ଶ୍ୱେତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ସାଙ୍ଗଙ୍କୁ ପଚରାଉଚରା

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଫିଟାଇ ପାରୁନାହିଁ ପୋଲିସ। ଘଟଣାକୁ ୯ ଦିନ ବିତିଯାଇଥିବାବେଳେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

ଶ୍ୱେତାଙ୍କ ପରିବାର ଲୋକ ଗୁରୁବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟି ନ୍ୟାୟ ଦାବି କରିଥିଲେ। ଏଥିସହ ତଦନ୍ତରେ ସହଯୋଗ କରିବା ପାଇଁ ଶ୍ୱେତାଙ୍କ ୪ ଘନିଷ୍ଠ ସାଙ୍ଗଙ୍କ ପରିଚୟ ଓ ଫୋନ୍‌ ନମ୍ବର ଦେଇଥିଲେ। ତେଣୁ ପୋଲିସ ଉକ୍ତ ସାଙ୍ଗମାନଙ୍କୁ ପଚରାଉଚରା ଆରମ୍ଭ କରିଛି। ପୁରୁଷବନ୍ଧୁ ସୌମ୍ୟଜିତ୍‌ ମହାପାତ୍ର ଶ୍ୱେତାଙ୍କୁ ବ୍ଲାକ୍‌ମେଲ କରିଥିବାର ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା ଚଳାଇଛି। ସେହିଭଳି ଟଙ୍କା ନେଣଦେଣ ନେଇ ପ୍ରମାଣ ପାଇବାକୁ ପୋଲିସ ଶ୍ୱେତାଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରୁଛି। ଏସବୁରୁ ମାମଲା ଓ ଅଭିଯୋଗ ସଂକ୍ରାନ୍ତ ପ୍ରମାଣ ପାଇବାକୁ ପୋଲିସ ଆଶା ରଖିଛି। ଅନ୍ୟପଟେ ପୁରୁଷ ବନ୍ଧୁ ସୌମ୍ୟଜିତ୍‌ଙ୍କୁ ଦାୟୀ କରାଯାଉଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଉନାହିଁ। ତେଣୁ ତାଙ୍କର ଏଥିରେ କିଛି ଭୁଲ ରହିଥିବା ସନ୍ଦେହ କରାଯାଉଛି। ପୋଲିସ ଏ ଦିଗରେ ଠିକ୍‌ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଶ୍ୱେତାଙ୍କ ପରିବାର ଲୋକେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ସୌମ୍ୟଜିତ୍‌ଙ୍କ ମା’ଙ୍କୁ ଶ୍ୱେତା ହ୍ବାଟ୍ସଆପ୍‌ରେ ପଠାଇଥିବା ମେସେଜ୍‌ର ଏକ ସ୍କ୍ରିନ୍‌ଶଟ୍‌ ଗୁରୁବାର ଭାଇରାଲ ହୋଇଥିଲା। ସେହିପରି ଶୁକ୍ରବାର ମଧ୍ୟ ଆଉକିଛି ହ୍ବାଟ୍ସଆପ୍‌ ଚାଟ୍‌ର ସ୍କ୍ରିନ୍‌ଶଟ୍‌ ଭାଇରାଲ ହେଉଛି। ସୌମ୍ୟଜିତ୍‌ ନେଇଥିବା ଟଙ୍କା ଫେରାଇ ଦିଅନ୍ତୁ ବୋଲି ଶ୍ୱେତା ଦାବି କରୁଥିବା ଦେଖାଯାଇଛି। ଏଥିସହ ସୌମ୍ୟଜିତ୍‌ଙ୍କ ମା’ ଜାତକ ଆଳ ଦେଖାଇ ବିବାହ ପାଇଁ ରାଜି ହେଉ ନ ଥିଲେ ବୋଲି ଉକ୍ତ ହ୍ବାଟ୍ସଆପ୍‌ ଚାଟ୍‌ରୁ ଜଣାପଡ଼ୁଛି। ହ୍ବାଟ୍ସଆପ୍‌ ଚାଟ୍‌ରେ ସୌମ୍ୟଜିତ୍‌ଙ୍କ ମା’ଙ୍କୁ ଶ୍ୱେତା ଲେଖିଛନ୍ତି, ଆପଣଙ୍କ ପୁଅ ମୋବାଇଲ ପାଇଁ ମୋଠୁ ୧୨ହଜାର ନେଇଥିଲେ। ଚାକିରି ଛାଡ଼ିଲା ପରେ ରେଣ୍ଟ ଓ ଇଲେକ୍ଟ୍ରିସିଟି ବିଲ୍‌ ନ ଦେଇ ମୋ ରୁମ୍‌ରେ ପଡ଼ିକି ଥିଲେ। ସେ ଏବେ କାହିଁ ଡ୍ରାମା କରୁଛନ୍ତି କି ମୋତେ ବହୁତ କିଛି ଦେଇଥିଲେ। ଯଦି ଦେଉଥିଲ ତାହାଲେ ଆର୍‌ଡି ଏଫ୍‌ଡି କେମିତି ବନାଉଥିଲେ। ସେ ମୋତେ କହୁଛନ୍ତି କି, ତୁ ଯେଉଁ ଜୋତା ଓ ଟି-ଶାର୍ଟ ଦେଇଥିଲୁ ନେଇଯା। ମୁଁ ନେଇ କ’ଣ କରିବି। ମୋତେ ସେଇ ପଇସା ଦେଇଦିଅନ୍ତୁ। ହଷ୍ଟେଲ ଯିବା ଆଗରୁ ବହୁତ କିଛି ମୋ ପଇସାରେ ନେଇକି ଯାଇଛି ଓ ହଷ୍ଟେଲ ଯିବା ପରେ ବି ନେଇଛି। ସେ ମୋତେ ଏବେ କହୁଛି ତା’ପାଖରେ ୨୦ ହଜାର ଅଛି, ତା’ଠୁ ଅଧିକ ଦେଇପାରିବିନି। ତ ଆପଣ ଦେଇ ଦିଅନ୍ତୁ। ଆପଣ ବି ଝିଅ ହିସାବରେ ଅନ୍ୟ ଝିଅ ସହ ଜାତକ ଗେମ୍‌ ଖେଳିବା ବନ୍ଦ କରନ୍ତୁ। ଆଉ ଆପଣଙ୍କ ପୁଅକୁ କହିବେ, ପଇସା ସେଟ୍‌ଲ କରୁ। ଆଉ କେତେ ଝିଅଙ୍କ ଲାଇଫ୍‌ ସାଙ୍ଗରେ ଖେଳିବ ସୌମ୍ୟଜିତ୍‌? ସୌମ୍ୟଜିତ୍‌ଙ୍କ ମା’ଙ୍କୁ ଶ୍ୱେତା ଏପରି ଅନେକ ମେସେଜ୍‌ ଦେଇଛନ୍ତି। ତେଣୁ ସୌମ୍ୟଜିତ୍‌ ସମ୍ପର୍କ କାଟିବା ପରେ ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ବୋଲି ଏଥିରୁ ସ୍ପଷ୍ଟ ହେଉଛି।

nis-ad
Leave A Reply

Your email address will not be published.