ବାଲିମେଳା : ଭାରତୀୟ ଝଣ୍ଡା ସଂହିତା – ୨୦୦୨ ର ପ୍ରଥମ ଭାଗ ସାଧାରଣ କଥନ ର ୧.୧ ସୂଚାଏ ଯେ ତ୍ରିରଙ୍ଗାର ଠିକ୍ ମଧ୍ୟ ଭାଗରେ ଆକାଶୀ ନୀଳ ରଙ୍ଗର ୨୪ଅଖ ବିଶିଷ୍ଟ ଅଶୋକ ଚକ୍ର ରହିବ । ୧.୩ କହେ ଯେ ତ୍ରିରଙ୍ଗା ଆୟତ୍ତାକାର ରହିବା ସହ ଓସାର:ଉଚ୍ଚତା::୩:୨ ରହିବା ବିଧେୟ । ଏହା ଛଡ଼ା ୧.୪ ଜାତୀୟ ପତାକାର ସାଧାରଣ ଆକାର ତଥା ଆକୃତି ସମ୍ପର୍କରେ ନିର୍ଦ୍ଦିଷ୍ଟତା କୁ ସୂଚାଇ ଥାଏ ।
ଭାରତୀୟ ଝଣ୍ଡା ସଂହିତା – ୨୦୦୨ ର ଦ୍ଵିତୀୟ ଭାଗର ୨.୧ ଧାରା-୩ ବୁଝାଏ,ପ୍ରତୀକ ଏବଂ ନାମର ଉଲ୍ଲଂଘନ କରି ବ୍ୟବସାୟିକ ଉଦ୍ଦେଶ୍ୟରେ ପତାକା ବ୍ୟବହାର କରାଯିବ ନାହିଁ | ଅନୁଚ୍ଛେଦ ୨.୨ (xii)ପତାକା ପ୍ରଦର୍ଶିତ କିମ୍ବା କୌଣସି ପ୍ରକାରେ ବନ୍ଧା ହେବା ଉଚିତ ନୁହେଁ ଯେପରି ଏହା ନଷ୍ଟ ହୋଇପାରେ । ଅନୁଚ୍ଛେଦ ୨.୨ ( xiii )ଯେତେବେଳେ ପତାକା ନଷ୍ଟ ହୋଇ ଯାଇଥାଏ କିମ୍ବା ଗଳିତ ଅବସ୍ଥାରେ ଥାଏ,ଏହାକୁ ସମ୍ପୁର୍ଣ୍ଣ ବ୍ୟକ୍ତିଗତ ଭାବରେ ନଷ୍ଟ କରି ଦିଆଯିବ କିମ୍ବା ଜଳାଇ ଦିଆଯିବ କିମ୍ବା ପତାକାର ସମ୍ମାନ ସହିତ ଅନୁରୂପ ଅନ୍ୟ କୌଣସି ପଦ୍ଧତି ଦ୍ୱାରା ନଷ୍ଟ କରି ଦିଆଯିବ । ଏଠାରେ ସୂଚନା ଥାଉକି ଗତକାଲି ଅର୍ଥାତ୍ ୧୩ ଅଗଷ୍ଟ ରେ ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ଜରିଆରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣ ଠାରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହେବା ସାମ୍ନାକୁ ଆସିଛି । ଇତି ମଧ୍ୟରେ ଠିକ୍ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ । ଏହି ଅଭିଯାନ ପାଳନ ଅବସରରେ ପରିଷଦର ସମସ୍ତ କାଉନସିଲର,ପରିଷଦର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ନାୟକ,ଉପାଧ୍ୟକ୍ଷ,ପରିଷଦ ଅନ୍ତର୍ଗତ ୯୩ଟି ସ୍ଵୟଂ ସହାୟକ ଗୋଷ୍ଠୀ,ଏନ୍.ଏ.ସି.ରେ କାର୍ଯ୍ୟରତ ସମସ୍ତ କର୍ମକର୍ତ୍ତାଙ୍କ ସମେତ ଖୋଦ୍ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ରଥ ମଧ୍ୟ ଏହି ପଦଯାତ୍ରାରେ ପ୍ରମୁଖ ମଙ୍ଗୁଆଳ ସାଜିଥିଲେ । କିନ୍ତୁ ସମ୍ବେଦନଶୀଳ ତଥା ବିଡ଼ମ୍ବନାର ବିଷୟ ଏହା ଯେ ଉକ୍ତ ପଥ ପ୍ରଦର୍ଶନରେ ବ୍ୟବହୃତ ହୋଇଥିବା ତ୍ରିରଙ୍ଗା ବା ଜାତୀୟ ପତାକା ଗୁଡ଼ିକ ପ୍ରକୃତ ଭାବେ ଆୟତାକାର ନଥିଲା । ଅର୍ଥାତ୍ ଓସାର ଏବଂ ଉଚ୍ଚତାରେ ବିଧେୟ ଥିବା ଅନୁପାତ ଅନୁପଯୁକ୍ତ ଥିଲା । କେତେକ ତ୍ରିରଙ୍ଗାରେ ଅଶୋକ ଚକ୍ର ପତାକାର ଠିକ୍ ମଧ୍ୟ ସ୍ଥାନରେ ବି ନିର୍ଦ୍ଦିଷ୍ଟ ହୋଇ ନଥିଲା । କେତେକ ପତାକାରେ ରଙ୍ଗରେ ବା ପତାକା ପ୍ରିଣ୍ଟ ସମୟରେ ଧଳା ଅଂଶରେ ମଧ୍ୟ ସବୁଜ ରଙ୍ଗ ରହିଥିଲା । ଯେଉଁ ପତାକା ଗୁଡ଼ିକ ଭାରତୀୟ ଝଣ୍ଡା ସଂହିତା – ୨୦୦୨ ମୁତାବକ ଜନ ସାଧାରଣରେ ପ୍ରଦର୍ଶନ କରାଯିବା ଅନୁଚିତ। କିନ୍ତୁ ଏତେ ସତ୍ତ୍ଵେ ପ୍ରଶ୍ନ ଉଠୁଛି କେଉଁ ପରିପ୍ରେକ୍ଷୀରେ ଖୋଦ୍ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ବେଆଇନ୍ କାର୍ଯ୍ୟକଳାପର ମୁଖ୍ୟ ରାସ୍ତାରେ ପ୍ରଦର୍ଶନ କରାଯାଇଥିଲା ? ଯାହାକୁ ନେଇ ଅଞ୍ଚଳ ର ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ଆସୁଛି l ପ୍ରଶାସନର ଭାରତୀୟ ଝଣ୍ଡା ସଂହିତା – ୨୦୦୨ କୁ ଏଭଳି ଖୋଲା ଖୋଲି ଉଲ୍ଲଂଘନ କିପରି ସମ୍ଭବପର ହେଲା ? ନା ପ୍ରଶାସନ ଭାରତୀୟ ଝଣ୍ଡା ସଂହିତା – ୨୦୦୨ ପ୍ରତି ଅବଗତ ନୁହନ୍ତି ? କେଉଁ ମାନଙ୍କ ମିଲିଭଗତ ରେ ପତାକା ତିଆରି କରିଥିବା ସଂସ୍ଥା ଏଭଳି ପତାକା ଗୁଡ଼ିକ ନଷ୍ଟ ନ କରି ସାର୍ବଜନୀନ କ୍ଷେତ୍ରରେ ବିକ୍ରି କରିବାର ଅପଚେଷ୍ଟା କରିଛନ୍ତି ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ ? ସେପଟେ କେନ୍ଦ୍ର ସରକାର ୨୫ ଟଙ୍କା ବିନିମୟରେ ପୋଷ୍ଟ ଅଫିସ ଜରିଆରେ ବିକ୍ରୟ ପାଇଁ ସୂଚନା ଦେଇଥିବା ବେଳେ ରାଜ୍ୟ ସରକାର ମାଗଣାରେ ପତାକା ଯୋଗାଇବା ନିମନ୍ତେ ଦ୍ୱାୟିତ୍ଵ ଗ୍ରହଣ କରିଥିଲେ, ଯାହାକି ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ତା’ମାନେ ନୁହେଁ ଯେ ଜାତୀୟ ପତାକାକୁ କ’ଣ ଏଭଳି ସମ୍ମାନ ଦିଆଯିବ…! ଆଗାମୀ ପିଢ଼ି ଏହି ଛଦ୍ମବେଶୀ ଦେଶ ପ୍ରେମ ତଥା ଜାତୀୟ ପତାକାର ଏଭଳି ଅବମାନନାରୁ କ’ଣ ଶିଖିବେ ? ସମସ୍ତ ଘଟଣା ନିମନ୍ତେ ଜନ ସାଧାରଣଙ୍କ ନିକଟରେ ଉତ୍ତରଦାୟୀ କିଏ ରହିବ ? ଘଟଣାକୁ ନେଇ ବଣିକ ସଂଘ ପକ୍ଷରୁ ଏହା ପ୍ରତି ସମବେଦନା ଜଣାଇ ଶ୍ରୀ ରାଜେନ୍ଦ୍ର କୁଲଦୀପ ପ୍ରତିକ୍ରିୟା ରଖିଛନ୍ତି ଯେ, ପ୍ରଶାସନର ଏଭଳି ଉଦାସୀନତା ଆଗାମୀ ଦିନରେ ଯେଭଳି ନ ଦୋହୋରା ଯାଉ । ସେପଟେ ବାଲିମେଳାର ବରିଷ୍ଠ ଆଇନଜୀବୀ ଶ୍ରୀ ଶ୍ୟାମ ଘନ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ , ତ୍ରିରଙ୍ଗା ଆମ ଜାତୀୟ ପ୍ରତୀକ । ପ୍ରଶାସନିକ ସ୍ତରରେ ଠିକ୍ ଭାବେ ଏଭଳି ତ୍ରୁଟିକୁ ଅଣଦେଖା କରିବା ନିଶ୍ଚିତ ଭାବେ ଦୁଃଖ ଜନକ । ତେବେ ଆଗାମୀ ୧୫ ଅଗଷ୍ଟ ରେ ଯେପରି ଏହି ସବୁ ତ୍ରୁଟି ପ୍ରତି ଗୁରୁତ୍ଵ ଦେଇ ପ୍ରଶାସନ ପ୍ରତ୍ୟେକ ତ୍ରିରଙ୍ଗାର ଏକ ସାମଞ୍ଜସ୍ୟ ରହିବ ସେ ପ୍ରତି ସଜାଗ ହେବା ଆବଶ୍ୟକ ରହିଛି । ରାଜ୍ୟ ସମାଜସେବୀ ମହାସଂଘର ଜିଲ୍ଲା ଉପସଭାପତି ଶ୍ରୀ ଦେବବ୍ରତ ବେହେରା ଘଟଣାର ତୀବ୍ର ବିରୋଧ କରି ପ୍ରତିକ୍ରିୟା ରଖିଛନ୍ତି ଯେ, ଆଜାଦି କା ଅମୃତ ମହୋତ୍ସବ ପାଳନରେ ସାରା ଦେଶ ଯେତେବେଳେ ଉତ୍ସବ ମୁଖରିତ ଠିକ୍ ଏତିକିବେଳେ ଜାତୀୟ ପତାକାକୁ କିଛି ଉତ୍ପାଦନକାରୀ ସଂସ୍ଥା ଏହାକୁ ଏକ ପଣ୍ୟଦ୍ରବ୍ୟ ଭାବି ନେଇଛନ୍ତି ଯେଉଁ କାରଣରୁ ମୁଦ୍ରଣ ଜନିତ ତ୍ରୁଟି ଥିବା ସତ୍ତ୍ଵେ ମଧ୍ୟ ବଜାରରେ ନିଜ ଲାଭାଂଶ ପାଇଁ ବିକ୍ରୟ ଉଦ୍ଦେଶ୍ୟରେ ଛାଡ଼ିବା ନିଶ୍ଚିତ ଭାବେ ଏକ ବିଡ଼ମ୍ବନାର ବିଷୟ । ଜିଲ୍ଲା ପ୍ରଶାସନ ଏହି ଘଟଣାର ଗୁରୁତ୍ୱତାକୁ ଉପଲବ୍ଧି କରି ସମ୍ପୃକ୍ତ ବିକ୍ରିକାରୀ ସଂସ୍ଥା ତଥା ପ୍ରଶାସନର ଉଦାସୀନତା ତଥା ଦାୟିତ୍ୱରେ ହୋଇଥିବା ଅବହେଳାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଦରକାର ବୋଲି କହିଛନ୍ତି।
ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ତଥା ତୀବ୍ର ବିରୋଧ ଓ ସମାଲୋଚନା କରାଯାଇଛି । ଏଭଳି ଏକ ଦୁର୍ଭାଗ୍ୟଜନକ ବିଷୟରେ ସଂଶ୍ଲିଷ୍ଟ ପତାକା ତିଆରି କରିଥିବା ସଂସ୍ଥା, ପତାକା ବିକ୍ରି କରୁଥିବା ସଂସ୍ଥା,ପ୍ରଦର୍ଶନ ତଥା ସାର୍ବଜନୀନ ସ୍ଥାନରେ ପ୍ରଶାସନର ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ,ସହଯୋଗୀ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କୁ ନେଇ ସାଧାରଣ ରେ ଦାବୀ ହୋଇଛି ? ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହାକୁ ଅତି ଗୁରୁତର ଭାବେ ଗ୍ରହଣ କରିବା ଆବଶ୍ୟକ….