୋଭାଯାତ୍ରାରେ ସମସ୍ତ ଜନ ସାଧାରଣ, ଲୋକପ୍ରତିନିଧି, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବିଦ୍ୟାଳୟ / ମହାବିଦ୍ୟାଳୟ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ଅଙ୍ଗନଓ୍ବାଡି କର୍ମୀ ମାନେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି । ପ୍ରତ୍ଯେକ ବ୍ଲକ୍ ହେଡକ୍ବାର୍ଟର ମାନଙ୍କରେ କିଭଳି ଭାବେ ଅହିଂସା ରଥକୁ ସ୍ବାଗତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ, ଜନ ସଚେତନତା, ସ୍ବାଧାନତା ସଂଗ୍ରାମୀଙ୍କ ଉତ୍ତର ଦାୟାଦ ମାନଙ୍କୁ ସମ୍ମାନୀତ କରାଯିବ ସେଥିନିମନ୍ତେ ସଂପୃକ୍ତ ଗୋଷ୍ଠୀ ଉନ୍ନମୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀଗଣ ମାଇକ୍ରୋପ୍ଲାନ୍ କରି ସେହି ଅନୁସାରେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏ ଅବସରରେ ଜିଲ୍ଲାର ବିଭିନ୍ନ ଲେଖକ ମାନଙ୍କ ଠାରୁ ସଂଗୃହୀତ ଲେଖାକୁ ନେଇ ଏକ ସ୍ମରଣୀକା ପ୍ରକାଶ କରାଯିବ । ୨୮ ତାରିଖ ଦିନ ଖୋର୍ଦ୍ଧାଜିଲ୍ଲା କୁ ଏହି ଅହିଂସା ରଥ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅହିଂସା ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଯେପରି ସଫଳ ହେବ ସେଥିନିମନ୍ତେ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଗଞ୍ଜାମ ଭି. କିର୍ତ୍ତି ଭାସନ୍ ଜଣାଇ ଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଉପ ଆରକ୍ଷୀ ଅଧୀକ୍ଷକ ଅଜୟ କୁମାର ମିଶ୍ର, ଡେପୁଟି କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଲା କ୍ରିଡା ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡା, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାସ, ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାଶ ଏବଂ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ଯୋତି ଶଙ୍କର ରାୟ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଓସ୍ବାନ୍ ଦ୍ବାରା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.